ନିଶାଦ୍ରବ୍ୟ ସହ ପାକିସ୍ତାନୀ ମାଛଧରା ଡଙ୍ଗାକୁ ଜବତ କଲା ତଟରକ୍ଷୀ ବାହିନୀ
(ଯୁଗାଦ୍ଦ ନ୍ୟୁଜ) , ଗୁଜରାଟ ଉପକୂଳ ଠାରୁ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ଜଳସୀମାରେ ଏକ ମାଛଧରା ଡଙ୍ଗା ସନ୍ଦିଗ୍ଧ ଅବସ୍ଥାରେ ଭାରତ ଆଡ଼କୁ ଆସୁଥିବା ସମ୍ପର୍କରେ ୧୯ ମେ ରାତି ପ୍ରାୟ ୯ଟା ବେଳେ ଗୁଇନ୍ଦା ସୂଚନା ମିଳିଥିଲା । ସେହିପରି ଏକ ସୂଚନା ପରଦିନ ଅର୍ଥାତ୍ ୨୦ ମେ ରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ନିକଟରୁ ମିଳିଥିଲା ।ଏହି ସୂଚନା ପାଇବା ପରେ ଭାରତୀୟ ତଟରକ୍ଷୀ ବାହିନୀ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ପାଟ୍ରୋଲିଂରେ ନିୟୋଜିତ ତଟରକ୍ଷୀ ବାହିନୀର ଜାହାଜ ଅରିଞ୍ଜୟ ତୁରନ୍ତ ସଜାଗ ହୋଇଯାଇଥିଲା । ଦୁଇଟି ଅତିରିକ୍ତ ବୋଟ ମଧ୍ୟ ସନ୍ଦିଗ୍ଧ ପାକିସ୍ତାନୀ ଡଙ୍ଗାକୁ ଠାବ କରିବା ଲାଗି ନିୟୋଜିତ ହୋଇଥିଲା । ଆକାଶମାର୍ଗରୁ ଅନୁଧ୍ୟାନ ପାଇଁ ତଟରକ୍ଷୀ ବାହିନୀର ଆଇସିଜି ଡୋର୍ନିଅର ବିମାନ ମଧ୍ୟ ପୋରବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା ।ବ୍ୟାପକ ତଲାସୀ ପରେ ସନ୍ଦିଗ୍ଧ ପାକିସ୍ତାନୀ ଡଙ୍ଗାକୁ ଠାବ କରାଯାଇଥିଲା । ଜାଖାଉ ଉପକୂଳରେ ସନ୍ଦିଗ୍ଧ ପାକିସ୍ତାନୀ ଡଙ୍ଗାଟି ଅନ୍ତର୍ଜାତୀୟ ଜଳସୀମାର ଉଲ୍ଲଙ୍ଘନ କରି ଭାରତ ସୀମାକୁ ପଶିଆସିଥିବା ବେଳେ ୨୧ ମେରେ ତଟରକ୍ଷୀ ବାହିନୀ ହାତରେ ଧରାପଡ଼ିଥିଲା । ଅଲ ମଦୀନା ନାମକ ଏହି ବୋଟ୍କୁ ଭାରତୀୟ ଜଳସୀମାରେ ତଟରକ୍ଷୀ ବାହିନୀ ଜାହାଜ ଅରିଞ୍ଜୟ ଅଟକ ରଖିଥିଲା । ଅନୁସନ୍ଧାନ ପରେ ଜଣାପଡ଼ିଥିଲା ଯେ ଏହି ପାକିସ୍ତାନୀ ମାଛଧରା ଡଙ୍ଗାଟି କରାଚିରେ ପଞ୍ଜିକୃତ ହୋଇଛି ଏବଂ ଏଥିରେ ୬ ଜଣ ପାକିସ୍ତାନୀ କର୍ମଚାରୀ ରହିଛନ୍ତି । ପ୍ରାରମ୍ଭିକ ଯାଂଚ ପରେ ଏହି ଡଙ୍ଗାରୁ ୧୯୪ ପ୍ୟାକେଟ ନିଶାଦ୍ରବ୍ୟ ଉଦ୍ଧାର କରାଯାଇଥିଲା । ବର୍ତମାନ ଅଧିକ ତଦନ୍ତ ଲାଗି ଏହି ଡଙ୍ଗାକୁ ଜାଖାଉ ହାର୍ବର ଠାରେ ରଖାଯାଇଛି । କିଛିଦିନ ପୂର୍ବରୁ ୨୪ ମାର୍ଚ୍ଚ ୨୦୧୯ରେ ତଟରକ୍ଷୀ ବାହିନୀର ଜାହାଜ ରାଜରତନ ଏବଂ ଗୁଜରାଟ ଏଟିଏସ୍ର ଏକ ମିଳିତ ଅପରେସନ ସମୟରେ ୧୦୦ କିଗ୍ରା ହେରୋଇନ ଜବତ କରାଯାଇଥିଲା । ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ରାଜେନ୍ଦ୍ର ସିଂ କହିଛନ୍ତି ଯେ ତଟରକ୍ଷୀ ବାହିନୀ ଆରମ୍ଭରୁ ଏ ପର୍ଯ୍ୟନ୍ତ ମୋଟ ୫ହଜାର କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରିସାରିଲାଣି ।


