ପାଣି ଭିତରେ ପ୍ରେମିକାଙ୍କୁ ପ୍ରପୋଜ୍ କରୁଥିବା ବେଳେ ବୁଡ଼ିଗଲେ ପ୍ରେମିକ
ପ୍ରେମିକମାନେ ପ୍ରେମିକାଙ୍କ ସମ୍ମୁଖରେ ନିଜ ଭଲପାଇବାକୁ ପ୍ରକାଶ କରିବା ସହ ନିଜର ଜୀବନସାଥୀ କରିବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ଆଉ ନିଜ ଆଡକୁ ଆକର୍ଷିତ କରିବା ପାଇଁ ନିଆରା ସ୍ଥାନ ଓ ଢ଼ଙ୍ଗରେ ପ୍ରପୋଜ୍ ମଧ୍ୟ କରିଥାନ୍ତି । ହେଲେ ବେଳେବେଳେ ତାଙ୍କର ଏହି ଉଦ୍ୟମ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକାର ଲୁଇଜିଆନାରେ । ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ପାଣି ଭିତରେ ପ୍ରପୋଜ୍ କରିବାକୁ ଯାଇ ପାଣିରେ ବୁଡ଼ିବାରୁ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, ଲୁଇଜିଆନାର ପ୍ରେମିକା କେନେଶା ଏଣ୍ଟୋଇନ ଓ ପ୍ରେମିକ ଷ୍ଟିଭେନ ୱେବ୍ରେ ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିବା ବେଳେ ତଞ୍ଜାନିଆକୁ ଛୁଟି କାଟିବାକୁ ଯାଇଥିଲେ । ସେଠାରେ ଷ୍ଟିଭେନ କେନେଶାଙ୍କୁ ଭିନ୍ନ ଢ଼ଙ୍ଗରେ ବିବାହ ପାଇଁ ପ୍ରସ୍ତାବ ଦେବାକୁ ଚିନ୍ତା କରିଥିଲେ । ଏଥିପାଇଁ ଷ୍ଟିଭେନ ସ୍କୁବା ଡାଇଭିଂ କରି ପାଣି ଭିତରକୁ ପଶି ଏକ ପଲିଥିନରେ ହାତଲେଖା ଚିଠି ନେଇଥିଲେ । ସେଠାରେ ସେ କେନେଶାଙ୍କୁ “ୱିଲ୍ ୟୁ ମ୍ୟାରୀ ମି’ ଲେଖିବା ସହ ତାଙ୍କ ପାଇଁ ଏକ ମୁଦି ମଧ୍ୟ ଆଣିଥିଲେ । ଏହାପରେ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ସମୟର ଫଟୋ ଓ ଭିଡିଓକୁ କେନେଶା ଫେସବୁକ୍ରେ ଶେୟାର କରିବା ସହ ଭାବପ୍ରବଣତାର ଏକ ବାର୍ତ୍ତା ଲେଖିଛନ୍ତି । ସେ ଲେଖିଛନ୍ତି, ପ୍ରିୟ ଷ୍ଟିଭେନ ବିବାହର ପ୍ରସ୍ତାବ ଦେଇ ଉତ୍ତର ନ ଶୁଣି ଚାଲିଗଲ । ମୁଁ କେବଳ ତୁମକୁ ବାହା ହେବାକୁ ଚାହେଁ କେବଳ ତୁମକୁ । ଏଥିପାଇଁ ମୁଁ ଆଉ ଗୋଟିଏ ଜନ୍ମକୁ ଅପେକ୍ଷା କରିବି ବୋଲି କେନେଶା କହିଛନ୍ତି ।


