ନିର୍ବାଚନ ସଂକ୍ରାନ୍ତରେ ରାଜନୈତିକ ଦଳ ସହ ବୈଠକ

ବାଲେଶ୍ୱର : ରାଜନୈତିକ ଦଳଗୁଡିକୁ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ରାଉତ ନିର୍ବାଚନ ସଂକ୍ରାନ୍ତରେ ଏକ ବୈଠକର ଆୟୋଜିତ କରିଛନ୍ତି । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପରଠାରୁ ପ୍ରଶାସନ ତରଫରୁ ନିଆଯାଉଥିବା ପଦକ୍ଷେପଗୁଡିକ ସଂପର୍କରେ ଦଳଗୁଡିକୁ ଅବଗତ କରାଯାଇଥିଲା । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ପ୍ରକାରେ ଆୟୋଜିତ କରାଯାଇଥିବା ବୈଠକରେ ଅନ୍ୟ ବିଷୟ ମଧ୍ୟରେ ଆଦର୍ଶ ଆଚରଣ ବିଧି ଓ ନିର୍ବାଚନ ପରିପ୍ରେକ୍ଷୀରେ କରଣୀୟ ଓ ଅକରଣୀୟ ବିଷୟ ଉପରେ ଆଲୋଚନା କରାଯାଇଥିଲା । ବିଶେଷ ଭାବେ ନିର୍ବାଚନ ପ୍ରଚାର ସମୟରେ ଯେଉଁ ସବୁ ବିଷୟ ପ୍ରତି ରାଜନୈତିକ ଦଳଗୁଡିକ ସତର୍କତା ଅବଲମ୍ବନ କରିବା ବିଧେୟ ସେ ସଂପର୍କରେ ବିଶଦଭାବେ ଆଲୋଚନା କରାଯାଇଥିଲା । ଏଥି ସହିତ ରାଜନୈତିକ ଦଳଗୁଡିକର ବିଭିନ୍ନ ପ୍ରଶ୍ନର ଉତର ଦିଆଯିବା ସହ ତାଙ୍କର ସନ୍ଦେହ ମୋଚନ କରାଯାଇଥିଲା । ପ୍ରାର୍ଥୀମାନେ ସଭା ସମିତି ଆୟୋଜନ, ପ୍ରାର୍ଥୀପତ୍ର ଦାଖଲ, ଏଜେଂଟ ନିଯୁକ୍ତି, ଅପରାଧିକ ରେକର୍ଡ ପ୍ରଶାସନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଆକର୍ଷଣ କରାଯାଇଥିଲା । ଇତିମଧ୍ୟରେ ଜିଲ୍ଲାର ସମସ୍ତ ସରକାରୀ କୋଠାବାଡି, ରାସ୍ତା, ଆଶ୍ରୟସ୍ଥଳୀ, ସର୍ବସାଧାରଣ ସ୍ଥାନଗୁଡିକରୁ ପୋଷ୍ଟର, ବ୍ୟାନର, ହୋର୍ଡିଂ ପ୍ରଭୃତି ହଟାଯାଇଛି । ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ନିର୍ବାଚନ ପ୍ରକ୍ରିୟା ସଂଚାଳନ ସକାଶେ ପ୍ରଶାସନ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଖବରଦାତାଙ୍କୁ ଅବଗତ କରାଯାଇଛି । ବୈଠକରେ ଆଦର୍ଶ ଆଚରଣ ବିଧିକୁ କଡାକଡି ଏବଂ ନିରପେକ୍ଷ ଭାବେ ପାଳନ କରାଯିବା କ୍ଷେତ୍ରରେ ରାଜନୈତିକ ଦଳଗୁଡିକର ସହଯୋଗ କାମନା କରାଯାଇଥିଲା । ଏହି ବୈଠକରେ ଭାରତୀୟ ଜନତା ପାର୍ଟି, ଭାରତୀୟ ଜାତୀୟ କଂଗ୍ରେସ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ, ବିଜୁ ଜନତା ଦଳର ପ୍ରତିନିଧିଗଣ ଉପସ୍ଥିତ ଥିବା ବେଳେ ଏସ.ପି. ଯୁଗଳ କିଶୋର, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ନାୟକ, ପିଡି ତ୍ରିଲୋଚନ ପ୍ରଧାନ, ଉପଜିଲ୍ଲାପାଳ ନୀଲୁ ମହାପାତ୍ର, ଉପଜିଲ୍ଲାପାଳ ନୀଳଗିରି ବିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ