ଦଣ୍ଡ ଯାତ୍ରାକୁ ଅନୁମତି, ଅପେରା ବନ୍ଦ

ବ୍ରହ୍ମପୁର, (କେ. ଅନିଲ କୁମାର) :ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା କେବଳ ପାରମ୍ପରିକ ରୀତିରେ ଆୟୋଜିତ ହେବ । ଯାତ୍ରା ସମୟରେ ହେଉଥିବା ଅପେରାକୁ ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏଥିସହିତ ଶିବରାତ୍ରରେ ଭକ୍ତଙ୍କୁ ମନ୍ଦିର ଯିବାକୁ ହେଲେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଦଣ୍ଡ ଏବଂ ଜାଗର ଯାତ୍ରା ଲାଗି ଗାଇଡଲାଇନ୍‌ ସମ୍ପର୍କରେ ଆଜି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନଫେରନ୍ସି କରାଇଛନ୍ତି ।କୋଭିଡ଼ ନିୟମ ଅନୁପାଳନ କରି କେବଳ ଦଣ୍ଡନାଚ ହେବ । ଦୁଇଶହ ଲୋକଙ୍କ ମଧ୍ୟରେ ସିମୀତ ରଖି କେବଳ ମାନସିକ ଦଣ୍ଡଯାତ୍ରା ହେବ । ଆୟୋଜକ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଅନୁମତି ନେଇ ଦଣ୍ଡନାଚ କରିବେ । ଅନ୍ନ ପ୍ରସାଦ ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରିବେ ନାହିଁ । ମାନସିକଧାରୀ ଦିନକୁ ଥରେ ମାତ୍ର ରାତ୍ର ସମୟରେ ଯେଉଁ ପ୍ରସାଦ ପ୍ରସ୍ତୁତ କରି ସେବନ କରନ୍ତି ତାହା ହିଁ ସେବନ କରିବା ନିମନ୍ତେ ଜିଲ୍ଲାପ୍ରଶାସନ ଅନୁମତି ଦେଇଛନ୍ତି । ଦଣ୍ଡଯାତ୍ରା ବେଳେ ଟ୍ରାଫିକ୍‌ ସମସ୍ୟା ଯେପରି ହେବନାହିଁ । ଡିଜେ ଓ ଅପେରାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତହସିଲଦାର, କାର୍ଯ୍ୟ ନର୍ବାହୀ ଅଧିକାରୀ ଏବଂ ଭାରପ୍ରାପ୍ତ ଥାନାଧିକାରୀଙ୍କୁ ନେଇ ଲୋକ ପ୍ରତିନିଧି ଏବଂ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ଏ ସମସ୍ତ ବିଷୟ ଅବଗତ କରାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ ଦ୍ୱାରା ହିଁ ଦଣ୍ଡ ହେବ, ବାହାର ରାଜ୍ୟରୁ କିମ୍ବା ବାହାର ଜିଲ୍ଲାର ଲୋକଙ୍କୁ ଏଥିରେ ସାମିଲ୍‌ କରିବାକୁ ବାରଣ କରାଯାଇଛି । ଜିଲ୍ଲା ବାହାରୁ ଲୋକେ ଯେମିତି ଆସିବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ । ଶିବରାତ୍ର ଜାଗର ନିମନ୍ତେ ମଧ୍ୟ କଟକଣା ଜାରି କରାଯାଇଛି । ମାସ୍କ ନାହିଁ ତ ମନ୍ଦିର ମଧ୍ୟକୁ ପ୍ରବେଶ ନାହିଁ । କେବଳ ଜିଲ୍ଲା ଲୋକଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ରହିବ । ଜନସାଧାରଣଙ୍କ ସକାଶେ ଗହଳିପୂର୍ଣ୍ଣ ଭଜନ ସମାରୋହକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କୋଭିଡ୍‌ ସଂକ୍ରମିତ ଲକ୍ଷଣ ଥିବା ବ୍ୟକ୍ତି, ଗର୍ଭବତୀ ଓ ଶିଶୁଙ୍କୁ ମନ୍ଦିର ଯିବାକୁ ବାରଣ କରାଯାଇଛି । ମନ୍ଦିର ମଧ୍ୟରେ ଭୋଗ ବଣ୍ଟନ ଓ ପ୍ରସାଦ ସେବନ ହେବ ନାହିଁ । ଠିକ ସେହିଭଳି ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମାଁ ତାରା ତାରିଣୀଙ୍କର ଚୈତ୍ର ମାସର ପର୍ବ ସକାଶେ ମଧ୍ୟ ପ୍ରଶାସନ ତରଫରୁ ଗାଇଡଲାଇନ୍‌ ଜାରି କରାଯିବ । ସକାଳ ୬ ଘଣ୍ଟାଠାରୁ ସନ୍ଧ୍ୟା ୫ ଘଣ୍ଟା ମଧ୍ୟରେ ଭକ୍ତଗଣ ମାଁଙ୍କର ଦର୍ଶନ କରିପାରିବେ । ମାଁଙ୍କ ପୂଜା ସକାଶେ ଯାହା ନୀତି ନିୟମ ରହିଛି ତାହା ପାଳନ କରାଯିବ । କୋଭିଡ୍‌ ନିୟମ ଅନୁପାଳନ କରାଯାଇ କେବଳ ଗଞ୍ଜାମ ଜିଲ୍ଲା ବାସୀ ମାଁ ଙ୍କର ଦର୍ଶନ ଲାଭ କରିପାରିବେ । ମନ୍ଦିର ଉପର ସ୍ଥାନରେ କୌଣସି ଦୋକାନ ରହିବ ନାହିଁ , ପ୍ରସାଦ ବଣ୍ଟନ ଓ ସେବନ ତଳେ କରାଯିବ ।  ବିଶୃଙ୍ଖଳାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଜିଲ୍ଳାପାଳ ଏହି ଭିଡ଼ିଓ କନଫେରେନ୍ସିରେ ସୂଚିତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ