ଡିଜିଟାଲ୍ ପ୍ଲାଟଫର୍ମରେ ୩୦ ସେକେଣ୍ଡରେ ମିଳିବ ୫୦ ହଜାର ଟଙ୍କାର ଋଣ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଡିଜିଟାଲ୍ ପ୍ଲାଟଫର୍ମରେ ୩୦ ସେକେଣ୍ଡରେ ୫୦ ହଜାର ଟଙ୍କାର ଋଣ ମିଳିଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫରୁ ଆୟୋଜନ କରାଯାଇଥିବା ଋଣ ମେଳାକୁ ଉଦ୍ଘାଟନ କରି ସେ କହିଛନ୍ତି, ତିନି ମାସରୁ ଅଧିକ ସମୟ ସକ୍ରିୟ ଥିବା ବ୍ୟାଙ୍କ ଖାତା, ଆଧାର ଓ ଟେଲିଫୋନ୍ ଠିକଣା ଥିବା ଗ୍ରାହକମାନେ ୩୦ ସେକେଣ୍ଡରେ ୫୦ ହଜାର ଟଙ୍କାର ଋଣ ପାଉଛନ୍ତି । ରାଜ୍ୟରେ ବ୍ୟାଙ୍କ ଶାଖା ସଂଖ୍ୟା କମ୍ ଥିବାରୁ ସେ ଉଦବେଗ ପ୍ରକାଶ କରିଛନ୍ତି । ଅଧିକ ଶାଖା ଖୋଲିବାକୁ ସେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଆଜିର ଋଣ ମେଳାରେ ୨୬୦୪ ଜଣ ଗ୍ରାହକଙ୍କୁ ୧୬୬.୧୧ କୋଟି ଟଙ୍କାର ଋଣ ବଣ୍ଟନ କରାଯାଇଛି । ଏସ୍ଏଚଜି, ଶିକ୍ଷା, ଗାଡ଼ି ଓ ଘର ତିଆରି ଲାଗି ଏହି ଋଣ ଦିଆଯାଇଛି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ବ୍ୟାଙ୍କଗୁଡ଼ିକ ଓଡ଼ିଶାରେ ୨ ଲକ୍ଷ କୋଟି ଟଙ୍କା ଋଣ ବାବଦରେ ପ୍ରଦାନ କରିଥିବା ବେଳେ ସେଥି ମଧ୍ୟରୁ ୩୬ ହଜାର କୋଟି ଟଙ୍କା ଏସ୍ଏଚ୍ଜି ଗୁଡ଼ିକୁ ଦିଆଯାଇଛି ଏବଂ ସେମାନେ ଠିକ୍ ସମୟରେ ଋଣ ପରିଶୋଧ କରିଛନ୍ତି । ସେମାନଙ୍କୁ ଅଧିକ ଆର୍ଥିକ ସହାୟତା ଦେବାକୁ ବ୍ୟାଙ୍କଗୁଡ଼ିକୁ ସେ ପରାମର୍ଶ ଦେଇଛନ୍ତି । ଗୃହ ନିର୍ମାଣ କ୍ଷେତ୍ରକୁ ମଧ୍ୟ ଅଧିକ ଋଣ ଦେବାକୁ ସେ କହିଛନ୍ତି ।


