ଦିନରେ ଖାଆନ୍ତୁ ରୁଟି
ଲୋକେ ଯେତେବେଳେ ଓଜନ ହ୍ରାସ କରିବା ଲାଗି ଡାଏଟିଂ କରିଥାନ୍ତି, ସେତେବେଳେ ସବୁଠାରୁ ଅଧିକ ରୁଟି ଉପରେ ଧ୍ୟାନ ଦେଇଥାନ୍ତି। ଏଥିରେ କାର୍ବୋହାଇଡ୍ରେଟ୍ ପ୍ରଚୁର ମାତ୍ରାରେ ଥିବାରୁ ଅଧିକାଂଶ ଲୋକ ଭାବନ୍ତି ରୁଟି କିମ୍ବା ଚପାତି ଖାଇବା ଦ୍ବାରା ସେମାନଙ୍କ ଓଜନ ବଢ଼ୁଛି। ତେଣୁ ସେମାନେ ରୁଟି ଖାଇବା କମ୍ କରି ଦିଅନ୍ତି। ଆପଣ ମଧ୍ୟ କ’ଣ ଠିକ୍ ଏଇଆ ଭାବୁଛନ୍ତି କି? ଚାଲନ୍ତୁ ଜାଣିବା ଜଣେ ବ୍ୟକ୍ତିଙ୍କୁ ଦିନରେ କେତୋଟି ରୁଟି ଖାଇବା ଉଚିତ।
ରୁଟିରେ କେବଳ କାର୍ବୋହାଇଡ୍ରେଟ୍ ନାହିଁ, ଏଥିରେ ପ୍ରୋଟିନ୍ ଓ ଫାଇବର ମଧ୍ୟ ରହିଛି। ଏହା ଏପରି ଦୁଇଟି ପୋଷକତତ୍ତ୍ବ ଯାହା ସେବନ କରିବା ନିହାତି ଦରକାର। ଗୋଟିଏ ୬ ଇଞ୍ଚର ରୁଟିରେ ୧୫ ଗ୍ରାମ୍ କାର୍ବୋହାଇଡ୍ରେଟ୍, ୩ ଗ୍ରାମ୍ ପ୍ରୋଟିନ୍ ଏବଂ ୦.୪ ଗ୍ରାମ୍ ଫାଇବର ରହିଛି।
ଯଦି ଆପଣ ଓଜନ ହ୍ରାସ କରିବା ଲାଗି ଡାଏଟିଂ କରୁଛନ୍ତି, ତେବେ ଦିନରେ କେତେ କାର୍ବୋହାଇଡ୍ରେଟ୍ ଗ୍ରହଣ କରିବେ ତାହା ଜାଣିବା ନିହାତି ଦରକାର। ଯଦି ଆପଣ ଗୋଟିଏ ଦିନରେ ୨୫୦ ଗ୍ରାମ୍ କାର୍ବୋହାଇଡ୍ରେଟ୍ ଗ୍ରହଣ କରିବାକୁ ଚାହୁଛନ୍ତି ଏବଂ ରୁଟିରୁ ୭୫ ଗ୍ରାମ୍ କାର୍ବୋହାଇଡ୍ରେଟ୍ ଗ୍ରହଣ କରିବାକୁ ଚାହୁଛନ୍ତି ତେବେ ଆପଣ ଦିନରେ ୫ଟି ରୁଟି ଖାଇପାରିବେ। କିନ୍ତୁ ମନେରଖନ୍ତୁ ଚିନି, କ୍ଷୀର ଏବଂ ସୋଡ଼ା ମାଧ୍ୟମରେ ମଧ୍ୟ ଶରୀରକୁ କାର୍ବୋହାଇଡ୍ରେଟ୍ ମିଳିଥାଏ।
ଓଜନ ହ୍ରାସ କରିବାର ସବୁଠାରୁ ଉପଯୁକ୍ତ ନିୟମ ଏବଂ ବିଶେଷଜ୍ଞଙ୍କ ଅନୁସାରେ ରୁଟି ଯଥାସମ୍ଭବ ଦିନରେ ଖାଇବା ଉଚିତ। ଆପଣ ଚାହିଲେ ମଧ୍ୟାହ୍ନ ଭୋଜନ କିମ୍ବା ସନ୍ଧ୍ୟା ୪ଟା ଭିତରେ ରୁଟି ଖାଇବା ଉଚିତ। ମାତ୍ର ସନ୍ଧ୍ୟା ପରେ ଆପଣଙ୍କୁ କାର୍ବୋହାଇଡ୍ରେଟ୍ ଗ୍ରହଣ କମ୍ କରିଦେବା ଉଚିତ।
ମୋଟାମୋଟି ଭାବେ ଦେଖିବାକୁ ଗଲେ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାରର ନିୟମ ଲାଗୁ ହୋଇ ନ ଥାଏ। ଆପଣଙ୍କୁ ଗୋଟିଏ ଦିନରେ କେତୋଟି ରୁଟି ଖାଇବା ଉଚିତ ତାହା ଆପଣଙ୍କ ଶରୀରକୁ କେତେ ମାତ୍ରାରେ କାର୍ବୋହାଇଡ୍ରେଟ୍ ଦରକାର ତାହା ଆପଣଙ୍କ ଓଜନ ଉପରେ ନିର୍ଭର କରେ।


