ନାଉଗାଁରେ ଡାକ୍ତରଙ୍କୁ ନେଇ ବାଦି ପାଲା
ନାଉଗାଁ,(ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅଲଣାହାଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରକୁ ନେଇ ବାଦି ପାଲା ଆରମ୍ଭ ହୋଇଛି । ଅଲଣାହାଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରକୁ ନାଉଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩ଦିନ ଅବସ୍ଥାପିତ କରିବାକୁ ଗେ।।ଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ବୁଧବାର ନାଉଗାଁ ସଚେତନ ନାଗରିକ ମଂଚ, ନାଉଗାଁ ବିକାଶ ପରିଷଦ, ନାଉଗାଁ ସାଂସ୍କୃତିକ ପରିଷଦ ପକ୍ଷରୁ ଆମରଣ ଅନଶନ କରାଯାଇଥିଲା ।ଅନ୍ୟପଟରେ ଅଲଣାହାଟରେ କାର୍ଯ୍ୟରତ ଡାକ୍ତର ସଂଗ୍ରାମ କେଶରୀ ମହାନ୍ତିଙ୍କୁ ଉକ୍ତ କେନ୍ଦ୍ରରେ ସପ୍ତାହ ଯାକ କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରଶାସନକୁ ଦାବି କରାଯାଇଛି । ସୂଚନା ଅନୁଯାଇ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦିର୍ଘୀ ଦିନ ହେବ ଡାକ୍ତର ନଥିବା ହେତୁ ଅଲଣାହାଟରେ ନିଯୁକ୍ତ ଡାକ୍ତର ସଂଗ୍ରାମ କିଶୋରୀ ମହାନ୍ତିଙ୍କୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଥିଲା । କିନ୍ତୁ ଉକ୍ତ କେନ୍ଦ୍ରରେ ୬ଜଣ ଓପିଏସସି ପରୀକ୍ଷାରେ କୃତୀତ୍ୱ ଲାଭକରି ଡାକ୍ତରଙ୍କୁ ନିଯୁକ୍ତ ଦିଆଯିବା ପରେ ଡାକ୍ତର ସଂଗ୍ରାମ ମହାନ୍ତିଙ୍କୁ ନିଜ ମୁଳ ନିଯୁକ୍ତି ସ୍ଥାନ ଅଲଣାହାଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୬ଦିନ ପାଇଁ ପୂର୍ଣ୍ଣବାର ନିର୍ଦ୍ଦେଶ କରାଯାଇଥିଲା । ଯାହାକୁ ନେଇ ନାଉଗାଁର ବିଭିନ୍ନ ସଂଗଠନ ପକ୍ଷରୁ ୯ ଦଫା ଦାବି ସହିତ ଡାକ୍ତର ମହାନ୍ତିଙ୍କୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୩ଦିନ ଅବସ୍ଥାପିତ କରିବାକୁ ନେଇ ଦିନ ତମାମ ଅନଶନ ଜାରି ରହିଥିଲା । ନାଉଗାଁ ଭାରାପ୍ରାପ୍ତ ଚିକିତ୍ସାଧିକାରୀ ସୁନନ୍ଦନ ମହାନ୍ତି ଘଟଣାସ୍ଥଳରେ ପହଁଚି ଆଲୋଚନା କରିବା ପରେ ମଧ୍ୟ ଡାକ୍ତର ମହାନ୍ତିଙ୍କୁ ସପ୍ତାହକୁ ୩ଦିନ ପାଇଁ ଏଠାକୁ ଅବସ୍ଥାପିତ କରା ନଗଲେ ଅନଶନ ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଥିଲା । ସଂଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜେ.ସି ମହନ୍ତ ଓ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ବସନ୍ତ କୁମାର ବାରିକ ଘଟଣାସ୍ଥଳରେ ପହଁଚି ଅନଶନକାରୀଙ୍କ ସହିତ ଆଲୋଚନା କଲା ପରେ ଡାକ୍ତର ମହାନ୍ତଙ୍କୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏବେ କିଛିଦିନ ପାଇଁ ସପ୍ତାହକୁ ୩ଦିନ ପାଇଁ ଅବସ୍ଥାପିତ କରାଯିବ ବୋଲି ପ୍ରତିଶୃତି ଦେବାରୁ ଉକ୍ତ ସଂଗଠନ ଗୁଡିକ ଅନଶନରୁ ଓହରି ଥିବା ଜଣାଯାଇଛି । ଅନ୍ୟପଟେ ଅଲଣାହାଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତ ଥିବା ଡାକ୍ତରଙ୍କୁ ସପ୍ତାହକ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ନାଉଗାଁ ଜନ ସୁରକ୍ଷା କମିଟି ପକ୍ଷରୁ ଦାବି ପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ଉକ୍ତ ଦାବି ପତ୍ରରେ ଦର୍ଶାଇଛନ୍ତି ଅଲଣା,ନୂଆଗାଁ, ଗଜରାଜପୁର, ଗଳଧାରୀ, ପଲ୍ଲି, ତୁମ୍ବା ଅଣ୍ଡେଇସାହି, ସଂଗ୍ରାମପୁର, ଶାଳଜଙ୍ଗ ଆଦି ପଂଚାୟତର ୧୦ହଜାରରୁ ଉର୍ଦ୍ଧ ଜନସାଧାରଣ ଅଲଣାହାଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ସ୍ଥଳେ ଏଠାରେ ଥିବା ଜଣେ ମାତ୍ର ଡାକ୍ତର ମହାନ୍ତି ୨୦୧୪ ମସିହାରେ ନିୟମିତ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ୨୦୧୯ ଫ୍ରେବୃଆରୀ ମାସ ପର୍ଯ୍ୟନ୍ତ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ଯାହାଦ୍ୱାରା ଏଠାରେ ରୋଗୀ ସେବା ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା । ମାତ୍ର ଗତ ମାସ ମାର୍ଚ୍ଚ ୩ ତାରିଖରୁ ଡାକ୍ତର ମହାନ୍ତି ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରେ ଯୋଗଦେବା ପରଠାରୁ ଉକ୍ତ ପଂଚାୟତର ଜନ ସାଧାରଣମାନେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି । ଯଦି ଉକ୍ତ ଡାକ୍ତରଙ୍କୁ ପୁର୍ଣ୍ଣବାର ୩ଦିନ ପାଇଁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବସ୍ଥାପିତ କରାଯିବ ଏଠାରେ ପୁର୍ଣ୍ଣବାର ରୋଗୀ ସେବାରେ ବ୍ୟାଘାତ ଘଟିବ ବୋଲି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ଜଣେ ଡାକ୍ତରକୁ ନେଇ ନାଉଗାଁରେ ବାଦି ପାଲା ସୃଷ୍ଟି ହେଉଥିବା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟି ଥିବା ଚର୍ଚ୍ଚା ହେଉଛି ।


