ନେହେରୁ ଯୁବ କେନ୍ଦ୍ରର ଦକ୍ଷତା ଭିତ୍ତିକ ବାଣିଜ୍ୟିକ କର୍ମଶାଳା ଉଦଯାପିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଭାରତ ସରକାରଙ୍କ ଯୁବ ବ୍ଯାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଆନୁକୂଲ୍ୟରେ ନେହେରୁ ଯୁବକେନ୍ଦ୍ର ଏବଂ ବିବେକାନନ୍ଦ ଯୁବକ ସଂଘର ମିଳିତ ସହଯୋଗରେ ଛାତ୍ରଛାତ୍ରୀଙ୍କ ପାଇଁ ଦକ୍ଷତାଭିତ୍ତିକ ବାଣିଜ୍ୟିକ ଶିକ୍ଷା ଉପରେ ଚାଲିଥିବା କମ୍ପ୍ୟୁଟର୍ ତାଲିମ୍ ଶିବିର ଆଜି ଉଦଯାପିତ ହୋଇଯାଇଛି I ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଏମସିସି ଏକାଡ଼େମୀ ପରିସରରେ ସ୍ଥାନୀୟ ଆଂଚଳିକ ମହାବିଦ୍ୟାଳୟ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନେହେରୁ ଯୁବ କେନ୍ଦ୍ରର ଗଞ୍ଜାମ ଜିଲ୍ଳା ସଂଯୋଜକ ଅକ୍ଷୟ ନିପାଣେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ କମ୍ପ୍ୟୁଟର୍ ଶିକ୍ଷାର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ସେହିପରି ସମ୍ମାନୀତ ଅତିଥି ଭାବେ ଆଇବିଏମ୍ ର ବରିଷ୍ଠ ପରିଚାଳକ ଅଧ୍ୟାପକ ଡ.ସନ୍ତୋଷ କୁମାର ପାଣିଗ୍ରାହୀ, ଗୋବରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା, ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ଵାଇଁ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଆତ୍ମ ନିଯୁକ୍ତି କ୍ଷେତ୍ରରେ ଦକ୍ଷତାଭିତ୍ତିକ ବୈଷୟିକ ଶିକ୍ଷାର ଉପଯୋଗିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ I ଏହି ଅବସରରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା 30 ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା I କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ର ସଂଯୋଜିକା ଦିପ୍ତିମୟୀ ବେହେରା ସଂଯୋଜନା କରିଥିଲେ I


