ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ମହାସଂଘର ଆନ୍ଦୋଳନ ଶନିବାର ଷଷ୍ଠ ଦିନରେ ପହଞ୍ôଚଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୨୦ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଲୋୟର ପିଏମ୍ଜି ଠାରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ରାଲି, ବିକ୍ଷୋଭ ପ୍ରଦର୍ଶନ କରି ଦାବି ପୂରଣ ପାଇଁ ସରକାରଙ୍କ ନିକଟରେ ନିବେଦନ କରିଥିଲେ । ଆଲୋଚନା ପାଇଁ ସରକାର ମହାସଂଘର ପ୍ରତିନିଧି ମଣ୍ଡଳୀଙ୍କୁ ଡ଼ାକିଥିଲେ ମଧ୍ୟ, ସମାଧାନର ବାଟ ନ ବାହାରିବାରୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମନରେ ଗଭୀର ଆଘାତ ଦେଇଛି । ଯାହାଫଳରେ ମହାସଂଘ ଲୋୟର ପିଏମ୍ଜିରେ ଶୀତ କାକରକୁ ଖାତିର ନକରି ଦିବାରାତ୍ର ଆନ୍ଦୋଳନ ଓ ଗଣଧାରଣା ଜାରି ରଖିଛି । ଯେପର୍ଯ୍ୟନ୍ତ ସରକାର ମହାସଂଘର ଦାବିଗୁଡ଼ିକୁ ସହୃଦୟତାର ସହ ବିଚାର କରି ଦାବି ପୂରଣ ଦିଗରେ ପଦକ୍ଷେପ ନ ନିଅନ୍ତି, ସେପର୍ଯ୍ୟନ୍ତ ମହାସଂଘ ତାର ବିକ୍ଷୋଭ ଓ ଗଣଧାରଣା ଜାରି ରଖିବ ବୋଲି ମହାଂସଘର ସଭାପତି ଶରତ ଚନ୍ଦ୍ର ନାୟକ ଚେତାବନୀ ଦେଇଛନ୍ତି । ଶନିବାର ଦିନ ପୁରୁଣା ବର୍ଷ ବିଦାୟ ନେଇ, ରବିବାର ଦିନ ନୂତନବର୍ଷ ପଦାର୍ପଣ କରିବ । ରାଜ୍ୟ ସରକାର ମହାସଂଘର ଦାବିଗୁଡ଼ିକୁ ବିଚାରକୁ ନେଇ ପ୍ରାଥମିକ (ଏକ୍ସ-କ୍ୟାଡ଼ର) ଶିକ୍ଷକ ଶିକ୍ଷୟିତୀମାନଙ୍କୁ ନୂତନ ବର୍ଷର ଭେଟି ପ୍ରଦାନ କରନ୍ତୁ ବୋଲି ମହାସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ଖମାରି, ରଞ୍ଜୁ ଅମାତ, ପ୍ରମୋଦ ବେହେରା, ବିଜୟ ମିଶ୍ର, ବିଶ୍ୱରଞ୍ଜନ ଦାସ ପ୍ରମୁଖ ନିବେଦନ କରିଛନ୍ତି ।


