ତଅପୋଇ ବା ଖୁଦୁରୁକୁଣୀ ଓଷା

ବିପିନ ବିହାରୀ ମହାନ୍ତି
ଓଡ଼ିଆରେ ଜାତୀୟ ପର୍ବପର୍ବାଣୀ ମଧ୍ୟରୁ ‘ତଅପୋଇ’ ବା ଖୁଦୁରୁକୁଣୀ ଓଷା ଅନ୍ୟତମ । ଏହି ଓଷାଟି ଭାଦ୍ରମାସର ପାଞ୍ଚ ରବିବାରେ ପାଳିତହୁଏ :
କୃଷ୍ଣ ପ୍ରତିପଦ ତିଥିର, ଯେତେ ହୁଅଇ ରବିବାର ।
ଖୁଦୁରୁକୁଣୀ ନାମେ ଓଷା, ହୋଇଲା ସେହିଦିନ ନିଶା ।
ଏହି ପୂଜାର ଆରାଧ୍ୟ ଦେବୀ ହେଉଛନ୍ତି ମଙ୍ଗଳା । ପୂଜିକା ହେଉଛନ୍ତି ଅନୁଢ଼ା କୁମାରୀ ଏବଂ ସଧବା ବୋହୂମାନେ ବିଶେଷକରି ଭୂଆଷୁଣୀ ବୋହୂମାନେ । ଉଦ୍ଦେଶ୍ୟ ହେଉଛି ଇଚ୍ଛାମତେ ଶୁଭ ଏବଂ ବରମନାସିବା ।
ଯାହାର ଯେଇଚ୍ଛା କଳ୍ପନା, ମଙ୍ଗଳାନାମେ ସୁମରଣା ।
କରନ୍ତି ଯେଝାମନଜାଣି, ଦୟା କରନ୍ତି ଠାକୁରାଣୀ ।ା
ପୂଜାର ବିଧି ତଥା ତଅପୋଇ ବା ଖୁଦୁରୁକୁଣୀ ଓଷା ସଂପର୍କରେ କୁହାଯାଇଛି :
ଭାଦ୍ରବମାସ ରବିବାର, ଖୁଦୁରୁକୁଣୀ ଆଦ୍ୟସାର ।
ସେଦିନ ଉପବାସ କରି, ମଙ୍ଗଳା ଦେବୀଙ୍କୁ ସୁମରି ।ା
ଓଷା ମନ୍ଦିିର ଯତ୍ନକଲେ, ଚୂନରେ ଯତେନ ଲେପିଲେ ।ା
ମଙ୍ଗଳା ଦେବୀ ରୂପଲେଖି, ସମସ୍ତେ ମାନ୍ୟକଲେ ଦେଖି ।ା
ସାତ ବୋଇତ ଯେ ଦେଖିଲେ, ସାତସାଧବ ବସାଇଲେ ।ା
ତଅପୋଇକି ମଙ୍ଗକୋଣେ, ଦେଖି ହସିଲେ ଜଣେ ଜଣେ ।ା
ଅର୍ଥାତ୍ ପୂଜା ଘରଟିକୁ ପୂଜିକାମାନେ ଶୁଚି କରି ଚୂନରେ ଲେପିବେ । ପୂଜାପରେ ମଙ୍ଗଳାଙ୍କର ଚିତ୍ର ଲେଖିବେ ଅଥବା ଆଜିକାଲିକା ପରି ଭାଲୁକୁଣୀ ମୂର୍ତ୍ତି ବସାଇବେ, ସାତସାଧବ, ସାତ ବୋହୂ ଏବଂ ତଅପୋଇ ଓ ସାତ ବୋଇତର ଛବି ଆଙ୍କିବେ । ସେଦିନ ନିଷ୍ଠାର ସହିତ ଉପବାସ କରିବେ ।
ସେଦିନର କାର୍ଯ୍ୟକ୍ରମ ସଂପର୍କରେ ସୁନ୍ଦର ଚିତ୍ରଟିଏ ଲେଖକ ଗୋପିନାଥ ଦାସ ଦେଇଛନ୍ତି :
ପ୍ରଭାତରୁ ଉଠି ବାଳିକାମାନେ ମଙ୍ଗଳାମାତାଙ୍କୁ ସୁମରିମନେ ।
ଗେଲି, ଦୁଲି ଆଉ ଚମ୍ପା ଗଉରୀ ସୁଲୋଚନା ସହ ସକଳେମିଳି ।
ଡାକହାକ ହୋଇସରବେ ଗଲେ ଆନନ୍ଦ ମନରେ ଫୁଲ ତୋଳିଲେ,
ସ୍ନାହାନ ନିମନ୍ତେ ନଦୀକୁ ଯାଇ ସ୍ନାନସାରି ମନେ ମଙ୍ଗଳାଧ୍ୟାୟୀ ।
ଓଦାବସ୍ତ୍ରେ ନଦୀ କୂଳରେ ବସି ବାଲୁକା ପୂଜନ୍ତି ବାଳିକାମିଶି ।ା
ହସହସ ହୋଇ ଗୃହେ ଫେରିଲେ ବସ୍ତ୍ର ପାଲଟିଣ ଫୁଲଗୁନ୍ଥିଲେ ।
ଞ୍ଚ ଞ୍ଚ ଞ୍ଚ
ସୁନା ଚାଙ୍ଗୁଡ଼ିରେ ଅତି ଯତନେ ଭୋଗ ସାମଗ୍ରୀକୁ ରଖି ସୁମନେ ।ା
ମଙ୍ଗଳାଙ୍କ ପାଶେ ସକଳବାକି, ମନବାଞ୍ଛା ସଙ୍ଗେ ମନରେ ଭରି ।ା
ଆବୋରି ବସିଲେ ପୁରଗଣ, ପାଞ୍ଚପାଳି ଓଷା ହେଲା ସଂପୂର୍ଣ୍ଣ ।ା
ଅର୍ଥାତ୍ ଖୁବ୍ ଭୋରୁ ଝିଅମାନେ ଫୁଲ ତୋଳନ୍ତି । ଆବଶ୍ୟକମତେ ପୁଅମାନଙ୍କ ସାହାଯ୍ୟ ନେଇ ଥାଆନ୍ତି । ତା’ପରେ ଗାଧୋଇ ପାଧୋଇ ବାଲୁକାର ଗୋଟେ ମୂର୍ତ୍ତି ସେ ଜଳାଶୟ ପାଖେ ତିଆରି କରନ୍ତି ଏବଂ ଯଥାବିଧି ପୂଜନ୍ତି । ତା’ପରେ ଯାହାର ଯାହା ଇଚ୍ଛା ସେକଥା ମନାସନ୍ତି ଯେମିତି ମା’ ଝିଅ ଦେଉଳେ ବସିଲେ, ଯେଝା ଶୁଭ ଯିଏ ମନାସିଲେ । ଏମିତି ପାଞ୍ଚପାଳି ସଂପୂର୍ଣ୍ଣ ହୁଏ । ଶେଷପାଳି ରାତିପୂଜାପରେ ଭୋରୁ ଦିହୁଡ଼ି ଜାଳି ନାନା ହୋହାଲ୍ଲାରେ ମା’ଙ୍କୁ ବିସର୍ଜନ କରନ୍ତି ସେହି ଜଳାଶୟରେ ।
ଏହି ଓଷାରେ ମଙ୍ଗଳାଙ୍କୁ ଖୁଦ କୁଣ୍ଡାରେ ପିଠାକରି ତା’ ଦେହରେ ଖୁଦ ତଣ୍ଡୁଳ ପୁରଦେଇ ବାଡ଼ି ପୂଜା ଯାଉଥିବାରୁ ଏହି ଓଷାର ଅନ୍ୟନାମ ଖୁଦୁରୁକୁଣୀ ।
ଏହି ଓଷାରେ ମଙ୍ଗଳାଙ୍କର ମହିମା ଓ ସ୍ତୁତିଗାନ କରାଯାଇଛି । ଏହି କାହାଣୀଟି ଏକ ଆଖ୍ୟାନର ଉପଖ୍ୟାନ ଅଟେ । ଶ୍ରୀକୃଷ୍ଣ ତାଙ୍କ ପାଟରାଣୀ ସମେତ ଅନ୍ୟାନ୍ୟ ଦାସୀମାନଙ୍କୁ ତଅପୋଇ କାହାଣୀ ଶୁଣାଉଛନ୍ତି ଓ ତଅପୋଇ କିପରି ମଙ୍ଗଳାଙ୍କୁ ପୂଜି ମନବାଞ୍ଛା ପୂର୍ଣ୍ଣ କରିଛି ଦର୍ଶାଇଛନ୍ତି ।
ତନୟ ବୋଲି ଜଣେ ସାଧବ ଥିଲେ । ତାଙ୍କର ସାତପୁଅ, ସାତ ବୋହୂ ଏବଂ ଗୋଟିଏ ବୋଲି ଗେହ୍ଲୀ ଝିଅ ତଅପୋଇ ଥିଲା । ସେ ପୁଣି ସବୁଠୁ ସାନ । ତା’ ପ୍ରତି ସମସ୍ତଙ୍କର ବହୁ ସ୍ନେହ, ଶ୍ରଦ୍ଧା ଓ ଯତ୍ନ । ସେ ଚାହିଲାମାତ୍ରେ ସବୁକିିଛି ମିଳିଯାଉଥିଲା । ଅଭାବ ବୋଲି ତା’ପାଇଁ କିଛି ନଥିଲା ।
ଏକଦା ସେ ବାଂଉଶର କୁଲେଇ ଓ ଟୋକେଇ ଧରି ଖେଳୁଥିଲାବେଳେ, ଗୋଟିଏ ରାଣ୍ଡି ବ୍ରାହ୍ମଣୀ ଆସି ତାକୁ ଉସ୍‌କାଇ ଓ ପ୍ରବର୍ତ୍ତାଇ କହିଲା :
ତୋପରା ହୋଇଥିଲେ ମୁହିଁ, କରନ୍ତି ସୁବର୍ଣ୍ଣ କୁଲାଇ ।
ବାପ ମାଆଙ୍କୁ କରି ଦ୍ୱନ୍ଦ, କରାନ୍ତି ସୁବର୍ଣ୍ଣର ଚାନ୍ଦ ।ା
ବାସ୍ ଏତିକିରେ ତଅପୋଇ ରୁଷେ ଏବଂ ତା’ ପାଇଁ ସୁନାର କୁଲେଇ ଏବଂ ଚାନ୍ଦ ତିଆରି ହୁଏ ଆଉ :
ପିଅର ଅଧା ଚାନ୍ଦେ ଗଲେ, ମାତା ହିଁ ପୁରା ଚାନ୍ଦେ ମଲେ ।ା
ସାତଭାଇମାନେ ଏହାପରେ ବାଣିଜ୍ୟରେ ଯାଆନ୍ତି । ପୁନଶ୍ଚ ସେହି ରାଣ୍ଡି ବ୍ରାହ୍ମଣୀ ଆସି ବୋହୂମାନଙ୍କ ନିକଟରେ ଚକ୍ରାନ୍ତ କରେ । ତଅପୋଇ ଛେଳି ଜଗେ; ବଡ଼ ଭାଉଜଙ୍କର ଛେଳି ‘ଘରମଣି’ ହଜେ ଏବଂ ମଙ୍ଗଳାଙ୍କୁ ପୂଜାକରି ସେ ଛେଳି ପାଏ । ସାନ ଭାଉଜ ବ୍ୟତୀତ ଅନ୍ୟ ଭାଉଜମାନଙ୍କଠାରୁ ନର୍ଯ୍ୟାତନା ସହେ । ବିଶେଷକରି ବଡ଼ ଭାଉଜଙ୍କ ଠାରୁ ଅକଥନୀୟ ଯନ୍ତ୍ରଣା ଅଥଚ ସାନ ଭାଉଜ ତାଙ୍କୁ ଭାରି ଭଲପାଏ;
ନିଳେନ୍ଦ୍ରୀ ନାମେ ସାନ ବୋହୂ,
ତଅପୋଇର ପ୍ରିୟ ସେ ହଉ ।
ଛେଳି ଜଗାବେଳେ ସାନ ଭାଉଜ ତା’ ପାଳିରେ ମୁଠାଏ ଭଲକି ଖାଇବାକୁ ଦିଏ । ଅନ୍ୟମାନେ ତଳେ ମୂଷମାଟି ଇତ୍ୟାଦି ରଖି ତା’ ଉପରେ ପତର ବିଛାଇ ଗଣ୍ଡାଏ ଭାତ ଛିଞ୍ଚି ଦିଅନ୍ତି ।
ତଅପୋଇ ପୁଣି ମଙ୍ଗଳାଙ୍କୁ ପୂଜା କଲା । ତା’ ଭାଇମାନେ ଶୀଘ୍ର ଫେରିଆସନ୍ତୁ ବୋଲି ମନାସିଲା । ଫେରିଆସନ୍ତି ଭାଇମାନେ । ଘୋର ବନସ୍ତରେ ଦେଖାହୁଏ ରାତ୍ରିକାଳେ ସେମାନଙ୍କ ସହିତ । ସେ ଦୁଃଖ କୁହେ । ସେମାନେ ତା’କୁ ଗୋଟାଏ ତୀକ୍ଷ୍ଣ ଛୁରୀକାଦେଇ ବୋଇତର ଗୋଟେ କୋଣରେ ଠାକୁରାଣୀ କରି ବସାଇଲେ । ତା’ ଭାଉଜମାନେ ଯେତେବେଳେ ବୋଇତ ବନ୍ଦାଇବାକୁ ଆସିଲେ, ତଅପୋଇ ଭାଇମାନଙ୍କ କହିବାମତେ ସାନ ଭାଉଜକୁ ଛାଡ଼ି ଅନ୍ୟ ଛ’ଜଣଙ୍କ ନାକର ବଉଳି କାଟିଦିଏ । ସେମାନେ ଲଜ୍ଜିତ ହୋଇ ବନସ୍ତକୁ ଯାଇ ବାଘ ହାବୁଡ଼େ ପଡ଼ନ୍ତି । ସଜ୍ଞାହୀନ ହୁଅନ୍ତି । ବିରୂପା ନାଁରେ ଜଣେ ଶବର ମହାଦେବଙ୍କ ଦୟାରୁ ତାଙ୍କୁ ଜୀବନ୍ୟାସ ଦିଏ । ସେମାନେ ବାପ ଘରକୁ ଚାଲିଯାଆନ୍ତି ।
ଏପଟେ ତଅପୋଇର ବିବାହ ପାଇଁ ରତ୍ନାକର ନାମଧେୟ ଏକ ସୁନ୍ଦର ଏବଂ ଶୁଶ୍ରୀ ସାଧବ କୁମାର ସହିତ ଠିକ୍ କରାଗଲା ଏବଂ ଯଥାବିଧି ବିବାହ ସମ୍ପନ୍ନ ହେଲା । ଅଥଚ ସେ ତଅପୋଇକୁ ଭୋଗ କରିପାରିଲା ନାହିଁ । ତଅପୋଇ ସତରେ ଜଣେ ଅପସରୀ : ଗନ୍ଧର୍ବ ପତ୍ନୀ । ପୂର୍ବ ଅଭିଶାପରୁ ଷୋଳ ବର୍ଷଯାଏ ତାକୁ ମର୍ତ୍ତ୍ୟଦଣ୍ଡ ଥିଲା ଏବଂ ଅଷ୍ଟମଙ୍ଗଳା ଦିନ ଏହା ପୂର୍ଣ୍ଣ ହେଲା । ଗନ୍ଧର୍ବ ଆସି ତଅପୋଇକୁ ନେଇଗଲେ । ତଅପୋଇର ମର ଶରୀର ଏ ପୃଥିୀରେ ପଡ଼ିରହିଲା । ତଅପୋଇ ଯଥାର୍ଥରେ ଜଣେ ଅପସରୀ ହୋଇନଥିଲେ, ସେ କ’ଣ ମର୍ତ୍ତ୍ୟପୁରରେ ସୁନାକୁଲେଇ, ଚାନ୍ଦ ଏବଂ ହୀରା କଣ୍ଢେଇ ମାଗିଥା’ନ୍ତା?
ସାଧବ ସାତ ବୋହୂମାନେ ଫେରନ୍ତି । ସେମାନେ ମଙ୍ଗଳାଙ୍କ ମହିମା ଜାଣି ତାଙ୍କର ପୂଜା କରନ୍ତି । ତା’ପରେ…., ଏହି କ୍ରମରେ ଆଜିଯାଏଁ ଚାଲିଛି ଖୁଦୁରୁକୁଣୀ ଓଷା ।
ଓଷାଟିରେ ପିତାମାତାଙ୍କର ବାତ୍ସଲ୍ୟ ପ୍ରୀତି, ଭାଇ ଭଉଣୀମାନଙ୍କର ସ୍ନେହବନ୍ଧନ, ନଣନ୍ଦ-ଭାଉଜଙ୍କର ମଧୁର ଅଥବା ତିକ୍ତ ସଂପର୍କ, କୁଚକ୍ରୀମାନଙ୍କର ଘରଭଙ୍ଗା ନୀତି ଓ ଅସହିଷ୍ଣୁ ଭାବ ବେଶ୍ ବାରି ହୁଏ । ତା’ ସହିତ ମନୋରଞ୍ଜନ ଧର୍ମୀ, ଅପସରା କାହାଣୀ, ଏହିପରି ଆଉ କିଛି ଶିକ୍ଷଣୀୟ ଉପାଦାନ ଦେବା ସହିତ ଧାର୍ମିକ ଚେତନା ସୃଷ୍ଟି କରେ ଯାହାକି ନୈତିକ ମୂଲ୍ୟବୋଧର ପରିଚାୟକ ।
କର୍ପୁର ଯାଇଛି, କନା ପଡ଼ିରହିଛି । ତଅପୋଇ ପରି ଖୁଦୁରୁକୁଣୀ ଓଷା ଏବେ ପୁରୁଣା ହୋଇଗଲାଣି । ଆଧୁନିକତାର ଚାକଚକ୍ୟ ଏବଂ ସ୍ପର୍ଶରେ ଏହା ମଉଳିଗଲାଣି । ସାରଦିଆ ଫସଲପରି ଏବେ ଏହା ବାହାର ଚିକ୍କଣ, ଭିତର ରୋଗାକ୍ରାନ୍ତ । ନାଇଁ ଅଛି ମହକ, ନାଁ ଅଛି ଝଲକ । ଏହା ଏବେ ଏକ ସ୍ୱାଦହୀନ, ସରାଗହୀନ ବିଧି ପାଲଟିଛି; ଏଥିରେ ଶିକ୍ଷଣ ବା ରସାତ୍ମକ ବିଭବ କିମ୍ବା ମନୋରଞ୍ଜନଧର୍ମୀ ଆଉ କିଛି ନାହିଁ ।
ପ୍ରତିଟି ଓଷା ଓ ପର୍ବପର୍ବାଣୀ ପଛରେ ଏକ ନିହିତ ଉଦ୍ଦେଶ୍ୟ ଅଛି : ଧାର୍ମିକ ଚେତନା, ସାମାଜିକ ଜୀବନଯାପନ ପାଇଁ ଏକତା ମୈତ୍ରୀର ଭାବ ଏବଂ ଆହୁରି ଅନେକକିଛି ଅଥଚ ଆମେ ଆଜି କେତେ ଦୂରେଇ ଯାଇଛେ ଏମାନଙ୍କ ଠାରୁ! ଆମେ କ’ଣ ଆମ ପରମ୍ପରାକୁ ସତରେ ବୁଡ଼େଇଦେବା!

ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ