ଡବଲ୍ ଡୋଜ୍ ଟିକା ପରେ ବି ୨୦% ଲୋକଙ୍କ ଦେହରେ ହୋଇନି ଆଂଟିବଡି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଡବଲ୍ ଡୋଜ୍ ଟିକା ନେଲା ପରେ ବି ୨୦ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ସୃଷ୍ଟି ହେଉନି । ଡବଲ ଡୋଜ ପରେ ବୁଷ୍ଟର କି ତୃତୀୟ ଡୋଜ ଦେବା ନେଇ ଅନୁଧ୍ୟାନ ଚାଲିଛି । ତେବେ ସମାନ କମ୍ପାନିର କିମ୍ବା ଅନ୍ୟ କମ୍ପାନିର ଡୋଜ ଦିଆଯିବ, ଏହାକୁ ନେଇ ବିଶ୍ଳେଷଣ କରାଯାଉଛି । ଖୁବଶୀଘ୍ର ଭାରତ ସରକାର ଏ ସମ୍ପର୍କରେ ଘୋଷଣା କରିବେ ବୋଲି ଆଇଏଲ୍ ଏସ୍ ନିର୍ଦେଶକ ଡକ୍ଟର ଅଜୟ ପରିଡ଼ା ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଅଗଷ୍ଟରୁ ସେପ୍େଟମ୍ବର ପ୍ରଥମ ସପ୍ତାହ ଭିତରେ ରାଜ୍ୟର ୬ଶହ ସାମ୍ପଲକୁ ଜେନମ ସିକ୍ୱେନ୍ସିଂ କରାଯାଇଥିଲା । ସେଥିରୁ ୪୨୫ ଡ଼େଲ୍ଟା ଭାରିଏଂଟ ବାହାରିଥିଲା, ବାକି ସାମ୍ପଲ ଅନ୍ୟ ଭାରିଏଂଟର । ତେବେ କୌଣସି ନୂଆ ମ୍ୟୁଟେସନ ଚିହ୍ନଟ ହୋଇନି । ଅଧିକ ସାମ୍ପଲର ଜେନମ ସିକ୍ୱେନ୍ସିଂରେ ଓଡ଼ିଶା ଦେଶରେ ୪ ନମ୍ବର । ଜାନୁଆରିରୁ ବର୍ତମାନ ସୁଦ୍ଧା ଓଡ଼ିଶାର ୬ ହଜାର ସାମ୍ପଲ ଜେନାମ ସିକ୍ୱେନ୍ସିଂ ହୋଇଛି ।
ଆଇଏଲ୍ ଏସ୍ ନିର୍ଦେଶକ ଆହୁରି ମଧ୍ୟ କହିଛନ୍ତି, ପାର୍ବଣରେ ଲୋକଙ୍କ ସମାଗମ ପୁଣିଥରେ ସଂକ୍ରମଣ ବଢାଇପାରେ । କେରଳର ଓନମ ପର୍ବ ଏହାର ଏକ ବଡ଼ ଉଦାହରଣ । ଏଣୁ ନୂଆଖାଇ ଠାରୁ କାଳୀପୂଜା ଯାଏ ଆମକୁ ଜଗିରଖି ଚଳିବାକୁ ହେବ । ଓଡ଼ିଶାର ପରିସ୍ଥିତି ଏବେ ବହୁତ ଭଲ ଅଛି । ପଜିଟିଭ ସଂଖ୍ୟା ୬୦୦ ରୁ ୭୦୦ ଭିତରେ ରହୁଛି । ତା ଅର୍ଥ ନୁହେଁ ଆମେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଛନ୍ତି । କେରଳ ଏବଂ ଉତର ପୂର୍ବରୁ ୮୦ ପ୍ରତିଶତ କେସ ଆସୁଛି । ମହାରାଷ୍ଟ୍ରରେ ଟିକେ ବଢିଛି । ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଭଲରେ ଚାଲିଛି । ୧୮ ବର୍ଷରୁ କମ ପିଲାଙ୍କ ପାଇଁ ସତର୍କ ରହିବାକୁ ପଡ଼ିବ ।
ରାଜଧାନୀ ଭୁବନେଶ୍ୱରରେ ଅଧିକ ଗହଳି ରହୁଛି । ଅଧିକ ଲୋକଙ୍କ ସମାଗମ ହେଉଛି, ଯେଉଁଥିପାଇଁ ପଜିଟିଭ ସଂଖ୍ୟା ସାମାନ୍ୟ ଅଧିକ ରହୁଛି । ତେବେ ପୂର୍ବରୁ ଏଠାରେ ଦୈନିକ ସଂକ୍ରମଣ ୧ ହଜାର ଉପରେ ଥିଲା । ଏବେ ୨୦୦ରୁ ୩୦୦ ଭିତରେ ରହୁଛି । ହଜାରରୁ ୩୦୦କୁ କମ ସମୟରେ ଖସିଥାଏ । କିନ୍ତୁ ୩୦୦ରୁ କମ୍ ହେବାକୁ ଅଧିକ ସମୟ ଲାଗେ । ଦିଲ୍ଲୀରେ ବି ଏଭଳି ସ୍ଥିତି ରହିଥିଲା । ଭୁବନେଶ୍ୱରରେ ଆଉ ୧୦ରୁ ୧୫ ଦିନରେ ସଂକ୍ରମଣ କମିଯିବ ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ