ନାଉଗାଁ ବଜାରରୁ ଜବତ ହୋଇଥିବା ସାରର ତଦନ୍ତ ଆରମ୍ଭ
ନାଉଗାଁ, (ଚିତ୍ତ ରଞ୍ଜନ ଦାଶ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ନାଉଗାଁ ବଜାରରୁ ଶନିବାର ସଂଧ୍ୟାରେ ଏକ ଚୋରା ସାର ଗାଡିକୁ ଜବତ କରାଯାଇ ଗାଡି ଚାଳକଙ୍କୁ ଥାନାରେ ଅଟକ ରଖାଯାଇଥିଲା। ଚାଷୀମାନେ ସାର ପାଉ ନଥିବା ବେଳେ ଚୋରା ବେପାରୀମାନେ ବାହାର ଜିଲ୍ଲାରୁ ସାର ଆଣି କଳାବଜାରରେ ବିକ୍ରି କରୁଥିବା ନବ ନିର୍ମାଣ କୃଷକ ସଙ୍ଗଠନର ଜିଲା ସଂଯୋଜକ ଅଶୋକ ସ୍ୱାଇଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତି କରି ରବିବାର ବ୍ଳକ କୃଷି କାର୍ଯ୍ୟାଳୟ ପକ୍ଷରୁ ଏକ ଟିମ ଥାନା ପରିସରରୁ ସାରର ନମୁନା ସଂଗ୍ରହ କରିବା ସହିତ ତଦନ୍ତ ପ୍ରକ୍ରିୟା ଜାରି ରଖିଛନ୍ତି। ବ୍ଳକ କୃଷି ଅଧିକାରିଣୀ ଯୁଗସ୍ମିତା ପାତ୍ରଙ୍କ ସୂଚନା ମୁତାବକ ଏହି ଗାଡିରେ ଡିଏପି ,ଗ୍ରୋମର, ପଟାସ ଆଦି ସାତ ପ୍ରକାରର ସମୁଦାୟ ୬୦ବ୍ୟାଗ ସାର ରହିଥିଲା। ଯାହାର ସରକାରୀ ଧାର୍ଯ୍ୟ ମୂଲ୍ୟ ୧ଲକ୍ଷ ୧୧ହଜାର ୨୫୦ଟଙ୍କା ହେବ। ଏହି ସାରର ୭ଟି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଛି। ପରୀକ୍ଷାଗାର ରିପୋର୍ଟ ଆସିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ବ୍ଳକ କୃଷି ଅଧିକାରିଣୀଙ୍କ ସମେତ ମୃତିକା ରସାୟନ ଅଧିକାରୀ ସ୍ୱାଗତିକା ମିଶ୍ର, ସହକାରୀ କୃଷି ଅଧିକାରୀ ଅଗ୍ନି ପଣ୍ଡା ଆଦି ଉପସ୍ଥିତ ଥିଲେ। ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ସାରକୁ ଚାଷୀମାନେ ଆଣିଥିବା ଦାବି କରିଛନ୍ତି। ଏସଂକ୍ରାନ୍ତରେ ବାଂଶ ପଂଚାୟତର ଚାନ୍ଦପୁରାରୁ ୬ଜଣ ଓ ବଛାଳୋ ଗ୍ରାମରୁ ଜଣେ ଚାଷୀ ଲିଖିତ ଭାବେ ବ୍ଲକ କୃଷି ଅଧିକାରିଣୀଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଉକ୍ତ ୭ଜଣ ଚାଷୀ ନିଜ ଜମିରେ ସାର ପକାଇବା ପାଇଁ ସାର ଆଣିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ତଦନ୍ତ ସମୟରେ ଉକ୍ତ ସାର ପୁରୀ ଜିଲ୍ଲା ନୟାହାଟର ଏକ ସାଇ ଟ୍ରେଡର୍ସରୁ ଆସି ଥିବା ଜଣାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜିଲ୍ଲା ବାହାରକୁ ସାର ବିକ୍ରୟ କରିବାକୁ ହେଲେ ପ୍ରଥମେ ଉକ୍ତ ଜିଲାର ଜିଲା ପ୍ରଶାସନଙ୍କର ଅନୁମତି ଦରକାର। ଉକ୍ତ ଅନୁମତି ପତ୍ର ପାଇବା ପରେ ସଂପୃକ୍ତ ବ୍ୟବସାୟୀ ଅନ୍ୟ ଜିଲ୍ଲାର ଚାଷୀଙ୍କୁ ସାର ବିକ୍ରୟ କରିପାରିବେ। ସାର ବିକ୍ରି କରିବା ସମୟରେ ସଂପୃକ୍ତ ବିକ୍ରେତା ଇଲୋକଟ୍ରୋନିକ ପଏଂଟ ଅଫ ସେଲ(ଇପିଓଏସ) ମେସିନ ମାଧ୍ୟମରେ ଚାଷୀଙ୍କର ଆଧାର ନମ୍ବରକୁ ମେସିନରେ ଦେଇ ବାୟୋମିଟ୍ରିକ ଆଙ୍ଗୁଳି ଛାପ କିମ୍ବା ଓଟିପି ମାଧ୍ୟମରେ ସାର ବିକ୍ରି କରିବେ। କିନ୍ତୁ ଜବତ ହୋଇଥିବା ସାର ଅଗଷ୍ଟ୧ସଂଧ୍ୟାରେ ହୋଇଥିବା ବେଳେ ପିଓଏସ ମେସିନ ମାଧ୍ୟମରେ ପ୍ରଦତ ରସିଦ ଅଗଷ୍ଟ ୨ଦିନ ପ୍ରାୟ ୧୧ଟାରେ ସାର କ୍ରୟ ହୋଇଥିବା ଜଣାପଡିଛି। ଯାହାକି ଚାଷୀଙ୍କ ଅଭିଯୋଗ ଉପରେ ସନ୍ଦେହ ବୃଦ୍ଧି ପାଇଛି। ଯଦି ଅଗଷ୍ଟ ୧ତାରିଖରେ ସାର କ୍ରୟ ହେଲା ରସିଦରେ କିପରି ଅଗଷ୍ଟ ୨ ବାହାରିଲା। ସେହିପରି ଜିଲା ବାହାରୁ ଉକ୍ତ ସାର ଆସିଥିବା ବେଳେ ସଂପୃକ୍ତ ଜିଲାର ଜିଲା ପ୍ରଶାସନ ଅନୁମତି ପତ୍ର ପ୍ରଦାନ କରିଛନ୍ତି କି ନାହିଁ, ତାହା ତଦନ୍ତ ସାପେକ୍ଷ। ଅପରପକ୍ଷେ ଯେଉଁ ଚାଷୀମାନେ ନିଜର ଚାଷ କାର୍ଯ୍ୟ ପାଇଁ ସାର ଆଣିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ସେମାନେ ପୂର୍ବରୁ ସାର ଆଣିଛନ୍ତି କି ନାହିଁ ଏବଂ ସେମାନଙ୍କର କେତେ ପରିମାଣର ଚାଷ ଜମି ରହିଛି। ଏହାର ଉପଯୁକ୍ତ ତଦନ୍ତର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ସୂଚନା ମୁତାବକ ବର୍ତମାନ ଚାଷ କାର୍ଯ୍ୟ ଜାରି ରହିଥିବା ବେଳେ ବିଭିନ୍ନ ରାସାୟନିକ ସାରର ଆବଶ୍ୟକତା ରହିଛି। ଅଂଚଳରେ ଆବଶ୍ୟକୀୟ ମୁତାବକ ସାର ମିଳୁ ନଥିବା ବେଳେ ଚାଷୀ ପ୍ରାଥମିକ କୃଷି ସମବାୟ ସମିତି ଓ ସରକାରୀ ପଂଜୀକୃତ ଦୋକାନ ଉପରେ ନିର୍ଭର କରୁଛନ୍ତି। ପର୍ଯ୍ୟାପ୍ତ ପରିମାଣରେ ସାର ମିଳୁ ନଥିବା ବେଳେ ଅସାଧୁ ବ୍ୟବସାୟୀମାନେ ଚୋରାରେ ସାର ଆଣି ଚଢା ଦରରେ ବିକ୍ରି କରୁଥିବା ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ଏହାର ସଠିକ ତଦନ୍ତ କରାଯାଇ ଆଇନିଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି।


