ନୂଆ ଭାରତ ଗଠନରେ ଶିଶୁମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ବାଲେଶ୍ୱର, (ଚିତ୍ତରଞ୍ଜନ ଦାସ):ଶିଶୁ ଓ କିଶୋରମାନଙ୍କ ପ୍ରତିଭାର ମୌଳିକ ବିକାଶ ପାଇଁ ବାଲେଶ୍ୱରର ପ୍ରତିଷ୍ଠିତ ନୃତ୍ୟ, ସଙ୍ଗୀତ, ଚିତ୍ରକଳା ପ୍ରଶିକ୍ଷଣ କେନ୍ଦ୍ର ‘ନାଚ୍’, ସହଦେବଖୁଣ୍ଟା ଆନୁକୂଲ୍ୟରେ ୭୭ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଚିତ୍ରାଙ୍କନ, ରାଇମ୍ ଏବଂ ସଙ୍ଗୀତ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ବିଭିନ୍ନ ବିଭାଗର ୯୫ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ । ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଚନ୍ଦ୍ରଭାଗାର ନିର୍ଦ୍ଦେଶକ ତଥା କବି ଶ୍ରୀଦେବ ଯୋଗଦେଇ ପିଲାମାନଙ୍କ ଏହି ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ । ତାଙ୍କ ଅଭିଭାଷଣରେ ଅବହେଳିତ ଶିଶୁମାନଙ୍କ ବିକାଶ ଉପରେ ପିଲାମାନଙ୍କୁ ନେଇ ଏକ ପ୍ରାମାଣିକ ଚଳଚ୍ଚିତ୍ର କରିବାକୁ ପ୍ରସ୍ତାବ ରଖିଥିଲେ । ନୂଆ ଭାରତ ଗଠନରେ ଶିଶୁମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଶିଶୁମାନଙ୍କ ଭବିଷ୍ୟତ ତିଆରି ପଛରେ ସର୍ବ ପ୍ରଥମେ ମା’ ମାନଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇôଲେ । ଆଜିର ଶିଶୁ କାଲିର ଭବିଷ୍ୟତ ଓ ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରିବାର ଦକ୍ଷତା ବହନ କରେ ବୋଲି ଆମେମାନେ ଜାଣିବା ଉଚିତ ଓ ସେମାନଙ୍କ ଯତ୍ନ ନେବା ବିଧେୟ ବୋଲି ସ୍ୱୀକାରୋକ୍ତି ରଖିଥିଲେ । ବିଶିଷ୍ଟ ନୃତ୍ୟଶିଳ୍ପୀ ତଥା ‘ନାଚ୍’ର ନିର୍ଦ୍ଦେଶିକା ରୋନାଲିସା ପଣ୍ଡା, ନୃତ୍ୟଗୁରୁ ସେକ୍ ରାଜା, ହିନ୍ଦୁଜା ଲେଲାଣ୍ଡ୍ ଫାଇନାନ୍ସ ଏରିଆ ମ୍ୟାନେଜର ଅରୁଣାଂଶୁ ପ୍ରଶିଗ୍ରାହୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ଶେଷରେ ଟ୍ରଫି ଏବଂ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା ।


