ପରିତ୍ୟକ୍ତ ଘରେ ଚାଲିଛି ହୋମିଓ ଡାକ୍ତରଖାନା
ହାଟଡିହି, (ବିକାଶ ବିଶ୍ୱାଳ ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଡିମିରିଆ ଠାରେ ଥିବା ହୋମିଓ ଡାକ୍ତରଖାନାଟି ଏକ ପରିତ୍ୟକ୍ତ ଘରେ ଚାଲିଥିବା ଜଣାଯାଇଛି । ପୁର୍ବରୁ ଏହି ଡାକ୍ତରଖାନାଟି ଗାଁ ଭିତରେ ଥିବା ପ୍ରାତମିକ ବିଦ୍ୟାଳୟ ପରିସରରେ ଚାଲୁଥିବାବେଳେ ଅନେକ ଦାବି ପରେ ସରକାରଙ୍କ ପକ୍ଷରୁ ଗାଁ ମୁଣ୍ଡରେ ଏକ ପକ୍କା ଘର ନିର୍ମାଣ କରାଯାଇଥିଲା । କିନ୍ତୁ କାମ କରୁଥବବା ଠିକାଦାର ଏହି ଘରଟିକୁ ଦୀର୍ଘବର୍ଷ ପର୍ଯ୍ୟନ୍ତ ଅଧାପନ୍ତରିଆ ଭାବେ ପକାଇ ରଖିବା ସହିତ ଡାକ୍ତରଖାନାକୁ ହସ୍ତାନ୍ତର କରିନଥିଲେ । ଫଳରେ ଘରଟିର କବାଟ ଝରକା ସବୁ ଭାଙ୍ଗିଯିବା ସହିତ ଗ୍ରୀଲ ଗେଟଟି ମଧ୍ୟ କଳଙ୍କି ଲାଗି ନଷ୍ଟ ହୋଇଯାଇଥିଲା । ବର୍ଷାଦିନେ ଘର ଛାତରୁ ପାଣି ଗଳିବା ସହିତ ବନ୍ୟା ସମୟରେ ପାଣି ପସି ଘରଟି ନଷ୍ଟ ହୋବାକୁ ବସିତବଲା । ମାତ୍ର ସ୍କୁଲ ଘରୁ ଡାକ୍ତରଖାନାଟି ସ୍ଥାନାନ୍ତରିତ ହୋଇ ଆସିବାପରେ ସେହି ଭଙ୍ଗା ବିପଦ ଶଙ୍କୁଳ ଘରେ ତାହା ଚାଲୁଥିବା ଦେଖିବାକୁ ମିଳିଛି । କେବଳ ଗୋଟିଏ କୋଠରୀ ସୁରକ୍ଷିତ ଥିବାରୁ ତାହାରି ଭିତରେ ଷ୍ଟୋର ରୁମ ସହ ରୋଗୀ ସେବା କରାଯାଉଛି । କବାଟ ଗୂଡିକ ଖସିପଡିଥିବାବେଳେ ତାକୁ ଢ଼େର ଦିଆଯାଇ ରଖାଯାଇଛି । ଛାତରୁ ଖଣ୍ଡ ଖଣ୍ଡ ହୋଇ ପ୍ଲାଷ୍ଟର ମଧ୍ୟ ଖସୁଛି । ଏପରି ଅବସ୍ଥାରେ ଡାକ୍ତରଖାନାଟି ଥିବାରୁ ତାହା ଡାକ୍ତର ଓ ସେଠାକୁ ଯାଉଥିବା ରୋଗୀ ମାନଙ୍କ ପାଇଁ ବିପଦ ପାଲଟିଛି । କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଘରଟିକୁ ମରାମତି କରିବା ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।