ନଦୀ ପାର ହେବା ପାଇଁ ଜନସାଧାରଣଙ୍କ ପ୍ଲାଷ୍ଟିକ୍ ଡ୍ରମ୍ ଭରଷା
ପାରଳଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗୋଟିଏ ପଟେ ଜନସାଧାରଣଙ୍କ ଗମନାଗମନର ସୁବିଧା ପାଇଁ ଚାଲିଛି ବିଜୁ ସେତୂ ନିର୍ମାଣ । କିନ୍ତୁ ପାଖରେ ନିର୍ମାଣ ହୋଇପାରୁନି ଅସ୍ଥାୟୀ ପୋଲ ।ଫଳରେ ଅନ୍ୟପଟେ ଦେଶୀ ଯୋଗାଡ଼ ମାଧ୍ୟମରେ ବିପଦପୁର୍ଣ ଭାବେ ସେହି ଭରାନଈ ପାର୍ ହେଉଛନ୍ତି ଅଞ୍ଚଳବାସୀ ନଦୀ ପାର ହେବା ପାଇଁ ଦେଶୀ ଯୋଗାଡ଼ରେ ନିର୍ମାଣ କରାଯାଇଥିବା ଗୋଟିଏ ପ୍ରକାର ଡଙ୍ଗା ।କେଇ ଖଣ୍ଡ ପ୍ଲାଷ୍ଟିକ ଡ୍ରମ କୁ ମିଶାଇ ତା ଚାରିପଟକୁ ଲୁହା ଛଡ଼ ଦ୍ୱାରା ଆବଦ୍ଧ କରାଯାଇ ତା ଉପରେ ବସିବା ପାଇଁ ଲୁହା ପ୍ଲେଟ୍ ପକାଯାଇଛି ।ଏହି ଡଙ୍ଗାର ଉଭୟ ପାର୍ଶ୍ଵରେ ଦଉଡ଼ି ବନ୍ଧା ଯାଇ ନଦୀର ଦୁଇ କୂଳରେ ଥିବା ଗଛରେ ବନ୍ଧା ଯାଇଛି ଦଉଡ଼ି ।ଏହା ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଲବାରସିଂ ପଞ୍ଚାୟତ ଖସଡ଼ା ନଦୀର ଦୃଶ୍ୟ ।ନଦୀର ଗୋଟିଏପଟେ ଲବାରସୀଂ ପଞ୍ଚାୟତ ରହିଥିବା ବେଳେ ନଦୀର ଅନ୍ୟପଟେ ରହିଛି ଖସଡ଼ା ଗାଁ ସମେତ ଅନେକ ଛୋଟ ବଡ ଗାଁ ।ଗମନାଗମନ ବେଳେ ଲୋକଙ୍କ ଅନେକ ସମସ୍ୟା ସୃଷ୍ଟି ହେଉଥିବା ଯୋଗୁଁ ଠିକାଦାର ଏଭଳି ବ୍ୟବସ୍ଥା କରିଦେଇଥିବା ଅଞ୍ଚଳବାସୀ କହୁଥିବା ବେଳେ ଏଠାରେ କିନ୍ତୁ ଗୋଟିଏ ଅସ୍ଥାୟୀ ପୋଲ ନିର୍ମାଣ କରାଗଲେ ଅଞ୍ଚଳବାସୀ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ଲୋକେ । ଅଞ୍ଚଳବାସୀଙ୍କ ବାରମ୍ବାର ଅଭିଯୋଗ ପରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ଉପସ୍ଥିତି ରେ ୦୭/୦୧/୨୨ରେ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ବିଜୁସେତୂ ଯୋଜନାରେ ୩ କୋଟି ୯୦ ଲକ୍ଷ ୪ ହଜାର ଟଙ୍କା ଅଟକଳ ମୂଲ୍ୟରେ କାର୍ଯ୍ୟ ଆରମ୍ଭ ତାରିଖ ୨୩/୧୨/୨୧ । କାର୍ଯ୍ୟ ଶେଷ ତାରିଖ ୨୨/୦୬/୨୩ ଫଳକରେ ଲେଖାଯାଇଛି।ଏହି ସେତୂ ସଂପୂର୍ଣ୍ଣ ହେଲେ ଖସଡ଼ା,କଙ୍କରଡା,ତେନ୍ତୁଳିସାହି,ନୂଆଁଗଡ,ଛେଳିଗଡ଼,ପୁରୁଣାଢିଅ,ଘାଟିସାହି,ବିଲିସାହି ଭଳି ଅନେକ ଗ୍ରାମବାସୀ ଉପକୃତ ହେବେ ବୋଲି ସୂଚନା ଫଳକରେ ଦର୍ଶାଯାଇଛି ।ହେଲେ କାର୍ଯ୍ୟ ସମାପ୍ତି ହେବାକୁ ଆଠ ମାସ ବାକି ରହିଛି। ବନ୍ୟା ସମୟରେ ପୁଣି ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଦେଶୀ ଯୋଗାଡ଼ ଡଙ୍ଗା ବି ଲୋକଙ୍କ କାମରେ ଆସିବା ଅସମ୍ଭବ ହୋଇପଡିବ ।ତେଣୁ ସେହି ସମୟରେ ମଧ୍ୟ ଗମନାଗମନ ଦୃଷ୍ଟିରୁ ପୁଣି ଲୋକେ ଭୋଗିବେ ଅନେକ ସମସ୍ୟା । ସେପଟେ ଏହି ଡ୍ରମ୍ ଡଙ୍ଗାରେ ଯିବା ବେଳେ ଡଙ୍ଗାଟି ଓଲଟି ଯାଉଥିବା ମଧ୍ୟ କହୁଛନ୍ତି ଲୋକେ ।ତେଣୁ ଏଠାରେ ବିଜୁସେତୂ ନିର୍ମାଣ କାର୍ଯ୍ୟ ସରିବା ମଧ୍ୟରେ ଗୋଟିଏ ଅସ୍ଥାୟୀ ପୋଲ ନିର୍ମାଣ କରିବାପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ ।ତେବେ ଯେଉଁଠାରେ ସେତୂ ନିର୍ମାଣ କରାଯାଏ ,ସେଠାରେ ଲୋକଙ୍କ ଗମନାଗମନ ସୁବିଧା ପାଇଁ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଏ । କିନ୍ତୁ ଏଠାରେ ଅସ୍ଥାୟୀ ରାସ୍ତା ନିର୍ମାଣ ନକରିବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ।ଏମିତି ବିପଦପୁର୍ଣ ଭାବେ ଭରାନଈ ପାର ହେବା ବେଳେ ଯଦି ଦୂର୍ଘଟଣା ଘଟେ ସେଥିପାଇଁ ଦାୟୀ ହେବ କିଏ ?


