ନବଜାତ ଶିଶୁ ଇସାରାରେ କହିଥାନ୍ତି ନିଜ ସମସ୍ୟା

ନବଜାତ ଶିଶୁ କଥା କହିପାରି ନ ଥାନ୍ତି । ମାତ୍ର ସେମାନେ ନିଜର ଖୁସି ତଥା କଷ୍ଟକୁ ଇସାରାରେ ପ୍ରକାଶ କରିଥାନ୍ତି । ଶିଶୁ କାନ୍ଦିବାଠାରୁ ଆରମ୍ଭକରି ହାକୁଟିମାରିବା, ହାତ ପାଟିରେ ପୂରାଇବା ଆଦି କିଛି ସଙ୍କେତ ଦେଇଥାଏ । ତାହା କେବଳ ବୁଝିବାକୁ ହେବ ଯେ ଶିଶୁ କ’ଣ କହିବାକୁ ଚାହୁଁଛି । ଏହାଦ୍ୱାରା ଆପଣ ଶିଶୁର ସମସ୍ୟାକୁ ଅତି ସହଜରେ ଦୂର କରିପାରିବେ ।
ଜାଣିବା ସେ ବିଷୟରେ:
ଶିଶୁ କାନ୍ଦିବା:ନବଜାତ ଶିଶୁ ସାଧାରଣତଃ କାନ୍ଦିଥାନ୍ତି । ତେବେ ଶିଶୁ କାନ୍ଦିବା ପଛରେ ଅନେକ କାରଣ ରହିଛି । ଯେମିତି କି ଭୋକ, ଡର ବା କଷ୍ଟ ଲାଗିବା ଆଦି । ମାତ୍ର ଶିଶୁକୁ କଷ୍ଟ ହେଲେ ସେମାନେ କାନ୍ଦିବା ସମୟରେ ଆଖି ବନ୍ଦ କରିଥାନ୍ତି । ହେଲେ ଭୋକ ହେଲେ ସେମାନେ ଆଖି ଖୋଲା ରଖି କାନ୍ଦିଥାନ୍ତି । ତେଣୁ ଶିଶୁର କାନ୍ଦିବା ପଛରେ କ’ଣ କାରଣ ରହିଛି ଆମକୁ ବୁଝିବାକୁ ହେବ ।
ଜୋର୍ରେ ନିଃଶ୍ୱାସ-ପ୍ରଶ୍ୱାସ ନେବା:ନବଜାତ ଶିଶୁ ଜୋରରେ ନିଃଶ୍ୱାସପ୍ରଶ୍ୱାସ ନେବା ପଛରେ ଦୁଇଟି କାରଣ ରହିଛି । ଗୋଟିଏ ହେଉଛି ସେମାନେ ବହୁତ ଉତ୍ସାହିତ ଅଛନ୍ତି । ଅନ୍ୟଟି ହେଲା ଡରିଯାଇଛନ୍ତି । ଏହି ସମୟରେ ପିଲାକୁ ନିଜ ଛାତିରେ ଜାବୁଡ଼ି ଧରିବା ସହ ଇସାରାରେ ତା’ସହ କଥାବାର୍ତ୍ତା ହେବାକୁ ଚେଷ୍ଟା କରନ୍ତୁ ।
ଗୋଡ଼କୁ ପେଟରେ ଲଗାଇ ରଖିବା: ବେଳେବେଳେ ଶିଶୁ ନିଜ ଗୋଡ଼କୁ ପେଟରେ ଲଗାଇ ଶୋଇଥାନ୍ତି । ଏହାର ଅର୍ଥ ଶିଶୁ ପାଚନ ସମସ୍ୟାରେ ପୀଡ଼ିତ ଥାଇପାରେ । ପେଟ ଦରଜ, କୋଷ୍ଠକାଠିନ୍ୟ ପରି ସମସ୍ୟା ହୋଇଥାଇପାରେ । ତେଣୁ ପିଲାକୁ କ୍ଷୀର ପିଆଇବା ପରେ ଏହି ଲକ୍ଷଣ ପୁନର୍ବାର ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।
ଗୋଡ଼ ଉପରକୁ ଉଠାଇ ହଲାଇବା: ନବଜାତ ଶିଶୁ ଉପରକୁ ଗୋଡ଼କରି ହଲାଇବା ସାମାନ୍ୟ କଥା । ମାତ୍ର ଏହା ପଛରେ ମଧ୍ୟ କାରଣ ରହିଛି । ଶିଶୁ ଅଧିକ ଖୁସିରେ ଏପରି କରିଥାଏ । ବେଳେବେଳେ କାନ୍ଦିବା ସମୟରେ ମଧ୍ୟ ଉପରକୁ ଗୋଡ଼କରି କାନ୍ଦିଥାଏ । ଶିଶୁ ଉପରକୁ ଗୋଡ଼କରି କାନ୍ଦିବା ଅର୍ଥ ସେ କୌଣସି ଅସୁବିଧାରେ ଥାଇପାରେ । ସେ ପରିସ୍ରା କରି କାନ୍ଦୁଥାଇପାରେ । ତେଣୁ ତୁରନ୍ତ ଶିଶୁର ପ୍ୟାଣ୍ଟ ବଦଳାଇ ଦେବା ଉଚିତ୍ । ଯଦି ଖୁସିରେ ଶିଶୁଟି ଏପରି କରୁଥାଏ ତେବେ ଏଥିପାଇଁ ଅଧିକ ପ୍ରୋତ୍ସାହିତ କରନ୍ତୁ । କାରଣ ଏପରି କରିବା ଦ୍ୱାରା ପିଲାର ଗୋଡ଼ର ମାଂସପେଶୀ ବିକଶିତ ହେବ ।
କାନ ଟାଣିବା : ଶିଶୁ ବାରମ୍ବାର କାନ ଟାଣିବା ଅର୍ଥ ସେ କାନ ସମ୍ବନ୍ଧୀୟ କୌଣସି ସମସ୍ୟାରେ ପଡ଼ିଥାଇପାରେ ।
ଆଖି ମଳିବା : ଅଧିକାଂଶ ସମୟରେ ଶିଶୁ ଥକିଗଲେ ଅବା ନିଦ ଲାଗିଲେ ଆଖି ମଳିଥାଏ । ହେଲେ ନିଦରୁ ଉଠିବା ପରେ ଯଦି ଶିଶୁ ଆଖି ମଳୁଥାଏ ତେବେ ଆପଣ ପରୀକ୍ଷା କରାଇଦିଅନ୍ତୁ । ବେଳେବେଳେ ଆଖିରେ କିଛି ପଡ଼ିଗଲେ ଅବା ସଂକ୍ରମଣ ଯୋଗୁ ଶିଶୁ ଏପରି କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ