ନାଗରିକତା (ସଂଶୋଧନ) ଆଇନ୍ (ସିଏଏ) ପ୍ରତ୍ୟାହାର ପାଇଁ ଓଡ଼ିଶାରେ ବାମପନ୍ଥୀ ଦଳମାନଙ୍କର ଦାବୀ
ଭୁବନେଶ୍ୱର : କେନ୍ଦ୍ରର ବିଜେପି ସରକାର ପାର୍ଲାମେଣ୍ଟରେ ନିଜର ଆସୁରିକ ସଂଖ୍ୟାଗରଷ୍ଠତା ବଳରେ ନାଗରିକତା (ସଂଶୋଧନ) ଆଇନ୍ (ସିଏଏ) ପ୍ରଣୟନ ସଙ୍ଗେ ସଙ୍ଗେ ସମଗ୍ର ଦେଶରେ ନାଗରିକ ପଞ୍ଜିକରଣ (ଏନ୍ଆରସି) ଏବଂ ଏକ ଜାତୀୟ ଜନସଂଖ୍ୟା ରେଜିଷ୍ଟାର (ଏନ୍ପିଆର) ପ୍ରସ୍ତୁତି ପାଇଁ ଘୋଷଣା କରିଛନ୍ତି । ନନାଗରିକତା (ସଂଶୋଧନ) ଦେଶର ସମ୍ବିଧାନ ବିରୋଧୀ । ବିଜେପି ତାର ସାମ୍ପ୍ରଦାୟିକତାବାଦୀ ହିନ୍ଦୁତ୍ୱାବାଦୀ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ଦିଗରେ କାର୍ଯ୍ୟ କରୁଛି । ଆଜି ଏଠାରେ ସିପିଆଇ, ସିପିଆଇ (ଏମ୍), ସିପିଆଇ (ଏମ୍ଏଲ) ଲବିରେସନ ଏବଂ ଫରୱାର୍ଡ଼ ବ୍ଲକର ଏକ ମିଳିତ ବୈଠକରେ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ବାମଦଳ ମାନଙ୍କର ଏହି ବୈଠକ ପରେ ଏକ ମିଳିତ ପ୍ରେସ୍ ଇସ୍ତାହାରରେ ଧର୍ମୀୟ ବାଛବିଚାରମୂଳକ ନାଗରିକତା (ସଂଶୋଧନ) ଆଇନ୍ ଫଳରେ ସମ୍ବିଧାନର ଧାରା ୧୪ ଓ ୧୫ରେ ପ୍ରାପ୍ତ ସମାନତା ଅଧିକାର ବ୍ୟବସ୍ଥା କ୍ଷୁର୍ଣ୍ଣ ହେବ ବୋଲି କୁହାଯାଇଛି । ସାରା ଦେଶରେ ଛାତ୍ର, ଯୁବକ, ଶିକ୍ଷକ, ବୁଦ୍ଧିଜୀବୀ, ଲେଖକ, ବୈଜ୍ଞାନିକ ସମେତ ଲକ୍ଷ ଲକ୍ଷ ଲୋକ ଆନ୍ଦୋଳନ କରୁଛନ୍ତି । ବିଜେପି ଶାସିତ ରାଜ୍ୟ ସରକାରମାନେ ଏହି ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛନ୍ତି । ଆଜିସୁଦ୍ଧା ୨୫ଜଣ ନିରୀହ ଲୋକ ପୋଲିସ୍ ଗୁଳିରେ ନିହତ ହେଲେଣି । ଦେଶର ଘୋର ଆର୍ôଥକ ମାନ୍ଦାବସ୍ଥା, ଅହେତୁକ ଦର ବୃଦ୍ଧି, ବେକାରୀ, ଆର୍ଥିକ ଅସମାନତା ବୃଦ୍ଧି ଯୋଗୁ ଲୋକଙ୍କ ଦୈନନ୍ଦିନ ଜୀବନ ସନ୍ତୁଳିତ ହେଉଥିବା ବେଳେ ଜନମତକୁ ବିଭ୍ରାନ୍ତ କରିବା ଲାଗି ବିଜେପି ନାଗରିକ ପ୍ରସଙ୍ଗ ଉତ୍ଥାପନ କରୁଛି । ବିଜେପି ସରକାରର ଭ୍ରାନ୍ତ ଅର୍ଥନୀତି ଯୋଗୁ ଧନୀ କୁବେରଙ୍କ ଅର୍ଥ ବଢିବାରେ ଲାଗିଛି । ବେକାରୀ ହାର ୫୦ ବର୍ଷର ରେକର୍ଡ଼ ଭଙ୍ଗ କଲାଣି । ଦର ବୃଦ୍ଧି ଆକାଶଛୁଆଁ । ଏଣେ ବିଜେପି ଶ୍ରମିକ କର୍ମଚାରୀମାନଙ୍କ ଟ୍ରେଡ଼ ୟୁନିୟନ ଅଧିକାରକୁ କ୍ଷୁର୍ଣ୍ଣ କରିବା ଉଦ୍ଦେଶ୍ୟରେ ଆଇନ୍ର ସଂଶୋଧନ କରି ଚାଲିଛନ୍ତି ।
ଏଭଳି ସ୍ଥିତି ବିରୋଧରେ ଦେଶର ସମସ୍ତ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ଫେଡ଼େରେସନମାନଙ୍କ ପକ୍ଷରୁ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଓ ଗ୍ରାମୀଣ ହରତାଳ ପାଇଁ ଦେଇଥିବା ଡ଼ାକରାକୁ ଓଡ଼ିଶାରେ ବାମପନ୍ଥୀମାନେ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛନ୍ତି । ବାମପନ୍ଥୀ ଦଳମାନଙ୍କର ଏହି ବୈଠକରେ ସିପିଆଇ(ଏମ୍) ଓଡ଼ିଶା ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନୟକ, ଜଗନ୍ନାଥ ମିଶ୍ର, ଦୁଷ୍ମନ୍ତ ଦାସ, ସୁରେଶ ପାଣିଗ୍ରାହୀ, ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଏବଂ ରାମକୃଷ୍ଣ ପଣ୍ଡା, ସିପିଆଇ (ଏମ୍ଏଲ୍) ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଓ ମହେନ୍ଦ୍ର ପରିଡ଼ା ଏବଂ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ତରଫୁ ପୂର୍ଣ୍ଣଚନ୍ଦ୍ର ପାଢୀ ଯୋଗ ଦେଇଥିଲେ ।


