ପଦବି ପୂରଣ ନହେବାରୁ ସରକାରୀ ବ୍ୟବସ୍ଥା ଅଚଳ

ଯୋଡ଼ା , (ଯୁଗାଦ୍ଦ ନ୍ୟୁଜ ) କେନ୍ଦୁଝର ଜିଲା ଯୋଡା ବ୍ଲକର ବିଭିନ୍ନ ବିଭାଗର ସରାକରୀ କାର୍ଯ୍ୟାଳୟରେ ମୁଖ୍ୟ ଅଧିକାରୀ ପଦବୀ ଖାଲି ପଡିଥିବା ଜଣାପଡିଛି । ଯୋଡା ଖଣି ମଣ୍ଡଳ ତଥା ବ୍ଲକରୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ୱ ପାଉଥିବା ବେଳେ ଏ ଅଂଚଳରେ ଥିବା ମୁଖ୍ୟ କାର୍ଯ୍ୟାଳୟ ଗୁଡିକରେ ମୁଖ୍ୟ ଅଧିକାରୀ ପଦବୀରେ କେହି ନାହାନ୍ତି । ସରକାରୀ କାର୍ଯ୍ୟାଳୟ ଗୁଡିକ ସହକାରୀ ଅଧିକାରୀ କିମ୍ବା କିରାନୀଙ୍କ ଦ୍ୱାରା ଏହି କାର୍ଯ୍ୟାଳୟ ଗୁଡିକ ପରିଚାଳିତ ହେଉଥିବା ଜଣାପଡିଛି । ଜଣେ ଅଧିକାରୀ ଦୁଇ ଦୁଇଟି ପଦବୀରେ ଅବସ୍ଥାପିତ ହୋଇ କାର୍ଯ୍ୟ ତୁଲାଉଥିବା ଦେଖିବାକୁ ମିଳିଛି । ଯାହାଦ୍ୱାରା ଅଂଚଳର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ସାଧାରଣ ଲୋକ ସରକାରଙ୍କର ବିଭିନ୍ନ ବିକାଶମୂଳକ ଯୋଜନାର ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ଯୋଡା ଖଣିମଣ୍ଡଳ ଖଣିବହୁଳ ଅଂଚଳ ହୋଇଥିବାରୁ ଏଠାରେ ସାଧାରଣ ଲୋକ ପ୍ରାୟତଃ ଖଣି ଉପରେ ନିର୍ଭର କରିଥାନ୍ତି । ଏହାସହିତ ଖଣି ଅଂଚଳରୁ ମିଳୁଥିବା ରାଜସ୍ୱରେ ସରକାରଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ ହୋଇଥାଏ । କିନ୍ତୁ ସମସ୍ତ ଖଣି ଗୁଡିକର ତଦାରଖ କାର୍ଯ୍ୟ କରୁଥିବା ଯୋଡା ଖଣି ଉପନିର୍ଦ୍ଦେଶାଳୟରେ ଖଣି ଉପନିର୍ଦ୍ଦେଶକ ପଦବୀ ଖାଲି ପଡିଛି । ଯୋଡା ଖଣିମଣ୍ଡଳରେ ଥିବା ବିଭିନ୍ନ ଖଣି ଗୁଡିକର ସରକାରୀ ସ୍ତରରେ ଖଣି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ବହୁ ବଡ ବଡ ଖଣି କମ୍ପାନୀ ଏହି ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଯାଉଥିବା ବେଳେ ଜଣେ ବରିଷ୍ଠ ଖଣି ଅଧିକାରୀ ଯୋଡା ଖଣି ଉପନିର୍ଦ୍ଦେଶକ ପଦବୀ ଦାୟିତ୍ୱରେ ରହି କାର୍ଯ୍ୟ ତୁଲାଉଛନ୍ତି । ପଦବୀ ପୂରଣରେ ସରକାରୀ ଉଦାସୀନତା ସ୍ପଷ୍ଟ ଅନୁମେୟ ହେଉଛି । ସେହିପରି ଯୋଡା ବ୍ଲକ କାର୍ଯ୍ୟାଳୟରେ ବିଡିଓ ପଦବୀ ଏକ ବର୍ଷ ହେବ ଖାଲିପଡିଥିବାରୁ ବଡବିଲ ତହସିଲଦାର ଯୋଡା ବିଡିଓ ଦାୟିତ୍ୱରେ ଅବସ୍ଥାପିତ ହୋଇ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ବଡବିଲ ତହସିଲଦାର ଦୁଇଟି କାର୍ଯ୍ୟାଳୟର ଭାର ସମ୍ଭାଳୁଥିବାରୁ ଗୋଟିଏ କାର୍ଯ୍ୟାଳୟରେ ଉପସ୍ଥିତ ରହିଲେ ଅନ୍ୟ କାର୍ଯ୍ୟାଳୟର କାର୍ଯ୍ୟ ତୁଲାଇପାରୁନଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ବଡବିଲ ତହସିଲ କାର୍ଯ୍ୟାଳୟଠାରୁ ଯୋଡା ବ୍ଲକ ମୁଖ୍ୟ କାର୍ଯ୍ୟାଳୟର ଦୂରତା ୧୩ କିମି । ଦୀର୍ଘ ୧୨ ବର୍ଷ ହେବ ଯୋଡା ବ୍ଲକ କାର୍ଯ୍ୟାଳୟର ସହକାରୀ ବିଡିଓ ପଦବୀ ମଧ୍ୟ ଖାଲିପଡିଛି । ସରକାର ଏହି ପଦବୀ ପୂରଣ ପାଇଁ ଆଦୌ ଦୃଷ୍ଟି ଦେଉନାହାନ୍ତି । ଫଳରେ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନା କାର୍ଯ୍ୟାକାରୀ ହେଉପାରୁନାହିଁ । ବିଡିଓ ପଦବୀ ଖାଲି ରହୁଥିବାରୁ ତଥା ଦାୟିତ୍ୱରେ ଥିବା ବିଡିଓ ଅନେକ ସମୟରେ ଅନୁପସ୍ଥିତ ରହୁଥିବାରୁ ସାଧାରଣ ଲୋକ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି । ଏପରିକି ଅଧିକାରୀ ମାନେ ନଥିବାରୁ ବ୍ଲକରେ ଅଭିଯୋଗ ପ୍ରକୋଷ୍ଟ ଖୋଲୁନାହିଁ । ଯୋଡା ସହରର କମାରଯୋଡାଠାରେ ଥିବା ଏକମାତ୍ର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦୧୮ ମସିହା ନଭେମ୍ବର ମାସଠାରୁ ମୁଖ୍ୟ ଚିକିତ୍ସାଧିକାରୀ ପଦବୀ ଖାଲିପଡିଛି । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ପଦବୀରେ ରହି ଦାୟିତ୍ୱ ତୁଲାଉଛନ୍ତି । ୨ଟି ଡାକ୍ତରଖାନାର ଦାୟିତ୍ୱ ଜଣେ ତୁଲାଉଥିବାରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା କିପରି ପରିଚାଳିତ ହେଉଥିବ ଏଥିରୁ ସ୍ପଷ୍ଟ ଜଣାପଡୁଛି । ଯୋଡା ଖଣି ମଣ୍ଡଳର ବାମେବାରୀ ଥାନାରେ ଆଇଆଇସି ପଦବୀ ଖାଲି ପଡିଛି । ବାମେବାରୀ ଥାନାର ଆଇଆଇସି ପଦବୀ ଦାୟିତ୍ୱରେ ଜଣେ ସବଇନ୍ସିପେକ୍ଟର କାର୍ଯ୍ୟଭାର ତୁଲାଉଛନ୍ତି । ଖଣି ଅଂଚଳରୁ ସରକାରଙ୍କ ପକ୍ଷରୁ ଡିଷ୍ଟିକ ମିନେରାଲ ଫାଉଣ୍ଡେସନ(ଡିଏମଏଫ) ଜରିଆରେ ୩ହଜାର କୋଟି ଟଙ୍କା ଆଦାୟ କରାଯାଇଥିବା ବେଳେ ବିଭିନ୍ନ ସରକାରୀ ପଦବୀରେ ମୁଖ୍ୟ ଅଧିକାରୀ ପଦବୀ ଖାଲି ରହିଥିବାରୁ ଉକ୍ତ ଅର୍ଥର ସୁବିନିଯୋଗ ହୋଇପାରୁନାହିଁ । ବିଭିନ୍ନ ଯୋଜନା ଅଧପନ୍ତରିଆ ହୋଇ ପଡିରହିଛି । ରାଜ୍ୟ ସରକାର ଏଦିଗରେ ତୁରନ୍ତ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି । ଏ ସମ୍ପର୍କରେ ଯୋଡା ବିିକାଶ ପରିଷଦର ସଭାପତି ନିରଂଜନ ବହିଦାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମୁଖ୍ୟ ଅଧିକାରୀ ପଦବୀ ଖାଲି ପଡିରହିଥିବାରୁ ଅଂଚଳରେ ରାସ୍ତାଘାଟ ନିର୍ମାଣକାର୍ଯ୍ୟ ହୋଇପାରୁନାହିଁ, ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ଲୋକେ ବଂଚିତ ହେଉଛନ୍ତି , ଶିକ୍ଷା କ୍ଷେତ୍ରରେ ମଧ୍ୟ ବ୍ଲକ ଶିକ୍ଷାଧିକାରୀ ପଦବୀ ଦୀର୍ଘ ବର୍ଷରୁ ଖାଲି ରହିଥିବାରୁ ଅଂଚଳରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଛି । ବାମେବାରୀ ଥାନାରେ ଆଇଆଇସି ପଦବୀ ଖାଲି ପଡିରହିଥିବାରୁ ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ ହୋଇପାରୁନାହିଁ । ଉକ୍ତ ଅଂଚଳରେ ଲୋକେ ନ୍ୟାୟ ପାଇବାରୁ ବଂଚିତ ହେବା ସହିତ ଅଂଚଳରେ ଚୋରି , ଡକାୟତି, ହତ୍ୟା ଭଳି ଆସାମାଜିକ କାର୍ଯ୍ୟ ବୃଦ୍ଧି ପାଉଛି । ବାରମ୍ବାର ଯୋଡା ବିକାଶ ପରିଷଦ ପକ୍ଷରୁ ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ହେଁ କେହି କର୍ଣ୍ଣପାତ କରୁ ନ ଥିବା ସେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ