ଦିବ୍ୟ ଜୀବନ ସଂଘର ଚକ୍ଷୁ ଚିକିତ୍ସା ଶିବିର ସହ ଏକ ଦିବସୀୟ ସାଧନା ଦିବସ
ବ୍ରହ୍ମପୁର : ସିଦ୍ଧାର୍ଥ ନଗରସ୍ଥିତ ଦିବ୍ୟ ଜୀବନ ସଂଘ, ବ୍ରହ୍ମପୁର ମୁଖ୍ୟ ଶାଖାରେ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ରଥ ଓ ସମ୍ପାଦକ କପିଳେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ରୁବି ଚକ୍ଷୁ ଚିକିତ୍ସାଳୟର ମିଳିତ ସହଯୋଗରେ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା । ଶିବିରରେ ରୁବି ଚକ୍ଷୁ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞମାନଙ୍କ ଦ୍ୱାରା ରୋଗୀଙ୍କର ଚକ୍ଷୁ ଚାପ ପରୀକ୍ଷା, ଡ଼ାଇବେଟିଜ୍ ଏବଂ ରେଟିନୋପାଥିର ଚିହ୍ନଟ କରାଯାଇଥିଲା । ଆଶ୍ରମର ଭକ୍ତ ଏବଂ ସ୍ଥାନୀୟ ବାସିନ୍ଦା ପ୍ରାୟ ୧୫୦ ଜଣ ଚକ୍ଷୁରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଚକ୍ଷୁର ବିଭିନ୍ନ ସମୟରେ ପରୀକ୍ଷା, ତଥା ଖାଦ୍ୟ ନିୟନ୍ତ୍ରଣ ଦ୍ୱାରା ମଧୂମେହ ରୋଗର ନିରାକରଣ ଏବଂ ବିଭିନ୍ନ ପ୍ରକାର ଯୋଗାସନ ମାଧ୍ୟମରେ ଚକ୍ଷୁର ଯତ୍ନ ତଥା ଚକ୍ଷୁ ରୋଗର ନିରାକରଣ ବିଷୟରେ ଚକ୍ଷୁ ବିଶେଷଜ୍ଞ ପ୍ରଫେସର ନାଗେଶ୍ୱର ରାଓ ସମସ୍ତଙ୍କୁ ବୁଝାଇଥିଲେ । ଠିକ୍ ସେହିପରି ଆଶ୍ରମ ପରିସରରେ ସରୋଜ କୁମାର ପ୍ରଧାନଙ୍କ ଜନ୍ମ ଦିବସ ପାଳନ କରିବା ସହ ଆଶ୍ରମର ପ୍ରାର୍ଥନା ଭବନରେ ଏକ ବିଶେଷ ସତ୍ସଙ୍ଗ ତଥା ସାଧନ ଦିବସର ଆୟୋଜନ କରାଯାଇଥିଲା । ଏଥିରେ ସଂଘର ଉପଦେଷ୍ଟା ଉପେନ୍ଦ୍ର କୁମାର ପାଣିଗ୍ରାହୀ, ଶ୍ରୀମଦ୍ ଭଗବତ୍ ଗୀତାର ସ୍ଥିତପ୍ରଜ୍ଞର ଲକ୍ଷଣ ବିଷୟରେ ଭକ୍ତମାନଙ୍କୁ ବୁଝାଇଥିଲେ । ଭକ୍ତମାନେ ବିଷ୍ଣୁ ସହସ୍ର ନାମ, ଶ୍ରୀରାମ ଚରିତ ମାନସ ଏବଂ ଗୁରୁଦେବ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ବାଣିକୁ ପ୍ରଚାର ପ୍ରସାର କରିବା ସହ ସମସ୍ତଙ୍କୁ ସାଧନା କରିବା ପାଇଁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ପୁଷ୍ପଲତା ସ୍ୱାଇଁ, ପ୍ରତୀମା ବିଶ୍ୱାଳ ଏହାର ମୁଖ୍ୟ ଆୟୋଜକ ଥିଲେ । ଏଥିରେ କବିସୂର୍ଯ୍ୟ ଦତ୍ତ, ଅରୁଣ କୁମାର ମହାନ୍ତି, ପୁରୋହିତ ଦଣ୍ଡପାଣି ମିଶ୍ର, ଦୁର୍ଗା ଚରଣ ନାୟକ, ଯମୁନା ଦେବୀ, ଜୟନ୍ତୀ ପଣ୍ଡା, ପ୍ରଦ୍ୟୁମ୍ନ ପାତ୍ର, ଜନାର୍ଦ୍ଦନ ମହାନ୍ତି, ବିଭୂତି ଭୂଷଣ ପଣ୍ଡା ଓ ବଳରାମ ପଣ୍ଡାଙ୍କ ସମେତ ଆଖପାଖ ଅଞ୍ଚଳର ପ୍ରାୟ ୧୫୦ ଜଣରୁ ଅଧିକ ସଂଖ୍ୟକ ସାଧକ ସାଧିକା ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ପରିଥିଲେ । ଶେଷରେ ପ୍ରକାଶ ଚନ୍ଦ୍ର ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


