ଦଶହରା ଉତ୍ସବର ଅନ୍ତିମ ପର୍ବ ଗୋସାଣୀ ଯାତ୍ରା

ସନ୍ତୋଷ କୁମାର ଦାଶ
ପ୍ରାଚୀନ ସମୟରୁ ଭାରତୀୟ ସଂସ୍କୃତି ଓ ପରମ୍ପରା ସହିତ ଶାକ୍ତ ଉପାସନା ସଂଶ୍ଳିଷ୍ଟ ହୋଇ ରହି ଆସିଛି। ଐତିହାସିକ ତଥା ଗବେଷକ ମାନଙ୍କ ମତରେ ଶାକ୍ତ ଉପାସନା ପ୍ରାୟ ଖ୍ରୀ.ପୂ.୩୦୦ ରୁ ଆରମ୍ଭ ହୋଇଥିବାବେଳେ ତନ୍ତ୍ର ଯୁଗରୁ ଓ ଉପନିଷଦ ଓ ଯୁଗରୁ ଆଦ୍ୟା ଶକ୍ତି ଭାବେ ଦେବୀ ଦୁର୍ଗା ଙ୍କୁ ପୂଜା କରା ଯାଇ ଆସୁଛି। ଆମ ରାଜ୍ୟ ର ବିରଜା ପୀଠ ( ଯାଜପୁର)ଓ ବିମଳା ଙ୍କ ପୀଠ (ଶ୍ରୀ କ୍ଷେତ୍ର) ପ୍ରସିଦ୍ଧ ଶକ୍ତି ପୀଠ ଭାବେ ସାରା ଭାରତ ବର୍ଷ ରେ ପ୍ରସିଦ୍ଧି ଲାଭ କରିଥିଲା। ପରେ ପରେ ସାରା ଓଡ଼ିଶା ରେ ଶକ୍ତି ପୂଜା ପ୍ରଚାର ଓ ପ୍ରସାର ଲାଭ କରିଥିଲା । ଶାକ୍ତ ଉପାସନା ରେ ମୁଖ୍ୟତଃ ମହା ଲକ୍ଷ୍ମୀ, ମହା କାଳୀ, ମହା ସରସ୍ଵତୀ ଦେବୀ ଙ୍କୁ ପୂଜା କରା ଯାଉଥିଲା। କେତେକ ଶାକ୍ତ ସାଧକ ଙ୍କ ମତରେ
ଶ୍ରୀ ଜଗନ୍ନାଥ ହେଉଛନ୍ତି ସ୍ଵୟଂ ଦକ୍ଷିଣକାଳୀ। ଆଉ କେତେକଙ୍କ ମତରେ ମା ବିମଳା ହେଉଛନ୍ତି ଭୈରବୀ ଓ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭୈରବ। ଶ୍ରୀ ଜଗନ୍ନାଥ ଉପାସନା ସହିତ ଶାକ୍ତ ଗୁଣ୍ଡିଚା ଓ ଗୋସାଣୀ ଯାତ୍ରା ଓତଃପ୍ରୋତଃ ଭାବେ ଜଡ଼ିତ।
ଶାରଦୀୟ ପାର୍ବଣପୂଜା ଅବସରରେ ଶ୍ରୀ କ୍ଷେତ୍ର ପୁରୀର ଗୋସାଣୀ ଉପାସନା ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି। ଶ୍ରୀ କ୍ଷେତ୍ର ପୁରୀର ବିଭିନ୍ନ ଜାଗା, ଆଖଡ଼ା ଓ ବିଭିନ୍ନ ସାହି ମାନଙ୍କରେ ଦେବୀ ଦୂର୍ଗା ଙ୍କ
ପ୍ରତିରୂପ ଗୋସାଣୀ ମାନଙ୍କୁ ଭକ୍ତି ଓ ନିଷ୍ଠାର ସହିତ ପୂଜା କରା ଯାଇଥାଏ। ଏହି ଗୋସାଣୀ ମାନଙ୍କ ନିର୍ମାଣ ଶୈଳୀ ସ୍ଵତନ୍ତ୍ର ଓ ଅନନ୍ୟ ଅଟେ। ଗୋସାଣୀ ମାନଙ୍କ ମଧ୍ୟରେ ବୃହତାକାୟ ନାଗା ମାନଙ୍କୁ ସାମିଲ କରାଯାଇ ପୂଜା କରାଯାଉଥିବା ପରମ୍ପରା ରହିଛି। ଗୋସାଣୀ ଯାତ୍ରା ଶ୍ରୀ କ୍ଷେତ୍ର ପୁରୀ ଠାରେ ପାଳନ ହେଉଥିବା ଶାରଦୀୟ ଦୁର୍ଗା ପୂଜାର ଅନ୍ତିମ ପର୍ବ। ସାଧାରଣତଃ ଗୋସାଣୀ ପ୍ରତିମା ମାନଙ୍କୁ ବନ ଦୂର୍ଗା ମନ୍ତ୍ର ରେ ପୂଜା କରା ଯାଉଥିବା ବିଭିନ୍ନ ପଣ୍ତିତ ମାନେ ସୂଚନା ଦେଇଛନ୍ତି। ପ୍ରାୟ ୫୦୦ ବର୍ଷ ହେଲା ଶ୍ରୀ କ୍ଷେତ୍ର ପୁରୀରେ ଗୋସାଣୀ ଉପାସନା ଚାଲି ଆସୁଥିବା ଗବେଷକ ମାନେ ମତ ପ୍ରକାଶ କରିଛନ୍ତି। ଗୋସାଣୀ ମାନଙ୍କୁ ସାଧାରଣତଃ ମହାସପ୍ତମୀ, ମହା ଅଷ୍ଟମୀ, ମହାନବମୀ ଏହି ୩ ଦିନ
ଧରି ପୂଜା କରାଯାଉଥିବା ବେଳେ ଶୀତଳ ଓ ଶଙ୍ଖୁଡ଼ି ଭୋଗ ଲାଗି କରା ଯାଇଥାଏ। ମା ବିମଳାଙ୍କ ପ୍ରତିନିଧି ରୂପେ ଶ୍ରୀ ମନ୍ଦିର ବାହାରେ ପୂଜା ପାଉଥିବା ଗୋସାଣୀ କାକୁଡ଼ି ଖାଇଙ୍କୁ ଦଶହରା ଦିନ ରାତିରେ ନଦୀ ଜଳ ରେ ବିସର୍ଜନ କରା ଯାଉଥିବାବେଳେ ବାରବାଟି, ଜହ୍ନି ଖାଇ, ହଜୁରା ଗୋସାଣୀ, ବନଦୂର୍ଗା, ଖେଲବାଇ, ଶୂନ୍ୟ ଗୋସାଣୀ, ଜହ୍ନି ମୁଣ୍ଡିଆ, ମହତେଶ୍ୱରୀ, ଚକ୍ରକୋଟ, କୈଳାସ ପର୍ବତ (ବଡ଼ ଆଖଡ଼ା ଜାଗା)ର ଶିବପାର୍ବତୀ,ବୁଢ଼ା ବୁଢ଼ୀ ,ସମ୍ପାତ୍ତି , ବିଭିନ୍ନ ପ୍ରାଚୀନ ସାହି ର ବିଶାଳକାୟ ନାଗା ମୂର୍ତ୍ତୀ ମାନ ଏକାଦଶୀ ଦିନ ସନ୍ଧ୍ୟା ରେ ଶ୍ରୀ ମନ୍ଦିର ସମ୍ମୁଖରେ ଏକତ୍ରୀତ ହେବା ପରେ ଗୋସାଣୀ ମେଳଣ ଅନୁଷ୍ଠିତ ହୋଇଥାଏ ଯାହା ବେଶ ଆକର୍ଷଣୀୟ ଓ ଉପଭୋଗ୍ୟ ହୋଇଥାଏ। ବିଭିନ୍ନ ରଙ୍ଗୀନ ଜରି,ଆକର୍ଷଣୀୟ ମେଢ଼, ଜମ୍ବୁରା ରେ ସଜ୍ଜିତ ଗୋସାଣୀ ମାନଙ୍କୁ ଦର୍ଶନ କରିବାକୁ ଶ୍ରୀ କ୍ଷେତ୍ର ପୁରୀରେ ପ୍ରବଳ ଭିଡ଼ ଲାଗିଥାଏ। ଗୋସାଣୀ ମାନେ ଜଣଙ୍କ ପରେ ଜଣେ ଶୋଭାଯାତ୍ରା ଯାଇ ବିସର୍ଜନ ହୋଇ ଥାନ୍ତି। ଶେଷ ହୋଇଥାଏ ଶ୍ରୀ କ୍ଷେତ୍ର ପୁରୀର ଶାରଦୀୟ ପାର୍ବଣ ପୂଜା।
୯୪୩୯୩୬୧୮୮୮


