ସାନଖେମୁଣ୍ଡି ରେ ଝାଡାବାନ୍ତି : ଜଣେ ମୃତ, ୪ ଆକ୍ରାନ୍ତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁ ରେ ଗତ ୪ ଦିନ ହେଲା ଝାଡାବାନ୍ତି କାୟା ବିସ୍ତାର କରୁଛି। ବୁଧବାର ମଧ୍ୟାହ୍ନରେ ଗ୍ରାମର ସୁରେନ୍ଦ୍ର ମଲ୍ଲିକ(୬୦) ମୃତ୍ୟୁବରଣ କରିଥିବା ବେଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଗ୍ରାମର ରଘୁନାଥ ମଲ୍ଲିକ(୬୨),ରୁନି ମଲ୍ଲିକ(୧୫),ଶୁଭମ୍ ମଲ୍ଲିକ(୧୩),ବନମାଳୀ ମଲ୍ଲିକ(୫୫) ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଗ୍ରାମର ଭରତ ମଲ୍ଲିକ ଗତ ୧୨ ଦିନ ପୂର୍ବେ ଝାଡା ବାନ୍ତି ରେ ମୃତ୍ୟୁବରଣ କରିଥିଲେ। ଗାଁ ରେ ତାଙ୍କ ଶୁଦ୍ଧି କ୍ରିୟା ଭୋଜି ଚାଲିଥିଲା।ମଙ୍ଗଳବାର ଭୋଜି ଖାଇବାକୁ ସୁରେନ୍ଦ୍ର,ବନମାଳୀ ଏବଂ ତାଙ୍କ ପରିବାର ଲୋକେ ଯାଇଥିଲେ। ଭୋଜି ଖାଇବା ପରେ ରାତିରେ ଗାଁ ରେ ଝାଡା ବାନ୍ତି ବ୍ୟାପିଥିଲା।ସମସ୍ତ ଆକ୍ରାନ୍ତ ଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁରେନ୍ଦ୍ର ଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ବୁଧବାର ସନ୍ଧ୍ୟା ପ୍ରାୟ ସାଢେ ୭ ଟାରେ ମୃତଦେହ ଗାଁ ରେ ପହଞ୍ଚିବା ପରେ ବିଳମ୍ବିତ ସନ୍ଧ୍ୟାରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଗାଁ ରେ ଆଶାକର୍ମୀ ଓ ସ୍ବାସ୍ଥ୍ୟ ଟିମ୍ ପହଞ୍ଚି ଲୋକଙ୍କୁ ସ୍ବାସ୍ଥ୍ୟ ସଚେତନତା କରାଇଛନ୍ତି। ଜିଲା ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗାଁ ରେ ପହଞ୍ଚି ସ୍ବାସ୍ଥ୍ୟସେବା ତଦାରଖ କରିବା ସହ ଗ୍ରାମ୍ୟଜଳ ଯୋଗାଣ ପରିମଳ ବିଭାଗ ପକ୍ଷରୁ ଗ୍ରାମରେ ଥିବା ନଳକୂଅ କୁ ଆବଶ୍ୟକ ମରାମତି କରିବା ସହ ବ୍ଲିଚିଙ୍ଗ ପାଉଡର ପକାଇ ବିଶୋଧନ କରାଇବା ପାଇଁ ସରପଞ୍ଚ ସନ୍ତୋଷ ବିଷୋୟୀ ଦାବୀ କରିଛନ୍ତି।


