ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ
ବୋଲଗଡ(ଯୁଗାବ୍ଦ ନ୍ୟୁଜ):ବେଗୁନିଆ-ବୋଲଗଡ ବିଧାନସଭା କ୍ଷେତ୍ରରେ ବହୁଦିନର କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଗୁରୁବାର ମଧ୍ୟାହ୍ନରେ କଂଗ୍ରେସ ପ୍ରାର୍ଥୀ ଉପଜିଲ୍ଲାପାଳ ଖୋର୍ଦ୍ଧାଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସୂଚନା ଯୋଗ୍ୟ ଚଳିତ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟର ହେବାକୁଥିବା ମତଦାନରେ ଏହି ନିର୍ବାଚନ ମଣ୍ଡଳିରୁ ଶାସକ ବିଜେଡି ପ୍ରାର୍ଥି ନାମାଙ୍କନପତ୍ର ଗତ ମଙ୍ଗଳବାର ଦାଖଲ କରିସାରିଛନ୍ତି । ମାତ୍ର କଂଗ୍ରେସ ଦଳରୁ ପୂର୍ବତନ ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ପୁଅ ପୃଥିବୀବଲ୍ଲବ ପଟ୍ଟନାୟକ ପିସିସି ପକ୍ଷରୁ ପ୍ରାର୍ଥି ଚୟନ କରାଯାଇଥିଲା । ମାତ୍ର ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଟିକେଟକୁ ଗ୍ରହଣ କଲେ ନାହିଁ । ୨୦୧୪ ନିର୍ବାଚନରେ ପ୍ରଦୀପ ସାହୁ କଂଗ୍ରେସ ଛାଡି ଆମ ଓଡିଶା ପାର୍ଟିରୁ ପ୍ରାର୍ଥି ହୋଇ ଦ୍ୱିତୀୟସ୍ଥାନରେ ରହିଥିଲେ ।ମାତ୍ର ପ୍ରଦୀପ ସାହୁ ପୁନଶ୍ଚ କଂଗ୍ରେସକୁ ଫେରିବାରୁ ଅତିତରବରିଆ ଭାବେ ବୁଧବାର ବିଳମ୍ବିତ ରାତ୍ରରେ ଶ୍ରୀ ସାହୁଙ୍କୁ କଂଗ୍ରେସ ଦଳ ଟିକେଟ ଦେଇଛି । ଶ୍ରୀ ସାହୁ କଂଗ୍ରେସ ଟିକେଟ ପାଇ ଗୁରୁବାର ମଧ୍ୟାହ୍ନରେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡଠାରୁ ଏକ ବିରାଟ ପଟୁଆରରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଶ୍ରୀ ସାହୁଙ୍କ ଶୋଭାଯାତ୍ରାରେ ନିର୍ବାଚନ ମଣ୍ଡଳିର ବହୁ ଜନପ୍ରତିନିଧି ଦଳୀୟ କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ । ଶେଷରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ କୃତଜ୍ଞତା ଜଣାଇଥିଲେ ।


