ଦୁଇଟି ହୃଦୟର ମିଳନରୁ ସୃଷ୍ଟି ହୁଏ ପ୍ରେମ
ସୁବାସ କୁମାର ତାରଣିଆଁ
ମୋ : ୮୩୨୮୮୪୦୨୧୪
ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ଦୁଇଟି ହୃଦୟର ମିଳନରୁ ସୃଷ୍ଟି ହୁଏ ପ୍ରେମ । ପ୍ରତି ପର୍ବପର୍ବାଣୀ ଭଳି ବା ସ୍ମରଣୀୟ ଦିବସ ଭଳି ପ୍ରେମ ପାଇଁ ମଧ୍ୟ ରହିଛି ଏକ ସ୍ୱତନ୍ତ୍ର ଦିବସ । ପ୍ରତିବର୍ଷ ଫେବୃୟାରୀ ୧୪ ତାରିଖକୁ ଆନ୍ତର୍ଜାତିୟ ଭାଲେଣ୍ଟାଇନ ଡ଼େ ବା ପ୍ରେମ ଦିବସ ରୂପେ ପାଳନ କରାଯାଇଥାଏ । ପ୍ରେମକୁ ଶାଣିତ ସୁନ୍ଦର ଓ ମଜଭୂତ କରିବା ପାଇଁ ପ୍ରେମୀଯୁଗଳ ଏହି ଦିବସରେ ଭେଟି ପ୍ରେମର ପ୍ରତୀକ ସ୍ୱରୂପ ପରସ୍ପରକୁ ଗୋଲାପ ଫୁଲ ଦେଇ ପ୍ରେମକୁ ସ୍ମରଣୀୟ କରିଥାନ୍ତି । ସାମ୍ପ୍ରତିକ ସମୟରେ ପ୍ରେମ ଏକ ମହାମାରୀର ରୂପେ ନେଇଛି । ଏହି ପ୍ରେମ ଯୁବକ ଯୁବତୀଙ୍କୁ ଏପରି ଗ୍ରାସ କରିଛି ଯେ, ଥରେ ଯିଏ ପ୍ରେମଫାଶରେ ଫସିଯାଇଛି, ସେଥିରୁ ମୁକୁଳିବାଟା ବହୁତ କଷ୍ଟକର ହୋଇପଡ଼ିଛି । ଫଳରେ ପ୍ରେମ ପାଇଁ ଘଣୁଛି ଅନେକ ଅଘଟଣ । ପ୍ରେମ ପାଇଁ କେଉଁଠି ଯୁବକ ଆତ୍ମହତ୍ୟା କରୁଛି ତ କେଉଁଠି ଯୁବତୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରୁଛି । ଅନେକ କ୍ଷେତ୍ରରେ ପ୍ରେମରେ ବିଫଳ ହୋଇ ଉଭୟ ପ୍ରେମୀଯୁଗଳ ଏକାଠି ଆତ୍ମହତ୍ୟା କରୁଥିବା ଅନେକ ନିଜର ରହିଛି । ପୌରାଣିକ ଯୁଗରେ ମଧ୍ୟ ପ୍ରେମକୁ ନେଇ ଅନେକ ଦୃଷ୍ଟାନ୍ତି ରହିଛି । ପୁରାଣରେ ରାଧାକୃଷ୍ଣଙ୍କ ପ୍ରେମକୁ ସବୁଠାରୁ ଶ୍ରେଷ୍ଠତମ ପ୍ରେମ ରୂପେ ପ୍ରତିପାଦନ କରାଯାଇଛି । ରାଧାକୃଷ୍ଣଙ୍କ ପ୍ରେମକୁ ଆତ୍ମା ସହିତ ପରମାତ୍ମାର ମିଳନ ବୋଲି ବିବେଚନା କରାଯାଏ । ଯୁବକଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କେଉଁ ଅନାଦି କାଳରୁ ରହିଆସିଛି । ସାଧାରଣତଃ ହାଇସ୍କୁଲ୍ରେ ପାଠ ପଢିବା ସମୟରୁ ହିଁ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥାଏ । ମୋବାଇଲ ବ୍ୟବହାର ପୂର୍ବରୁ ପ୍ରେମୀଯୁଗଳମାନେ ଚିଠି ମାଧ୍ୟମରେ ସେମାନଙ୍କ ପ୍ରେମକୁ ଦୃଢୀଭୂତ କରୁଥିଲେ । ପାଠ ପଢିବା ବୟସରେ ପାଖରେ ପଇସା ନଥିବାରୁ, କିଛି ଗୋଟେ ବାହାନା କରି ବାପାଙ୍କ ଠାରୁ ପଇସା ଆଣି ପୋଷ୍ଟକାର୍ଡ଼ ବା ଲଫାଫା କିଣି ପ୍ରେମଚିଠି ଲେଖିବା ଥିଲା ଏକ ନିଆରା ଅନୁଭୂତି । ଏହି ପ୍ରେମ କେତେକ କ୍ଷେତ୍ରରେ ବିବାହ ରୂପ ନେଉଥିବା ବେଳେ ଆଉ କେତେକ କ୍ଷେତ୍ରରେ ବାଧାସୃଷ୍ଟି ହୋଇଥାଏ । ବର୍ତ୍ତମାନ ସମୟରେ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଚିରସ୍ଥାୟୀ ହୋଇପାରୁ ନାହିଁ । କେତେକ କ୍ଷେତ୍ରରେ ପରିବାରର ଅନିଚ୍ଛା ସତ୍ତ୍ୱେ ପ୍ରେମ ବିବାହର ରୂପ ନେଇଥାଏ କିନ୍ତୁ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ଘଟି ତାହା ଛଡ଼ପତ୍ରର ରୂପ ନେଇଥାଏ । ଫଳରେ ସେମାନଙ୍କ ଦାମ୍ପତ୍ୟ ଜୀବନ ଦୁର୍ବିସହ ହୋଇପଡ଼ିଥାଏ । ଆମ ସମାଜରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ପାଇଁ ଅନୁମତି ଦିଆଯାଇନାହିଁ । କାରଣ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏକ ଧର୍ତ୍ତବ୍ୟ ଅପରାଧ । ଆମ ସମାଜ ଏଭଳି ସମ୍ପର୍କକୁ ଏକ ଘୃଣ୍ୟ ଦୃଷ୍ଟିରେ ଦେଖେ । କିନ୍ତୁ ବର୍ତ୍ତମାନ ସମାଜରେ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଲେ, ସେମାନେ ପ୍ରଥମେ ଶରୀରିକ ସମ୍ପର୍କ ରଖିବାକୁ ବ୍ୟଗ୍ର ହୋଇଉଠନ୍ତି । ଫଳରେ ବିବାହ ପୂର୍ବରୁ ଅନେକ ଯୁବତୀ କୁମାରୀ ମାତୃତ୍ୱ ଲାଭ କରି ସମାଜର କଳଙ୍କକୁ ମୁଣ୍ଡାଇଥାଏ । ସମାଜ ତାକୁ କଳଙ୍କିନୀର ଆଖ୍ୟା ଦେଇଥାଏ । ସେହିପରି ପ୍ରେମ ପୂର୍ବର ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଅନେକ ଯୁବତୀ ଗର୍ଭବତୀ ହୋଇଥାନ୍ତି ଏବଂ ଲୋକଲଜ୍ଜା ଓ ଅପବାଦରୁ ମୁକୁଳିବା ପାଇଁ ନିଜର ଗର୍ଭ ନଷ୍ଟ କରି ଆଉ ଏକ ଅପରାଧକୁ ମୁଣ୍ଡାଇଥାନ୍ତି । ବର୍ତ୍ତମାନ ଆଧୁନିକ ଯୁଗରେ ପ୍ରେମର ସଂଜ୍ଞା ସମ୍ପୂର୍ଣ୍ଣ ବଦଳି ଯାଇଛି । ପ୍ରେମ ଆଉ ଶାଶ୍ୱତ ଓ ଚିରନ୍ତନ ମଧ୍ୟରେ ସୀମିତ ହୋଇ ରହିନାହିଁ, ପ୍ରେମ ଏକ ଉପଭୋଗ୍ୟ ବସ୍ତୁରେ ପରିଣତ ହୋଇଛି । ଦେହ ଓ ଦାହ ପ୍ରବଣ ପ୍ରେମ ମଣିଷ ସମାଜକୁ ସମ୍ପୂର୍ଣ୍ଣ କବଳିତ କରିସାରିଛି । ଏବେ ପ୍ରେମ ଦିବସକୁ ଭିନ୍ନ ଢଙ୍ଗରେ ପାଳନ କରାଯାଉଛି । ପ୍ରେମର ସଂଜ୍ଞା ବଦଳି ଯାଇଛି, ପ୍ରେମର ପରିଭାଷାରେ ପରିବର୍ତ୍ତନ ଘଟିଛି । ପ୍ରେମ ଚିରନ୍ତନ, ସତ୍ୟ, ସୁନ୍ଦର ଓ ଶାଶ୍ୱତ ବଦଳରେ ଏବେ ପ୍ରେମ ଏକ ଉପଭୋଗ୍ୟ ବସ୍ତୁରେ ପରିଣତ ହୋଇଛି । ପ୍ରେମ ଦିବସ ବଦଳରେ ଏବେ ପ୍ରେମିକ, ପ୍ରେମିକା ପ୍ରତିଦିନ ବିଭିନ୍ନ ପାର୍କ, ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ଼ ହୋଟେଲ ବୁଲି ମଉଜ ମଜ୍ଲିସ୍ ରହୁଛନ୍ତି ଓ ଅନେକ ସମୟରେ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଏବେ ରାଜଧାନୀର ଶହ ଶହ ସଂଖ୍ୟାରେ ପ୍ରେମୀଯୁଗଳ ସହରସାରା ଘୂରି ବୁଲୁଛନ୍ତି ଏବଂ ସର୍ବସାଧାରଣ ସ୍ଥାନରେ ଏଭଳି ଅସଂଯତ ଅବସ୍ଥାରେ ରହୁଛନ୍ତି, ସେହି ବାଟ ଦେଇ ଯିବାକୁ ସାଧାରଣ ଲୋକେ ନିଜକୁ ସଙ୍କୋଚ ମନେ କରୁଛନ୍ତି । ପ୍ରେମ ପାଇଁ ଘଟୁଛି ହିଂସାକାଣ୍ଡ, ପ୍ରେମ ପାଇଁ ଗଡୁଛି ଅନେକ ମୁଣ୍ଡ । ପ୍ରେମରେ ଧୋକ୍କା ହେଉ ଅବା ତ୍ରିକୋଣୀୟ ପ୍ରେମ ହେଉ, ପ୍ରେମ ପାଇଁ ଗଡୁଛି ମୁଣ୍ଡ, ଆତ୍ମହତ୍ୟା କରୁଛନ୍ତି ଅନେକ ପ୍ରେମୀଯୁଗଳ । ଏଥିପାଇଁ ଅନେକ କାରଣ ଅଛି । ପ୍ରଥମତଃ ପ୍ରେମୀଯୁଗଳଙ୍କ ମଧ୍ୟରେ ବୁଝାମଣାର ଅଭାବ ବା ସନ୍ଦେହ ଉପୁଜିଲେ ଉଭୟଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର ଘଟି ଆତ୍ମହତ୍ୟାର ପନ୍ଥା ଆପଣାଇଥାନ୍ତି । ଦ୍ୱିତୀୟତଃ ପ୍ରେମ କରିବାଟା ପାପ ନୁହେଁ, ଏଥିପାଇଁ ଉଭୟ ଯୁବକ ଯୁବତୀ ନିଜ ପିତାମାତାଙ୍କ ପରାମର୍ଶ ନେବା ଜରୁରୀ । କାରଣ ଯୁବକ ଯୁବତୀ ପ୍ରେମ କରୁଥିଲେ ମଧ୍ୟ ଅନେକ ସମୟରେ ଉଭୟଙ୍କ ଘରର ବିରୋଧ ଯୋଗୁ ସେମାନଙ୍କ ପ୍ରେମରେ ଭଟ୍ଟା ପଡ଼ିଥାଏ । ଶେଷରେ ଉଭୟ ଆତ୍ମହତ୍ୟାର ପନ୍ଥାକୁ ଆପଣାଇଥାନ୍ତି । ତୃତୀୟତଃ ଜାତିଭେଦକୁ ନେଇ ଅନେକ ସମୟରେ ପ୍ରେମରେ ବାଧା ସୃଷ୍ଟି ହୋଇଥାଏ । ପ୍ରେମୀଯୁଗଳ ଯଦି ଉଚ୍ଚ ଓ ନୀଚ ଜାତିର ହୋଥାନ୍ତି, ତେବେ ଏଥିରେ ବିରାଟ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ । ଫଳରେ ଉଭୟଙ୍କ ପରିବାର ତଥା ବନ୍ଧୁ ଓ ପରିଜନଙ୍କ ପକ୍ଷରୁ ଏହି ପ୍ରେମକୁ ସ୍ୱୀକୃତି ନ ମିଳିବାରୁ ଏଥିରେ ମ୍ରିୟମାଣ ହୋଇ ଅନେକ ଯୁବକ ଯୁବତୀ ଆତ୍ମହତ୍ୟା କରିଥାନ୍ତି । ସେହିପରି ଧନୀ ଓ ଗରିବର ପାର୍ଥକ୍ୟ ମଧ୍ୟ ଅନ୍ୟତମ କାରଣ । ଯଦି ଝିଅ ଧନୀଘରର ଏବଂ ପୁଅ ଗରିବ ଘରର କିମ୍ବା ପୁଅ ଧନୀ ଘରର ଏବଂ ଘିଅ ଗରିବ ଘରର ହୋଇଥାଏ, ତେବେ ଏଥି ଯୋଗୁଁ ମଧ୍ୟ ପ୍ରେମରେ ବାଧା ଉପୁଜେ ଏବଂ ଦୁଇ ପରିବାର ମଧ୍ୟରେ ମତାନ୍ତର ଓ ମନାନ୍ତର ଘରି ଏଭଳି ପ୍ରେମକୁ ସ୍ୱୀକୃତି ଦିଅନ୍ତି ନାହିଁ । ଶେଷରେ କୌଣସି ଉପାୟ ନପାଇ ଆତ୍ମହତ୍ୟା ଭଳି ପନ୍ଥାକୁ ଆପଣାଇଥାନ୍ତି । ନିକଟରେ ଯୁବ ମଡ଼େଲର ତଥା ବ୍ୟବସାୟୀ ସୌମ୍ୟରଞ୍ଜନ ପାଣିଗ୍ରାହୀ ତାଙ୍କ ପ୍ରେକିମାଠୁ ଧୋକା ଖାଇ ଶେଷରେ ଆତ୍ମହତ୍ୟା କରିଥିଲେ । ପ୍ରେମ ପାଇଁ ୨୦୨୧ରେ ରାଜଧାନୀରେ ୨୭୭ଟି ଆତ୍ମହତ୍ୟା ଘଟିଥିଲା । ସେଥିମଧ୍ୟରୁ ୧୯୦ ଜଣ ପୁରୁଷ ଥିଲାବେଳେ ୭୮ ଜଣ ମହିଳା ଆତ୍ମହତ୍ୟା କରିଥିଲେ । ଏମାନଙ୍କ ମଧ୍ୟରେ କେବଳ ଖଣ୍ଡଗିରୀ ଅଞ୍ଚଳରେ ସର୍ବାଧିକ ୬୮ ଜଣ ଆତ୍ମହତ୍ୟା କରିଥିଲେ । ସେହିପରି ୨୦୧୬ରେ ରାଜ୍ୟରେ ମୋଟ ୩୪୨ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୧୭ରେ ୨୩୮ଜଣ, ୨୦୧୮ରେ ୨୪୨ଜଣ, ୨୦୧୯ରେ ୧୭୨ଜଣ, ୨୦୨୦ରେ ୨୫୦ ଜଣ ଓ ୨୦୨୧ରେ ୩୦୦ଜଣ ଆତ୍ମହତ୍ୟା କରିଥିବା ଏକ ତଥ୍ୟରୁ ଜଣାପଡ଼ିିଛି । ସେହିପରି ପ୍ରେମଜନିତ ହତ୍ୟା ମଧ୍ୟ ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ପ୍ରେମକରି ବିବାହ କରିଥିବା ଅନେକ ଦମ୍ପତ୍ତି କିଛି ବର୍ଷରେ ହସିଖୁସିରେ କଟିବା ପରେ ପରବର୍ତ୍ତୀ ସମୟରେ ପାରିବାରିକ କଳହକୁ ନେଇ ସେମାନଙ୍କ ମଧ୍ୟରେ ସମ୍ପର୍କ ତିକ୍ତତା ହୁଏ । ଫଳରେ ସେମାନଙ୍କ ମଧ୍ୟରେ ଅନେକ ଆତ୍ମହତ୍ୟା କରୁଥିବା ବେଳେ ଆଉ କେତେଜଣଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥାଏ । ତେଣୁ ଏହିସବୁ ଜଟିଳ ସମସ୍ୟାର ସମାଧାନ ହୋଇପାରିବ ଯଦି ପ୍ରେମିକ ଓ ପ୍ରେମିକାଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ଉଭୟ ପରିବାରର ସହମତିରେ ହୁଏ, ତେବେ ସାରା ଜୀବନ ପ୍ରେମ ଚିରନ୍ତନ ଓ ଅତୁଟ ରହିବ, ପ୍ରେମ ଜନିତ ଆତ୍ମହତ୍ୟା ଆପେ ଆପେ ଲୋପ ପାଇବ, ଏଥିରେ ଦ୍ୱିମତ ହେବାର ନାହିଁ ।
କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର


