ନାବାଳିକା ଦୁଷ୍କର୍ମକାରୀକୁ ୭ବର୍ଷ
ବାଲେଶ୍ୱର, (ସରୋଜ ପଣ୍ଡା) :-ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ବାଲେଶ୍ୱର ଅତିରିକ୍ତ ଜିଲା ଓ ଦøରାଜଜ ତଥା ସ୍ପେଶାଲ ଜଜ ଜଗଦ୍ଦୀଶ ପ୍ରସାଦ ମହାନ୍ତି ଅଭିଯୁକ୍ତ ଈଶ୍ୱର ବେହେରାକୁ ୭ବର୍ଷ ସଶ୍ରମ କାରାଦଣ୍ଡ ସହ ୧୧ହଜାର ଟଙ୍କାର ଜରିମାନା ଅଦେଶ ଦେଇଛନ୍ତି । ବାଲେଶ୍ୱର ସହରର ଅଙ୍ଗାରଗଡ଼ିଆ ଅଞ୍ଚଳର ଜନୈକ ନାବାଳିକା ନିଜର ମୋବାଇଲ ଫୋନ ମରାମତି ପାଇଁ ୨୦୧୬ ମସିହା ଅକ୍ଟୋବର ୨୯ ତାରିଖରେ ଫାଣ୍ଡିଛକସ୍ଥିତ ସୁଦାମା ହୋଟେଲ ଗଳି ମୋବାଇଲ ଦୋକାନରେ ଦେଇଥିଲେ । ସପ୍ତାହ ପରେ ଅର୍ଥାତ ନଭେମ୍ବର ୬ ତାରିଖରେ ସମ୍ପୃକ୍ତ ନାବାଳିକା ଫାଣ୍ଡିଛକରୁ କଚେରୀ ଗଡ଼ାଣକୁ ପରିବା କିଣିବାକୁ ଯିବା ବେଳେ ସେହି ଦୋକାନରେ କାମ କରୁଥିବା ବସ୍ତା ଥାନା ଅନ୍ତର୍ଗତ ହଳଦୀପଦା ଅଞ୍ଚଳର ଶରତ ବେହେରାଙ୍କ ପୁତ୍ର ଇଶ୍ୱର ବେହେରା (୩୩) ତାଙ୍କୁ ମୋବାଇଲ ମରାମତି ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ଗୋଡ଼ ଖରାପ ଥିବା ଯୋଗୁଁ ତାଙ୍କୁ ନେଇ ନୀଳିଆବାଗ ଅଞ୍ଚଳ ଘରେ ଛାଡ଼ିଦେବାକୁ ଅନୁରୋଧ କରିଥିଲେ । ନାବାଳିକା ମୋବାଇଲ ଦୋକାନ ମିସ୍ତ୍ରୀ ଶ୍ରୀ ବେହେରାକୁ ନିଜ ସ୍କୁଟିରେ ନେଇ ନୀଳିଆବାଗ ଘରେ ଛାଡ଼ି ଦେଇଥିଲେ । ଘର ସମ୍ମୁଖରେ ଗାଡ଼ିରୁ ଓହ୍ଲାଇବା ସହ ଭୁଜାଲି ଦେଖାଇ ନାବାଳିକାକୁ ଘର ଭିତରକୁ ଭିଡ଼ି ନେଇ ଶ୍ରୀ ବେହେରା ନାବାଳିକାକୁ ଦୁଷ୍କର୍ମ କରିଥିଲେ । ନାବାଳିକା ପରିବାରର ଏତଲାମୂଳେ ଟାଉନଥାନା ପୁଲିସ ୨୭୮/୭.୧୧.୨୦୧୬ ନଂରେ ମାମଲା ରୁଜୁ ସହ ଅଭିଯୁକ୍ତକୁ ଗିରଫ କରିଥିଲା । ଟ୍ରାଏଲ ନଂ ୧୮/୨୦୧୭ ଓ ସ୍ପେଶାଲ କେସ ନଂ୬୨୮/୨୦୧୬ର ସମସ୍ତ ସାକ୍ଷୀଙ୍କ ବୟାନ ଓ ଆନୁସଙ୍ଗିକ ଦସ୍ତାବିଜକୁ ଭିତ୍ତି କରି ସ୍ପେଶାଲ ଜଜ ଶ୍ରୀ ମହାନ୍ତି ଅଭିଯୁକ୍ତ ଈଶ୍ୱର ବେହେରାକୁ ଦୋଷୀ ସାବ୍ୟସ୍ତ ସହ ୭ବର୍ଷ ଜେଲ ଓ ୧୧ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୧୪ମାସ ଜେଲ ଭୋଗିବାକୁ ରାୟରେ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରିଥିଲେ ।