ତୁମ୍ବ ଖୋଦେଇରେ ବିଶ୍ୱକର୍ମା କାରିଗର ନିମଗ୍ନ
ପୁରୀ(ଜୁଗାବ୍ଦ ନ୍ୟୁଜ୍): ଆସନ୍ତା ଜୁଲାଇ ମାସ ୪ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ସେଥିପାଇଁ ଚଳଚଞ୍ଚଳ ଶ୍ରୀନଅର ସମ୍ମୁଖ ରଥଖଳା । ବିଶ୍ୱକର୍ମା କାରିଗରମାନେ ତିନି ରଥ ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି । ଆଗାମୀ ଶୀତଳଷଷ୍ଠୀ ତିଥିରେ ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଥିଲା ବେଳେ ବର୍ତ୍ତମାନ ସୁଦ୍ଧା କୋଡିଏ ଚକ ନିର୍ମାଣ ସରିଯାଇଛି । ପ୍ରତିଦିନ ଚକ ନିର୍ମାଣ ସରିବା ପରେ ତୁମ୍ବକୁ ସାଇଜ୍ କରାଯାଇ ସେଥିରେ ଲୁହାର ପାତିଆ ଲଗାଯାଉଛି । ଏଥିସହ ଚକରେ ପହି ମଧ୍ୟ ସଂଯୋଗ କରାଯାଉଛି । ଚକ ନିର୍ମାଣ କାର୍ଯ୍ୟ ଶେଷ ହେଲା ରୂପକାର ସେବାୟତମାନେ ତାଙ୍କର ତୁଳିରେ ବିଭିନ୍ନ ରଙ୍ଗରେ ଚିତ୍ର ଅଙ୍କନ କରିଥାନ୍ତି । ଏସବୁ କାର୍ଯ୍ୟ ସୁରୁଖୁରୁରେ ଶେଷ ହେଲା ପରେ ପବିତ୍ର ଶୀତଳଷଷ୍ଠୀରେ ତିନି ରଥର ଚକ ଡେରା ନୀତି ସମ୍ପାଦନ ହେବ । ଅନ୍ୟପକ୍ଷରେ ମହାରଣା ସେବାୟତଙ୍କୁ ଏହି ଚକ ନିର୍ମାଣ କରିବାରେ ଶତପ୍ରତିଶତ ସହଯୋଗ କରୁଛନ୍ତି ଭୋଇ ସେବାୟତ । ମହାରଣା ସେବାୟତଙ୍କ ଠାରୁ ଆରମ୍ଭ କରି ଭୋଇ ସେବାୟତ, ରୂପକାର ସେବାୟତ ଓ କମାରଶାଳରେ କାର୍ଯ୍ୟ କରୁଥିବା ସେବାୟତ ନିଷ୍ଠାର ସହିତ ତିନି ରଥ ନିର୍ମାଣ କରିବାରେ ଲାଗିଛନ୍ତି । ଯେପରି ମହାପ୍ରଭୁଙ୍କ କାର୍ଯ୍ୟ ରୀତିନୀତି ଅନୁସାରେ ସମାପନ ହେବ ତାହାକୁ ଲକ୍ଷ୍ୟ କରି କାର୍ଯ୍ୟ କରାଯାଉଥିବା କହିଛନ୍ତି ରବି ଭୋଇ ।


