‘ଦିଲ୍ଲୀ ଚଲୋ’ ଚାଷୀ ଆନ୍ଦୋଳକୁ ସମର୍ଥନ ଜଣାଇ ଲୋୟର ପିଏମ୍‌ଜିରେ ନବନିର୍ମାଣ କୃଷକ ସଂଗଠନର ଧାରଣା

ଭୁବନେଶ୍ୱର, (ୱାଇଏନ୍ଏସ୍): କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ôଚଥିଲା ବେଳେ ଏହାକୁ ସମର୍ଥନ ଜଣାଇ ରାଜ୍ୟର ପ୍ରମୁଖ କୃଷକ ସଂଗଠନ ନବନିର୍ମାଣ କୃଷକ ସଂଗଠନ ଲୋୟର ପିଏମ୍‌ଜିରେ ଧାରଣାରେ ବସିଛି । ଗଣମାଧ୍ୟମରେ ଜନମାନସରେ ଚାଷୀ ଆନ୍ଦୋଳନ ନିଆଁ ବ୍ୟାପୁଥିଲା ବେଳେ ଆଜି ଓଡ଼ିଶା ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି । ଆନ୍ଦୋଳନକାରୀଙ୍କୁ ସମ୍ବୋଧନ କରି ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଲେ ଯେ, ନରେନ୍ଦ୍ର ମୋଦି ତାଙ୍କ ଦୁଇଥର ଶାସନ କାଳରେ ଝିଣ୍ଟିକା ମାରି ବଣି ପୋଷିବା ନୀତି ଆରମ୍ଭ କରିଛନ୍ତି । କର୍ପୋରେଟ ପ୍ରେମରେ ଉବୁଟୁବୁ ପ୍ରଧାନମନ୍ତ୍ରୀ ଚାଷୀଙ୍କ ଭାତହାଣ୍ଡିକୁ କମ୍ପାନୀ ହାତମୁଠାକୁ ଟେକି ଦେବାପାଇଁ ଷଡ଼ଯନ୍ତ୍ର ଚଳାଇଛନ୍ତି । କେବଳ କୃଷକ ନୁହଁନ୍ତି, ମଧ୍ୟବିତ୍ତ ଓ ଗରିବ ଲୋକ କିଭଳି ଅନାହାରରେ ମରିବେ, ସେଥିପାଇଁ ବିଜେପି ଦଳ ନୂଆ କୃଷିନୀତି ମାଧ୍ୟମରେ ନକ୍ସା ତିଆରି କରୁଛି । ଏସେନ୍‌ସିଆଲ କମୋଡ଼ିଟି ଆକ୍ଟ ବଜାର ଦର ଯେଭଳି ତେଜିଛି ଆଗକୁ ଏ ପରିସ୍ଥିତି ଆହୁରି ଭୟଙ୍କର ହେବ । ଆଗରୁ ଦେଶର ସମସ୍ତ ଅମୂଲ୍ୟ ସମ୍ପଦ କର୍ପୋରେଟଙ୍କୁ ନିଲାମ ଉଦ୍ୟମ ଚାଲିଥିବା ବେଳେ ଏଥର ଚାଷୀର ସବୁଜ କ୍ଷେତ ଉପରେ ପ୍ରଧାନମନ୍ତ୍ରୀଙ୍କ କୁନଜର ପଡ଼ିଛି । ଏଣୁ ସେ କୃଷିନୀତି ମାଧ୍ୟମରେ ଚାଷୀ ହାତରୁ ରୋଜଗାର ଛଡ଼ାଇ ନେବାକୁ ଚାହୁଁଛନ୍ତି । ଏହାକୁ କୌଣସି ପ୍ରକାର ସାକର ହେବାକୁ ଦିଆଯିବା ନାହିଁ । ସଂଗଠନ ରାଜ୍ୟ ସଂଯୋଜକ ଉମାକାନ୍ତ ଭାରତ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି କହିଲେ ଯେ, ନରେନ୍ଦ୍ର ମୋଦି ଭାରତବର୍ଷର କୋଟି କୋଟି ଚାଷୀଙ୍କୁ ମିଥ୍ୟା କହି ପ୍ରତାରଣା ଦେଇଛନ୍ତି । ପ୍ରଥମ ପାଳି ପ୍ରଧାନମନ୍ତ୍ରୀ ସମୟରେ ମୁଁ ନିର୍ବାଚନ ଜିିତିବା କ୍ଷଣି ସ୍ୱାମୀନାଥନ କମିଶନ ସୁପାରିଶ ଲାଗୁ କରିବି ଓ ୨୦୨୨ ମସିହା ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଦୁଇଟି ପ୍ରତିଶ୍ରୁତି ଏବେ ପାଣିର ଗାର ହୋଇଛି । ଏଣୁ ପ୍ରଧାନମନ୍ତ୍ରୀଙ୍କ ମିଥ୍ୟା ପ୍ରତିଶ୍ରୁତିକୁ କୃଷକ ସମାଜ ଆଉ ବିଶ୍ୱାସ କରିବ ନାହିଁ । ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱାର ଅଲ୍ଲୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଚାଷୀ ଆନ୍ଦୋଳନର ନିଆଁକୁ ଚାରିଆଡ଼େ ବ୍ୟାପିବା ପାଇଁ ଯୁବ ଓ ଛାତ୍ରମାନେ ଏହି ଆନ୍ଦୋଳନକୁ ଲମ୍ଫ ପ୍ରଦାନ କରିବେ । ଦେଶର ଅନ୍ନଦାତା ଚାଷୀ ସମାଜ ପ୍ରତି କୃଷି ପ୍ରଧାନ ଦେଶରେ ବିଶ୍ୱାସଘାତକତା କରିବା ଚଳିବ ନାହିଁ । ଆଜିର ଧାରଣାରେ ବିଶିଷ୍ଟ ସାମ୍ବାଦିକ ତଥା ସଂଗଠନର ଉପଦେଷ୍ଟା ରବି ଦାସ, ସୂଚନା ଅଧିକାର ଆନ୍ଦୋଳନର ସଂଯୋଜକ ପ୍ରଦୀପ ପ୍ରଧାନ, ପୂର୍ବତନ ବିଶିଷ୍ଟ ପ୍ରଶାସକ ଅବସର ବେଉରିଆ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସ୍ତମ୍ଭକାର ତୁଷାରକାନ୍ତ ପ୍ରମୁଖ ଯୋଗ ଦେଇ କୃଷି ବିଲ୍ ଉପରେ ପୁଙ୍ଖାନୁପୁଙ୍ଖ ବକ୍ତବ୍ୟ ରଖି ଏହା ପ୍ରତ୍ୟାହାର କରାଯିବ ପାଇଁ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସହ ସଂଯୋଜ ରଶ୍ମୀ ରଞ୍ଜନ ସ୍ୱାଇଁ, ଦୁର୍ଗା ପ୍ରସାଦ ଦାସ, କମିଟି ସଭ୍ୟ ଶୁଭେନ୍ଦୁ ମଲ୍ଳିକ, ସଂଗ୍ରାମ କିଶୋର, ଦୋଳଗୋବିନ୍ଦ ପ୍ରଧାନ, ମହେଶ୍ୱର ଜେନା, ଜୟନ୍ତ ତ୍ରିପାଠୀ, ମଧୁମିତା ସାମଲ, ଦିବାକର ଦାସ, ପ୍ରସନ୍ନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ