ଦିନେ ଥିଲେ ସହକର୍ମୀ, ଆଜି ରାଜନୈତିକ ଶତ୍ରୁ
୨ଠ୧୯ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ବିହାର ପାଇଁ ବିଜେପିର ପ୍ରାର୍ଥୀପତ୍ର ପ୍ରକାଶ ପାଇଥିବା ବେଳେ ବିଦ୍ରୋହୀ ନେତା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କୁ ସ୍ଥାନ ମିଳିନାହିଁ । ଶତ୍ରୁଘ୍ନଙ୍କ ଆସନରୁ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପ୍ରାର୍ଥୀ ଭାବେ ବିଜେପି ଟିକଟ ଦେଇଛି । ଫଳରେ ବିଜେପି ଜାଣିଶୁଣି ଶତ୍ରୁଘ୍ନଙ୍କୁ ପ୍ରାର୍ଥୀ ତାଲିକାରୁ ବାଦ୍ ଦେଇଥିବା ସ୍ପଷ୍ଟ ହୋଇଯାଇଛି । ତେବେ କେବଳ ଶତ୍ରୁଘ୍ନ ନୁହଁନ୍ତି ବିଜେପି ବିହାରର କୌଣସି ଆସନରୁ ମଧ୍ୟ ଦଳର ଅନ୍ୟତମ ବରିଷ୍ଠ ନେତା ଶହନୱାଜ ହୁସେନ୍ଙ୍କୁ ମଧ୍ୟ ଟିକଟ୍ ଦେଇନାହିଁ । ବିହାରରେ ମେଣ୍ଟ କରିଥିବା ବିଜେପି-ଜେଡିୟୁ-ଏଲ୍ଜେପି ପକ୍ଷରୁ ରାଜ୍ୟର ମୋଟ୍ ୪ଠଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଏନ୍ଡିିଏ ପ୍ରାର୍ଥୀ ତାଲିକାରେ ବିଜେପିର ଏହି ଦୁଇ ହେଭିୱେଟ୍ ନେତାଙ୍କୁ ସ୍ଥାନିତ କରାଯାଇନାହିଁ ।ପ୍ରକାଶ ଯେ ନିକଟରେ ଶତ୍ରୁଘ୍ନ ସିହ୍ନା ଏକ ସାମ୍ବାଦିକ ସମ୍ମିଳନୀରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ । ସେ କହିଥିଲେ ଯେ, ଆସନ୍ନ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକଟରେ ସେ ପାଟନାସାହିବରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେହିପରି ୨୨ତାରିଖରେ ପାଟନାରେ ଆୟୋଜିତ ହୋଇଯାଇଥିବା ମହାମେଣ୍ଟ (କଂଗ୍ରେସ-ଆରଜେଡି) ପ୍ରକ୍ରିୟାରେ ମଧ୍ୟ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବେ ବୋଲି କହିଥିଲେ । ମାତ୍ର ସେ ସାମିଲ ହୋଇନଥିଲେ । ସେ ହୁଏତ ବିଜେପିର ପ୍ରାର୍ଥୀ ତାଲିକାକୁ ଅପେକ୍ଷା କରିଥିଲେ । ମାତ୍ର ଆଜି ସବୁ କିଛି ସ୍ପଷ୍ଟ ହୋଇଯାଇଛି । ଅନ୍ୟପକ୍ଷେ ବିହାରରେ ବିଜେପି ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା ଚଳାଇଥିବା ବେଳେ ଶତ୍ରୁଘ୍ନ ହିଁ ଏବେ ଦଳ ସାମ୍ନାରେ ଶତ୍ରୁ ଭାବେ ଉଭା ହୋଇଛନ୍ତି ବୋଲି ମତପ୍ରକାଶ ପାଇଛି । ରବିଶଙ୍କର ଓ ଶତ୍ରୁଘ୍ନ ଦିନେ ବିଜେପିରେ ରହି ସହଯୋଗୀ ସାଜିଥିବା ବେଳେ ଆଜି ରାଜନୈତିକ ମୈଦାନରେ ଶତ୍ରୁ ସାଜିବାକୁ ଯାଉଛନ୍ତି ବୋଲି ମତ ପ୍ରକାଶ ପାଇଛି ।ବିହାରର ପାଟନାସାହିବ ଆସନରୁ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶତ୍ରୁଘ୍ନ ଗତ କିଛି ବର୍ଷ ଧରି ବିମୁଦ୍ରୀକରଣ, ଜିଏସ୍ଟି ତଥା ରାଫେଲ ଭଳି ପ୍ରସଙ୍ଗରେ ନିଜ ଦଳ ଓ ଦଳୀୟ ନେତୃବୃନ୍ଦଙ୍କୁ ସିଧାସଳଖ ସମାଲୋଚନା କରିଆସୁଥିଲେ । ଏନେଇ ବିଜେପିର କେନ୍ଦ୍ରୀ ନେତା ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିଲେ । ଫଳରେ ତାଙ୍କୁ ଚଳିତ ନିର୍ବାଚନରେ ବିଜେପି ପକ୍ଷରୁ ଟିକଟ ମିଳିବା ନେଇ ଆଶଙ୍କା କରାଯାଉଥିଲା । ତେବେ ନିକଟରେ ବିହାର ପାଇଁ ବିଜେପି ନିଜ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିଥିବା ବେଳେ ଅନୁମାନସ୍ୱରୂପ ଶତ୍ରୁଘ୍ନଙ୍କୁ ପାଟନାସାହିବରୁ ପ୍ରାର୍ଥୀ ଭାବେ ସାମିଲ କରାଯାଇନଥିଲା । ପୂର୍ବରୁ ଯେକୌଣସି ପରିସ୍ଥିତିରେ ମଧ୍ୟ ପାଟନାସାହିବ ଆସନରୁ ପ୍ରାର୍ଥୀ ହେବା ନେଇ ଦୃଢ଼ୋକ୍ତି ପ୍ରକାଶ କରିସାରିଥିବା ଶତ୍ରୁଘ୍ନ ଶେଷରେ କଂଗ୍ରେସରେ ସାମିଲ ହୋଇ ଚଳିତ ଲୋକସଭା ନିର୍ବାଚନ ଲଢ଼ିବା ସମ୍ପର୍କରେ ଘୋଷଣା କରିଛନ୍ତି ।


