“ହାଓଡି ମୋଦି’ରେ ଓଡ଼ିଆ ଭାଷା, ସଂସ୍କୃତିର ଝଲକ: ମୋଦି କହିଲେ- ଭାରତରେ “ସବୁ ଭଲ ଅଛି’
ହ୍ୟୁଷ୍ଟନ୍: ଭାରତ-ଆମେରିକା ମଧ୍ୟରେ ଥିବା ବନ୍ଧୁତ୍ୱକୁ ଆହୁରି ସୁଦୃଢ କରିବାକୁ ଆୟୋଜିତ ହୋଇଥିବା ବିଶାଳ କାର୍ଯ୍ୟକ୍ରମ “ହାଓଡି ମୋଦି’ରେ ଓଡ଼ିଆ ଭାଷା ଓ ସଂସ୍କୃତିର ଝଲକ ଦେବାକୁ ମିଳିଛି । ପ୍ରବାସୀ ଭାରତୀୟଙ୍କୁ ଉଦ୍ବୋଧନ ଦେବା ଅବସରରେ “ହାଓଡି ମୋଦି’ ଉତ୍ତରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଭାଷା ସମେତ ଓଡ଼ିଆରେ ମଧ୍ୟ ପଦେ କହିଥିଲେ । ମୋଦି ଓଡ଼ିଆରେ କହିଥିଲେ, ଭାରତରେ “ସବୁ ଭଲ ଅଛି’? ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଓଡ଼ିଆ ଏହା ଶୁଣି ଗର୍ବ ଅନୁଭବ କରିଥିଲେ ।କେବଳ ଓଡ଼ିଆ ନୁହେଁ, ହିନ୍ଦୀ, ବଙ୍ଗାଳି, ଗୁଜରାଟୀ ସମେତ ବହୁ ଭାରତୀୟ ଭାଷାରେ ସମାନ କଥାକୁ ଦୋହରାଇଥିଲେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ସବୁଠାରୁ ବଡ଼ ଆକର୍ଷଣ ଥିଲା ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ନୃତ୍ୟ । ଏହି ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାରତନାଟ୍ୟମ୍ ଏବଂ ଅନ୍ୟ ଭାରତୀୟ ନୃତ୍ୟ ସହିତ ଓଡ଼ିଶୀ ନୃତ୍ୟ ମଧ୍ୟ ସ୍ଥାନ ପାଇଥିଲା । ଏଥିସହ ନୃତ୍ୟଶିଳ୍ପୀମାନଙ୍କ ପ୍ରଚ୍ଛଦରେ ଭାରତୀୟ ମନ୍ଦିର ଦୃଶ୍ୟମାନ ହେଉଥିଲା । ଯାହାକି ସମ୍ପୂର୍ଣ୍ଣ ଭାବେ ବିଦେଶରେ ଭାରତର ଭ୍ରମ୍ ସୃଷ୍ଟି କରୁଥିଲା । ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପରିବେଷିତ ଓଡ଼ିଶୀ ନୃତ୍ୟ ଦେଖି ପ୍ରବାସୀ ଭାରତୀୟ ବିମୁଗ୍ଧ ହାଇଯାଇଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାୟ ୪ଶହ କଳାକାର ଅଂଶଗ୍ରହଣ କରିଥିଲେ ।


