ଟ୍ରଲି ବ୍ୟାଗ୍ରେ ୧୧୫ କେଜି ଗଞ୍ଜେଇ ଚାଲାଣ: ୫ ଗିରଫ
କଟକ,(ଓ୍ବାଇଏନଏସ): ଟ୍ରଲି ବ୍ୟାଗ୍ରେ ଲୁଚାଇ ଟ୍ରେନ୍ ଯୋଗେ ମୁମ୍ବାଇ ଚାଲାଣ ହେଉଥିଲା ୫୭ ଲକ୍ଷ ୯୬ ହଜାର ୫୦୦ ଟଙ୍କାର ଗଞ୍ଜେଇ।ସାଧାରଣ ଯାତ୍ରୀଙ୍କ ଭଳି ୭ଟି ଟ୍ରଲି ବ୍ୟାଗ୍ ଓ ଗୋଟିଏ ବ୍ୟାକ୍ପ୍ୟାକ୍ରେ ଗଞ୍ଜେଇ ଭର୍ତ୍ତି କରି ନେଉଥିବା ବେଳେ କଟକ ରେଳ ଷ୍ଟେସନରେ ଧରାପଡ଼ିଛନ୍ତି ୫ ଜଣ।ଆରପିଏଫ୍ ଓ ଜିଆରପିର ମିଳିତ ଯାଞ୍ଚ ବେଳେ ସେମାନଙ୍କଠାରୁ ମୋଟ ୧୧୫ କେଜି ୯୩୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଭୁବନେଶ୍ୱରରୁ ଗଞ୍ଜେଇ ସଂଗ୍ରହ କରି ମୁମ୍ବାଇ ନେବାକୁ ଚାଲିଥିବା ଏହି ଚାଲାଣ ଯୋଜନାକୁ ଷ୍ଟେସନରେ ହିଁ ପଣ୍ଡ କରିଛି ଆରପିଏଫ୍-ଜିଆରପିର ମିଳିତ ଟିମ୍। ସୂଚନା ଅନୁଯାୟୀ, ପୁରୀରୁ ମୁମ୍ବାଇ ଯାଉଥିବା ୨୨୮୬୬ ନମ୍ବର ପୁରୀ-ଏଲଟିଟି ଏକ୍ସପ୍ରେସରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଆରପିଏଫ୍କୁ ପୂର୍ବରୁ ସୂଚନା ମିଳିଥିଲା। ସୂଚନା ଆଧାରରେ ଆରପିଏଫ୍ ଓ ଜିଆରପି ପକ୍ଷରୁ ଟ୍ରେନ୍ରେ ମିଳିତ ଯାଞ୍ଚ ଆରମ୍ଭ କରାଯାଇଥିଲା। ଟ୍ରେନ୍ଟି କଟକ ଷ୍ଟେସନରେ ପହଞ୍ଚିବା ପରେ ଯାଞ୍ଚ ବେଳେ ୫ ଜଣଙ୍କୁ ଅଟକାଇ ସେମାନଙ୍କ ସାମଗ୍ରୀ ଯାଞ୍ଚ କରାଯାଇଥିଲା। ୭ଟି ଟ୍ରଲି ବ୍ୟାଗ୍ ଓ ଗୋଟିଏ ବ୍ୟାକ୍ପ୍ୟାକ୍ ଯାଞ୍ଚ କରାଯିବା ପରେ ଭିତରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା। ଓଜନ କରାଯିବା ପରେ ମୋଟ ୧୧୫ କେଜି ୯୩୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୫୭ ଲକ୍ଷ ୯୬ ହଜାର ୫୦୦ ଟଙ୍କା ବୋଲି ଜଣାପଡ଼ିଛି। ଗିରଫ ୫ ଜଣଙ୍କ ମଧ୍ୟରୁ ସାଜିଦ ଅଲି ଅବଦୁଲ ସାକୁର ମାରିୟାର, ଜିତେନ୍ଦ୍ର ରମେଶ ଠାକୁର, ତନବୀର ୟାକୁବ ଚାଗୁଲେ ଓ ଅହମ୍ମଦ ରଜା ସିଦ୍ଦିକି ମୁମ୍ବାଇର ହୋଇଥିବା ବେଳେ ଅଭିଷେକ କୁମାର ବିହାରର ପାଟନାର ବୋଲି ଜଣାପଡ଼ିଛି। ପଚରାଉଚରା ବେଳେ ସେମାନେ ଭୁବନେଶ୍ୱର ଆସି ଗଞ୍ଜେଇ ସଂଗ୍ରହ କରି ମୁମ୍ବାଇ ନେଉଥିବା କହିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ କଟକ ଜିଆରପି ଥାନାରେ ଏନ୍ଡିପିଏସ୍ ଆକ୍ଟର ଧାରା ୨୦(ବି) ଓ ୨୯ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗଞ୍ଜେଇ ଚାଲାଣ ପଛରେ ଥିବା ଅନ୍ୟ ବ୍ୟକ୍ତି ଓ ନେଟୱର୍କ ସମ୍ପର୍କରେ ଜାଣିବା ପାଇଁ ତଦନ୍ତ ଜାରି ରହିଛି।


