ଚିଲିକା ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ
ବାଲୁଗାଁ(ଯୁଗାବ୍ଦ ନ୍ୟୁଜ): ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ବିଜେଡି ପ୍ରାର୍ଥୀ ଭାବେ ପ୍ରଶାନ୍ତ କୁମାର ଜଗଦେବ ଗୁରୁବାର ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ୪ ପର୍ଯ୍ୟାୟ ନିର୍ବାଚନୀ ସମୟ ଧାର୍ଯ୍ୟ ହୋଇଛି । ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନ ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଆଜି ଶେଷ ଦିନରେ ପହଞ୍ଚିଛି । ଶେଷ ପର୍ଯ୍ୟାୟରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଶାନ୍ତ କୁମାର ଜଗଦେବ ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର, ବ୍ରହ୍ମଗିରି ବିଧାୟକ ସଞ୍ଜୟ କୁମାର ଦାସବର୍ମା, ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସମେତ ହଜାର ହଜାର ସଂଖ୍ୟାରେ ସମର୍ଥକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଶୁଭେଚ୍ଛୁ, ପ୍ରଶଂସକ ଏବଂ ଖୋର୍ଦ୍ଧା ଜିଲ୍ଲାର ବହୁ ଦଳୀୟ କର୍ମୀ ବାଜା ରୋସଣୀ ସହ ପଟୁଆରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଫିସର ଏଡିଏମ୍ ମନୋରଞ୍ଜନ ମଲ୍ଲିକଙ୍କ ସମ୍ମୁଖରେ ସତ୍ୟପାଠ କରିବା ସହ ତିନିସେଟ୍ ନାମାଙ୍କନପତ୍ର ଦାଖଲ କରିଥିଲେ । ଏତେସଂଖ୍ୟକ ଲୋକଙ୍କ ଭଲପାଇବାକୁ ଗ୍ରହଣ କରି ପ୍ରଶାନ୍ତ କୁମାର ଜଗଦେବ ଜନସମ୍ମୁଖରେ ଚିଲିକା ନିର୍ବାଚନମଣ୍ଡଳୀର ଉନ୍ନତିକରଣ ଏବଂ ଆଧୁନିକୀକରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।


