ଧର୍ମପରାୟଣା ମହିଳା ଶାନ୍ତିଲତା ଖମାରୀଙ୍କ ପରଲୋକ

ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ ସୋସୋ ପଞ୍ଚାୟତ ଅଧୀନ କାନପୁର ଗ୍ରାମର ହରିହର ଖମାରୀଙ୍କ ପତ୍ନୀ ତଥା ଧର୍ମପରାୟଣା, ପରୋପକାରୀ ଓ ଦୟାଳୁ ମହିଳା ଶାନ୍ତିଲତା ଖମାରୀଙ୍କର ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ସମୟରେ ୭୩ ବର୍ଷ ବୟସରେ ପରଲୋକ ଘଟିଛି। ସୂଚନା ଅନୁଯାୟୀ, ଗତ ଗୁରୁବାର ଶାନ୍ତିଲତା ପାଇଖାନାରେ ପଡ଼ିଯିବାରୁ ଅଚେତ ହୋଇପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇ ଚିକିତ୍ସା କରାଇଥିଲେ। ତେବେ ଚିକିତ୍ସାରେ ଆଶାନୁରୂପ ଅଗ୍ରଗତି ନ ହେବାରୁ ସୋମବାର ତାଙ୍କୁ ଘରକୁ ଫେରାଇ ଅଣାଯାଇଥିଲା। ଘରେ ଥିବାବେଳେ ମଙ୍ଗଳବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଥିଲା। ଶାନ୍ତିଲତା ଜଣେ ପରୋପକାରୀ, ଦୟାଳୁ ଓ ଅତ୍ୟନ୍ତ ସ୍ନେହଶୀଳ ମହିଳା ଭାବେ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ବିୟୋଗରେ ପରିବାରବର୍ଗ, ସମ୍ପର୍କୀୟ ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁଶଯ୍ୟା ନିକଟରେ ପୁଅ ସୁରେଶ, ସଦାଶିବ ଓ ଜଳଧର, ବୋହୂ ଗୀତାଞ୍ଜଳୀ, ଅନିତା ଓ ହିତେଶ୍ୱରୀ, ଦିଅର ଚକ୍ରଧର ଖମାରୀ ଏବଂ ଝିଅ ସୁଜାତା ଖମାରୀଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ସାଳନ୍ଦୀ ନଦୀ କୂଳରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଶେଷକୃତ୍ୟରେ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଆତ୍ମୀୟସ୍ୱଜନ ଓ ଗ୍ରାମବାସୀ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ