ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ କେନ୍ଦୁଝରର ସୌମ୍ୟାଙ୍କ ସଫଳତା

ଯୋଡ଼ା, (ସମୀର କୁମାର ଦାସ):କେନ୍ଦୁଝରର ରବିନ୍ଦ୍ର ବିଦ୍ୟା ନିକେତନର ଛାତ୍ରୀ ସୌମ୍ୟା ବାଥରେ ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) କାର୍ଯ୍ୟକ୍ରମରେ ଅନ୍ୟତମ ବିଜେତା ଭାବେ ଘୋଷିତ ହେବା ସହିତ କେନ୍ଦୁଝର ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ କେନ୍ଦୁଝର ଜିଲ୍ଲାର ୬୦୨୫ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କେନ୍ଦୁଝର ଜିଲ୍ଲାରୁ ଚୟନ ହୋଇଥିବା ଶ୍ରେଷ୍ଠ ୨ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରେ ସ୍ଥାନ ପାଇ ସେ ଓଡ଼ିଶାର ଶ୍ରେଷ୍ଠ ୬୦ ଜଣ ଫାଇନାଲ୍ ପ୍ରତିଯୋଗୀଙ୍କ ତାଲିକାରେ ନିଜ ନାମ ସାମିଲ କରିପାରିଥିଲେ । ଏହାପରେ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଠାରେ ଆୟୋଜିତ ଫାଇନାଲ ରାଉଣ୍ଡରେ ଓଡ଼ିଶାର ଶ୍ରେଷ୍ଠ ୨୦ ଜଣ ବିଜେତାଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିଲେ ।ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ କମିଶନର ତଥା ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଅନ୍ୟ ବିଜେତାମାନଙ୍କ ସହିତ ସୌମ୍ୟାଙ୍କୁ ସମ୍ମାନିତ କରିଥିଲେ । ଶଶି ବାଥରେ ଓ ମୁକେଶ ବାଥରେଙ୍କ ଝିଅ ସୌମ୍ୟା ଏହି ସମ୍ମାନ ପାଇ ବେଶ ଆନନ୍ଦିତ ଅନୁଭବ କରିଛନ୍ତି । ସେ କହିଛନ୍ତି ଯେ, “ଓଡ଼ିଶାର ୩୦ଟି ଜିଲ୍ଲାର ଶ୍ରେଷ୍ଠ ୬୦ ଜଣ ଛାତ୍ରଛାତ୍ରୀମାନଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବା ପ୍ରକୃତରେ ମୋ ପାଇଁ ଏକ ବଡ଼ ଅଭିଜ୍ଞତା । ବିଚାରକ ମଣ୍ଡଳୀଙ୍କ ସହିତ ଆଲୋଚନା ବେଶ ଚିର୍ତ୍ତାକର୍ଷକ ଓ ପ୍ରେରଣାଦାୟୀ ଥିଲା । ଭୁବନେଶ୍ୱରସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡଃ କରୁଣାକର ନନ୍ଦଙ୍କ ସହିତ ଆଲୋଚନାଭିତ୍ତିକ ଅଧିବେସନ ଆମକୁ ଜ୍ୟୋତିର୍ବିଜ୍ଞାନ ଏବଂ ମହାକାଶ ବିଜ୍ଞାନରେ କ୍ୟାରିୟର ଗଢିବା ପାଇଁ ଆତ୍ମବିଶ୍ୱାସ ଓ ଉତ୍ସାହ ପ୍ରଦାନ କରିଛି । ଏହି ବିରଳ ସୁଯୋଗ ପ୍ରଦାନ କରିଥିବାରୁ ମୁଁ ଟାଟା ଷ୍ଟିଲ ଓ ପଠାଣି ସାମନ୍ତ ପ୍ଲାନେଟାରିୟମ୍କୁ ଧନ୍ୟବାଦ ଜଣାଉଛି ।”କେନ୍ଦୁଝର ଜିଲ୍ଲାର ଟାଟା ଡିଏଭି ପବଲିକ ସ୍କୁଲ, ଯୋଡ଼ାର ଜଣେ ଛାତ୍ର ବିଭୁ କିଶୋର ପଲେଇ ମଧ୍ୟ ଫାଇନାଲ୍ ପାଇଁ ମନୋନୀତ ଶ୍ରେଷ୍ଠ ୬୦ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମିଲ ହୋଇ ଫାଇନାଲ୍ ଦିବସରେ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିବା ସହିତ ଶ୍ରେଷ୍ଠ ୨୦ ଜଣ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅତିରିକ୍ତ ସଚିବ ତଥା ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ନିର୍ଦ୍ଦେଶିକା ଶ୍ରୀମତି ସଞ୍ଜୁଲତା ବେହେରା, ଭୁବନେଶ୍ୱରସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡଃ କରୁଣାକର ନନ୍ଦ, ଟାଟା ଷ୍ଟିଲ କର୍ପୋରେଟ୍ କମୟୁନିକେସନସ୍ ବିଭାଗର ମୁଖ୍ୟ ସର୍ବେସ୍ କୁମାର, ୨୦୦୯ ୟାଟସ୍ ବିଜେତା ଡଃ ଅଂଶୁମାନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।୨୦୦୭ ମସିହାରୁ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ ୟାଟସ୍ ର ଆୟୋଜନ କରାଯାଉଛି । ଚଳିତ ସଂସ୍କରଣରେ ରାଜ୍ୟରେ ଟାଟା ଷ୍ଟିଲର ଏହି ପ୍ରମୁଖ ବାର୍ଷିକ କାର୍ଯ୍ୟକ୍ରମରେ ଓଡ଼ିଶାର ୩୦ଟି ଜିଲ୍ଲାର ୩୦୦ଟି ବିଦ୍ୟାଳୟରୁ ପ୍ରାୟ ୭୭,୫୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । “ବ୍ରହ୍ମାଣ୍ଡ ରହସ୍ୟ ଉନ୍ମୋଚନ କରିବାର ଏବେ ସମୟ” କୁ ଚଳିତ ସଂସ୍କରଣର ବିଷୟବସ୍ତୁ ଭାବେ ନିଆଯାଇଥିଲା । ଏହି ପ୍ରତିଯୋଗିତାର ବିଜେତାମାନଙ୍କୁ ୨୦୨୩ ମସିହା ମେ ମାସରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ର ଏକ ଅନୁଷ୍ଠାନ ପରିଦର୍ଶନ କରିବାର ସୁଯୋଗ ମିଳିବ, ଯେଉଁଠାରେ ସେମାନେ ମହାକାଶ ବିଜ୍ଞାନ ସମ୍ପର୍କିତ ଜ୍ଞାନ ହାସଲ କରିପାରିବେ । ଜ୍ୟୋତିର୍ବିଜ୍ଞାନ ଓ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପ୍ରତିଭାର ପ୍ରସାର ଓ ଅନ୍ତରୀକ୍ଷ ବିଜ୍ଞାନକୁ ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଅବଦାନକୁ ଲୋକପ୍ରିୟ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ୟାଟସ୍ ୨୦୨୨-୨୩ କାର୍ଯ୍ୟକ୍ରମ ଅନ୍ତର୍ଗତ ୬ଷ୍ଠରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଚଳିତ ବର୍ଷ ଉଭୟ ଅଫଲାଇନ୍ ଓ ଅନଲାଇନ ମୋଡ଼ରେ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ