ନୂଆବର୍ଷରୁ ଅନଲାଇନରେ ଛୁଟି ଦରଖାସ୍ତ
ଭୁବନେଶ୍ୱର : ନୂଆବର୍ଷରୁ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ନିୟମିତ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ସରକାରୀ ଚାକିରିଆମାନେ ଏଣିକି ଛୁଟିରେ ରହିଲେ ଅନଲାଇନରେ ଛୁଟି ଦରଖାସ୍ତ ଦେବାକୁ ସାଧାରଣ ପ୍ରଶାସନ ବିଭାଗ ନିୟମ କରିଛି । କର୍ମଚାରୀମାନେ ଏଚ୍ଆରଏମ୍ଏସରେ ସେମାନଙ୍କର ଛୁଟି ଦରଖାସ୍ତ ଦେବେ । ଏପରିକି ଛୁଟି ମଞ୍ଜୁର କରୁଥିବା ଅଧିକାରୀ ଅନଲାଇନରେ ଅର୍ଥାତ୍ ଏହି ଏଚ୍ଆରଏମ୍ଏସରେ ହିଁ ଛୁଟି ମଞ୍ଜୁର କରିବେ । କେଉଁ କର୍ମଚାରୀ କେତେ ଦିନ ଛୁଟିରେ ରହିଲେ ତା‘ର ସବିଶେଷ ତଥ୍ୟ ଏଚ୍ଆରଏମ୍ଏସରେ ରହିବ । ଜାନୁଆରି ୧ ପରେ ଆଉ କର୍ମଚାରୀଙ୍କଠାରୁ ଅଫଲାଇନ୍ ମୋଡ଼ରେ ଛୁଟି ଦରଖାସ୍ତ ଗ୍ରହଣ କରାଯିବନି । ଅନଲାଇନରେ କର୍ମଚାରୀମାନେ ଛୁଟି ଦରଖାସ୍ତ ଦେଲେ ଏବଂ ଏହା ମଞ୍ଜୁର ହେଲେ ତା’ର ସବିଶେଷ ତଥ୍ୟ ଇ-ସର୍ଭିସ୍ ବୁକ୍ ଏବଂ ପେ-ରୋଲରେ ପ୍ରଦର୍ଶିତ ହେବ । ରାଜ୍ୟ ସରକାର ୩୧ ମାର୍ଚ୍ଚ, ୨୦୨୦ ଠାରୁ ଯେଉଁ କର୍ମଚାରୀ ଯେଉଁଦିନ ଅବସର ନେବେ ସେହିଦିନ ସେମାନଙ୍କୁ ଚୂଡ଼ାନ୍ତ ପେନ୍ସନ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଅନଲାଇନ୍ ପେନସନ୍ ମଡ୍ୟୁଲ୍ ପ୍ରସ୍ତୁତ ହୋଇଛି । ତେଣୁ ଯେଉଁ ବିଭାଗ ଅଧୀନରେ କର୍ମଚାରୀମାନେ ଆସୁଥିବେ ସେହି ବିଭାଗର ଏଷ୍ଟାବ୍ଲିସମେଣ୍ଟ କର୍ମଚାରୀଙ୍କ ଇ-ସର୍ଭିସ୍ ବୁକ୍ ଏବଂ ମାନୁଆଲ୍ ସର୍ଭିସ୍ ବୁକ୍ ସେହି ଅନୁଯାୟୀ ଡିସେମ୍ବର ୩୧, ୨୦୧୯ ସୁଦ୍ଧା ପ୍ରସ୍ତୁତ କରିବାକୁ କୁହାଯାଇଛି ।


