ତତଲା କଢେଇରେ ବେଲଗୁଣ୍ଠା ତାପମାତ୍ରା ୪୦ ଡେଇଁଲା

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଗୋଟିଏ ପଟେ ଜନସାଧାରଣଙ୍କ କରୋନା ବିପକ୍ଷରେ ଲଢ଼େଇ ଜାରିରହିଥିବାବେଳେ ଅନ୍ୟ ପଟେ ପ୍ରବଳ ଗ୍ରୀଷ୍ମପ୍ରବାହ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି ।ବେଲଗୁଣ୍ଠା ଓ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବଢିବା ସହ ଖରାବେଳେ ଝାଞ୍ଜିରେ ଜୀବନଜୀବିକା ପ୍ରଭାବିତ ହେଉଥିବା ଲକ୍ଷ୍ୟ କରାଯାଇଛି ।ବେଲଗୁଣ୍ଠା ଗଞ୍ଜାମ ଜିଲ୍ଲାର ଏକ ବ୍ୟବସାୟିକ ପେଣ୍ଠ ସ୍ଥଳୀ ଥିବା ବେଳେ କରୋନା ଲକ୍ ଡାଉନ୍ ପାଇଁ ଗତ ଦୁଇମାସ ହେବ ସହରରେ ବ୍ୟବସାୟ ସମ୍ପୂର୍ଣ୍ଣ ରୂପେ ମାନ୍ଦା ରହିଥିଲା ।କିନ୍ତୁ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ପାଇଁ କଟକଣା ଟିକେ କୋହଳ ହେବା ସହ ସକାଳ ୭ ରୁ ସଂଧ୍ୟା ୭ ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲା ।ହେଲେ ସକାଳୁ ସକାଳୁ ପ୍ରବଳ ଗରମ ସହ ଖରା ଆରମ୍ଭ ହେଉଯାଊଥିବାରୁ ଦିନ ୧୧ଟା ପରେ ସହର ଜନଶୁନ୍ୟ ହୋଇପଡୁଛି ।ଫଳରେ ବ୍ୟବସାୟ ମଧ୍ୟ ମାନ୍ଦା ରହୁଥିବା କିଛି ବ୍ୟବସାୟୀ ପ୍ରକାଶ କରିଛନ୍ତି ।ଏ ପଟେ ପ୍ରଶାସନ କରୋନା ଓ କ୍ୱରେଣ୍ଟାଇନ ଦାୟିତ୍ୱରେ ବ୍ୟସ୍ତ ରହିଥିବା ବେଳେ ସହରରେ ପ୍ରଶାସନ ତରଫରୁ ଜଳଛତ୍ରଟିଏ ମଧ୍ୟ ଖୋଲାଯାଇନାହିଁ ।ଏହା ଫଳରେ ବୁଲା ଗାଇଗୋରୁ,ପଥଚାରୀ ପାଣି ମୁନ୍ଦିଏ ପାଉନଥିବା ଦେଖିବାକୁ ମିଳିଛି ।ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସହରରେ କିଛି ମୁଖ୍ୟ ସ୍ଥାନରେ ଜଳଛତ୍ର ଖୋଲିବାକୁ ଅଞ୍ଚଳ ବାସି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ