ନୂଆମଠ ଠାରେ ମକର ବେଢ଼ା ପରିକ୍ରମା ନୀତି ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ ସ୍ଥିତ ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର (ନୂଆ ମଠ)ଠାରେ ପବିତ୍ର ମକର ସଂକ୍ରାନ୍ତି ରେ ପାରମ୍ପରିକ ପ୍ରଥାନୁସାରେ ମକର ବେଢ଼ା ପରିକ୍ରମା ନୀତି ଅନୁଷ୍ଠିତ ହୋଇଯାଇଛି। ସୋମବାର ଅପରାହ୍ନ ରେ ମଠ ରେ ପୂଜା ପାଉଥିବା ସମସ୍ତ ଦେବ ଦେବୀ ଙ୍କୁ ପୂଜାର୍ଚ୍ଚନା ପରେ ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ ନାମ ସଙ୍କୀର୍ତ୍ତନ ମଧ୍ୟରେ ଶ୍ରୀ ଗୁରୁଦେବ ଙ୍କ ଶ୍ରୀ ବିଗ୍ରହ ଓ ପାଦୁକା କୁ ପୁଷ୍ପ ସଜ୍ଜିତ ରଥ ରେ ଆମନ୍ତ୍ରଣ କରାଯାଇଥିଲା। ଭକ୍ତ ମାନେ ରଥ କୁ ଗୋପୀ ଦାସ ମଠ,ମା ବାଟ ମଙ୍ଗଳା, ଅନନ୍ତବଟ, ମାଧବାନନ୍ଦ,ମା ଚର୍ଚ୍ଚିକା, ଇଶାନେଶ୍ୱର, ବିରସିଂହ ଗାଦି, ଅନନ୍ତ ବାସୁଦେବ ମନ୍ଦିର, ଆଖଣ୍ଡଳମଣି , ମା ବିଶେଶ୍ୱରୀ ମନ୍ଦିର କୁ ପରିକ୍ରମା କରାଇଥିଲେ। ବାଟରେ ଶ୍ରଦ୍ଧାଳୁ ଭକ୍ତ ପରିବାର ପକ୍ଷରୁ ବାବା ଙ୍କ ଶ୍ରୀ ବିଗ୍ରହ ଓ ପାଦୁକା କୁ ବନ୍ଦାପନା କରି ମକର ଚାଉଳ ଭୋଗ ଲାଗି କରିଥିଲେ। ନୂଆ ମଠ ଓ ଏହାର ଆଖପାଖ ଗ୍ରାମ ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତି ପର୍ବ ଦିନ ଗୁରୁଦେବ ଭକ୍ତ ଙ୍କ ଘର ଘର ବୁଲି ଦର୍ଶନ ଦେଉଥିଲେ ବୋଲି ଭକ୍ତ ପ୍ରୀତି ରଞ୍ଜନ ଦାସ ସୂଚନା ଦେଇଥିଲେ। ମକର ବେଢ଼ା ପରିକ୍ରମା ନୀତି କୁ ମଠ ର ମୂଖ୍ୟ ବାବାଜୀ ଦାମୋଦର ଦାସ ପରିଚାଳନା କରିଥିଲେ ଓ ସେବିକା ସବିତା ଦାସ, ଶକୁନ୍ତଳା ଦାଶ, ଅନୁ ମା, ବାସନ୍ତୀ ମା, ବାବାଜୀ ଅକ୍ଷୟ ଦାସ, ବାବାଜୀ ବିବେକାନନ୍ଦ ଦାସ, ରବୀନ୍ଦ୍ର ଦାସ, କୃଷ୍ଣ ଚନ୍ଦ୍ର ଓଝା ପ୍ରମୁଖ ସହଯୋଗ କରିଥିଲେ। ମକର ବେଢ଼ା ପରିକ୍ରମା ନୀତି ପାଇଁ ସମଗ୍ର ଅଞ୍ଚଳ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।