ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ପୁଞ୍ଚ୍ରେ ଅନବରତ ଗୁଳିବର୍ଷା, ସୀମାବର୍ତ୍ତୀ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି
ଜମ୍ମୁ: ଜମ୍ମୁ କଶ୍ମୀରର ପୁଞ୍ଚ୍ ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖା ଅଂଚଳରେ ପ୍ରବଳ ଗୁଳିଗୋଳା ବର୍ଷା ଜାରି ରହିଛି । ସୀମାନ୍ତ ଗ୍ରାମଗୁଡ଼ିକୁ ଟାର୍ଗେଟ୍ କରି ପାକିସ୍ତାନ ଗୁଳିଗୋଳା ମାଡ଼ କରିଥିବାରୁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ପୁଞ୍ଚ୍ ଜିଲ୍ଲାର ମନକୋଟ୍, ବାଲାକୋଟ୍ ଏବଂ ମେନ୍ଧର ସେକ୍ଟରରେ ପାକ୍ ସେନା ଆଗୁଆ ଘାଟି ଏବଂ ସାଧାରଣ ଜନବସତିକୁ ଟାର୍ଗେଟ୍ କରି ଗୁଳିଗୋଳା ମାଡ଼ କରୁଛି । ଭାରତ ମଧ୍ୟ ଭାରୀ ଯୁଦ୍ଧାସ୍ତ୍ରରେ ଏହାର ଜବାବ ଦେଉଛି ଏବଂ ପାକିସ୍ତାନ ପଟେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଗତକାଲି ମଧ୍ୟ ଉତ୍ତର କଶ୍ମୀରର ଉରି ସେକ୍ଟରରେ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଳଂଘନ ଦ୍ୱାରା ଜଣେ ଯବାନ ଏବଂ ଦୁଇ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ । ଏବେ ସୀମାନ୍ତ ଗ୍ରାମର ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାପାଇଁ ଯୋଜନା କରାଯାଉଛି ।


