ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ,ଗୁରୁତ୍ତର ଅବସ୍ଥାରେ କଟକ ସ୍ଥାନାନ୍ତରିତ
କେନ୍ଦ୍ରାପଡା – ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୋଗୁଆ ଛକ ନିକଟରେ ଗାଡି ପମ୍ପଚର ଦୋକାନ କରିଥିବା ଭରସିଂ ଗ୍ରାମର ସେକ ହବୋ (୩୨)ଙ୍କୁ ମରଣାନ୍ତକ ଆକ୍ରମଣ ଯୋଗୁଁ ତାଙ୍କୁ ଗୁରୁବାର ସନ୍ଧ୍ୟାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ସନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟରେ କେନ୍ଦ୍ରାପଡା ପଟୁ ପଟ୍ଟାମୁଣ୍ଡାଇ ଆଡକୁ ଯାଉଥିବା ଓଡି-୦୫ ଏଏ ୫୨୫୪ନମ୍ବର ବିଶିଷ୍ଟ ଏକ ବୋଲେରୋ ଗୋଗୁଆ ଛକ ନିକଟରେ ଥିବା ସେକ ହବୋଙ୍କ ଗାଡି ପମ୍ପଚର ଦୋକାନ ପାଖରେ ଅଟକି ଗାଡିରେ ପ୍ରେସର ଦେବାକୁ କହିଥିଲେ । ଦୋକାନୀ ସେକ ହବୋ ପ୍ରେସର ମେସିନ ଖରାପ ଥିବାରୁ ପ୍ରେସର ଦେଇହେବ ନାହିଁ ବୋଲି କହିଥିଲେ । ଏକଥା ଶୁଣି ଗାଡିରୁ ୨ଜଣ ଯୁବକ ଓହ୍ଲାଇ ହବୋଙ୍କ ମୁଣ୍ଡକୁ ଏକ କାଠବେଂଟରେ ଶକ୍ତ ପ୍ରହାର ଦେବାରୁ ହବୋ ଘଟଣାସ୍ଥଳରେ ବଡ ପାଟିରେ ଡାକ ପକାଇବା ସହ ବେହୋସ ହୋଇପଡିଥିଲେ । ସ୍ଥାନୀୟ ଲୋକମାନେ ପାଟି ଶୁଣି ସେଠାକୁ ଆସି ହବୋଙ୍କୁ ଏକ ଗାଡିରେ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ହବୋଙ୍କ ପରିବାର ପକ୍ଷରୁ ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରାଯିବା ପରେ ଥାନା ପକ୍ଷରୁ ଅନୁସନ୍ଧାନ ଜାରି ରହିଥିବା ପୋଲିସ କହିଛି ।


