ପଂଚାୟତ ନିର୍ବାଚନକୁ ଅଳ୍ପ ଦିନ ରହିଲା : ପୋଲିସ୍ ଓ ମାଜିଷ୍ଟ୍ରେଟର ସମନ୍ୱୟ ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) :ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାବନ ନିକଟତର ହୋଇ ଆସୁଛି । ଏଥିପାଇଁ ମଧ୍ୟ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ବିଭିନ୍ନ ରାଜନୈତିକ ଦଳର ଉଷ୍ମତା ରହିଛି । ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ଏବଂ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଚଳଚଞ୍ଚଳ ରହିଛି । ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ଏବଂ ଅବାଧ ନିର୍ବାଚନ ଲାଗି ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପାଇଁ ଏବେ ବଡ ଚ୍ୟାଲେଞ୍ଜ ରହିଛି । ଆଗାମୀ ପଞ୍ଚାୟତ ନିର୍ବାଚନକୁ ସୁରୁଖୁରୁ ରେ ସମ୍ପନ୍ନ କରିବା ଲାଗି ସୋମବାର ଛତ୍ରପୁର ଉପଖଣ୍ଡ ସ୍ତରୀୟ ପୁଲିସ ଓ ମାଜିଷ୍ଟ୍ରେଟ୍ର ସମନ୍ୱୟ ବୈଠକ ସ୍ଥାନୀୟ ସମଗ୍ର ଶିକ୍ଷା ଅଭିଯାନ ଜିଲ୍ଲା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଗତ ପଞ୍ଚାୟତ ଓ ସାଧାରଣ ନିର୍ବାଚନ ବେଳେ ଦେଖାଦେଇଥିବା ରାଜନୈତିକ ହିଂସାକୁ ଦୃଷ୍ଟିରେ ରଖି ଚଳିତ ନିର୍ବାଚନରେ ଆଗୁଆ ସଜାଗ ରହିବା ପାଇଁ ପୋଲିସ୍ ଓ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ମାନଙ୍କୁ ଚେତାଇ ଦେଇଛନ୍ତି । ପୋଲିସ୍ ପକ୍ଷରୁ ନିଜ ଥାନା ଅଞ୍ଚଳର ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ଚିହ୍ନଟ କରି ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ସିଆରପିସି ୧୦୭ ଓ ୧୧୦ ନୋଟିସ ଜାରି କରିବା ପାଇଁ ସମସ୍ତ ଥାନା ଅଧିକାରୀମାନଙ୍କୁ କୁହାଯାଇଛି । ଗତ ପଞ୍ଚାୟତ ନିର୍ବାଚନ ସମୟରେ ଦେଖାଦେଇଥିବା ବିଭିନ୍ନ ରାଜନୈତିକ ହିଂସାକୁ ଦୃଷ୍ଟିରେ ରଖି ଚଳିତ ନିର୍ବାଚନ ପାଇଁ ସବୁ ଥାନା ଗୁଡିକରେ ସଜାଗ ରହିବା ପାଇଁ କୁହାଯାଇଛି । ପଞ୍ଚାୟତ ଓ ଗାଁ ଗୁଡିକରେ ଏବଠୁ ହିଁ ବିଭିନ୍ନ ଥାନା ପକ୍ଷରୁ ସଚେତନତା ଜାରି କରାଯାଉ । ପଞ୍ଚାୟତ ନିର୍ବାଚନ ବେଳେ ରାଜନୈତି ଦଳର ସଭା, ବିବାହ, ଭୋଜିଭାତ ଉପରେ ତୀକ୍ଷଣ ନଜର ରଖାଯିବ । ସେହିପରି କୋଭିଡ୍ ନିୟମକୁ କଡାକଡି ପାଳନ କରାଯିବା କ୍ଷେତ୍ରରେ ତହସିଲଦାର ଓ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉକୁ ଜୋରଦାର କରାଯିବ । ରାତି ୯ଟାରୁ ନାଇଟ୍କର୍ଫ୍ୟୁ ଆରମ୍ଭ ହେବା ପୂର୍ବରୁ ସାଢେ ୮ଟାରୁ ହିଁ ଜନସାଧାରଣ ଏବଂ ଦୋକାନୀମାନଙ୍କୁ ସଚେତନତା କରାଯିବ । ପଞ୍ଚାୟତ ଓ ଗାଁ ଗୁଡିକର ଗ୍ରାମ୍ୟ କମିଟି ଏବଂ ଭଦ୍ରବ୍ୟକ୍ତିମାନଙ୍କୁ ପଞ୍ଚାୟତ ଓ ଗାଁ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ୍ ଓ ପ୍ରଶାସନକୁ ସହଯୋଗ କରିବା ପାଇଁ ବାରମ୍ବାର ସମନ୍ୱୟ ବୈଠକ କରି ସଚେତନତା କରାଯାଉଛି । ମୋଷ୍ଟ ୱାଣ୍ଟେଡ୍ ତଥା ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖାଯିବ । ଆବଶ୍ୟକ ପଡିଲେ ସେମାନଙ୍କ ବିରୁଦ୍ଧରେ ଜାମୀନ ବିହିନୀ ଗିରଫ ପରୱାନା(ଏନ୍ବିଡବ୍ଲୁ) ଜାରି କରାଯିବ । ନିର୍ବାଚନ ବେଳେ ଏବଂ ପୂର୍ବରୁ ବେଆଇନ ମଦ କାରବାର ଉପରେ ମଧ୍ୟ ଘନଘନ ଚଢଉ ଜାରି ରଖାଯିବ । ରାତିରେ ବେଆଇନ ଖଣିଜ ଦ୍ରବ୍ୟ ଚୋରାଚାଲଣ ଉପରେ ପୋଲିସ୍ ଓ ତହସିଲଦାର ମିଳିତ ଭାବେ ଚଢଉ କରିବା ପାଇଁ ଛତ୍ରପୁର ଉପଜିଲ୍ଲାପାଳ ଶ୍ରୀ ଭୋଇ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ୍, ଆସିକା ଏସ୍ଡିପିଓ ଉମାଶଙ୍କର ସିଂ, ଉପଖଣ୍ଡର ସମସ୍ତ ତହସିଲଦାର, ବିଡିଓ ଏବଂ ସହରାଞ୍ଚଳର ଇଓ ଓ ସମସ୍ତ ଥାନାଧିକାରୀ ମାନେ ବୈଠକରେ ଉପସ୍ଥିତ ଥିଲେ ।


