ପାଣ୍ଡିଆନଙ୍କ ଆହ୍ୱାନ ଓ ପ୍ରସନ୍ନ ମିଶ୍ରଙ୍କ ସାକ୍ଷାତକାର

ଖବରକାଗଜରେ ପ୍ରକାଶ ପାଇଛି ଯେ, ୫-ଟି ଅଧ୍ୟକ୍ଷ ପାଣ୍ଡିଆନ ବାବୁ କହିଛନ୍ତି, ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯେଉଁ ବିକାଶ ଘଟୁଛି ତା’ବିରୁଦ୍ଧରେ ଅପପ୍ରଚାର କରାଯାଉଛି । ତେଣୁ ତା’ର ଜବାବ ଦେବା ପାଇଁ ସେ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି । ରାଜ୍ୟରେ ବିକାଶ ନେଇ ଏବେତ ବିଜ୍ଞାପନ ଜରିଆରେ ସରକାରଙ୍କ ତରଫରୁ ବ୍ୟାପକ ପ୍ରଚାର କରାଯାଉଛି ।୫-ଟି ଅଧ୍ୟକ୍ଷଙ୍କ ଆହ୍ୱାନ ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ଆମର ପୂର୍ବତନ ଅର୍ଥ ସଚିବ ଡଃ ପ୍ରସନ୍ନ ମିଶ୍ରଙ୍କ ଏକ ସାକ୍ଷାତ୍‌କାର ନେଇ ଆଲୋଚନା କରିବା । ଆମର ମା’ମାନେ ଓ ଯୁବକ ଯୁବତୀମାନେ ଯେଉଁମାନଙ୍କ ଭୋଟ୍‌ରେ ବିଜୁ ଜନତା ଦଳ ସରକାର ୨୨/୨୩ ବର୍ଷ ଧରି କ୍ଷମତାରେ ରହିଆସିଛି, ସେମାନେ ଧ୍ୟାନର ସହ ପ୍ରସନ୍ନ ମିଶ୍ରଙ୍କ କଥାକୁ ବୁଝନ୍ତୁ ଓ ସେମାନେ ଭୋଟ ଦେଇ କ’ଣ ପାଇଛନ୍ତି ସେ କଥା ଚିନ୍ତା କରନ୍ତୁ । ସରକାରଙ୍କ ପକ୍ଷରୁ ଯୁବକ ଯୁବତୀମାନଙ୍କ ନିଯୁକ୍ତି ନେଇ ବିଜ୍ଞାପନ ଜରିଆରେ ବ୍ୟାପକ ପ୍ରଚାର ଚାଲିଛି । ଡଃ ମିଶ୍ର କ’ଣ କହିଛନ୍ତି ଟିକେ ବୁଝ । ସେ କହିଛନ୍ତି ଯେ, ସରକାରୀ ତଥ୍ୟ ଅନୁସାରେ ୨୦୦୦ ମସିହାରେ ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ (ସରକାରୀ କମ୍ପାନୀ) ଭାବେ ସମୁଦାୟ ୭,୯୮,୦୦୦ ଲୋକ ନିଯୁକ୍ତି ପାଇଥିଲେ । ବର୍ତ୍ତମାନର ସରକାର ଆସିବା ପରେ ୨୦୦୫ ମସିହାରେ ଏହି ସଂଖ୍ୟା୭,୪୫୦୦୦କୁ ଖସି ଆସିଲା ଏବଂ ୨୦୨୦-୨୧ରେ ଏହି ସଂଖ୍ୟା ୬,୬୮,୦୦୦ ହେଲା । ୨୦୦୦ରୁ ୨୦୨୧ ମସିହା ମଧ୍ୟରେ ନିଯୁକ୍ତି ସଂଖ୍ୟା ୧,୩୦,୦୦୦ କମିଗଲା । ଯୁବକ ଯୁବତୀମାନେ ବୁଝନ୍ତୁ ସେମାନଙ୍କ ଭବିଷ୍ୟତ ସହ ନବୀନ ସରକାର କି ଖେଳ ଖେଳିଛି । କେତେ ଯେ ଯୁବକ ଯୁବତୀଙ୍କର ଭବିଷ୍ୟତ ଅନ୍ଧକାର ହୋଇଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ କିଛି କିଛି ନିଯୁକ୍ତି ଦେଇ ଭୁଲେଇବାର ଉଦ୍ୟମ କରୁଛନ୍ତି । ସେ କହିଛନ୍ତି ଯେ, ରାଜ୍ୟର ଜନସଂଖ୍ୟା ହାରାହାରି ୪କୋଟି ୮୦ ଲକ୍ଷ । ଏମାନଙ୍କ ମଧ୍ୟରୁ ୪୫ ଲକ୍ଷ ଲୋକ ମାସକୁ ମାତ୍ର ୫୦୦ ଟଙ୍କା ଲେଖାଏଁ ଭତ୍ତା ପାଉଛନ୍ତି । ସେତିକି ପାଇବା ପାଇଁ ସେମାନେ ବିକଳ ହୋଇ ଗୁରୁଣ୍ଡି ଘୁଷୁରି ଯେପରି ଯାଉଛନ୍ତି, ସେଥିରୁ ରାଜ୍ୟର ଦାରିଦ୍ର‌୍ୟ କି ଉତ୍କଟ ତାହା ବେଶ ପ୍ରମାଣିତହେଉଛି ।ଡଃ ମିଶ୍ର କହିଛନ୍ତି, ରାଜ୍ୟର ୬,୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ୪,୩୭୩ ମଧ୍ୟରେ ବ୍ୟାଙ୍କ ନାହିଁ । ବର୍ତ୍ତମାନ ବାଟମାରଣା ରୋକିବା ପାଇଁ ହିତାଧିକାରୀ ମାନଙ୍କୁ ବ୍ୟାଙ୍କ ଜରିଆରେ ସେମାନଙ୍କର ପ୍ରାପ୍ୟ ଦିଆଯିବାର ବ୍ୟବସ୍ଥା କରାଯାଇଛି । ବ୍ୟାଙ୍କ ନଥିବା ପଞ୍ଚାୟତରେ ହିତାଧିକାରୀମାନେ କିପରି ସେମାନଙ୍କର ପ୍ରାପ୍ୟ ପାଉଛନ୍ତି ସେ ନେଇ ଶ୍ରୀ ମିଶ୍ର ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ନିର୍ବାଚନ ଆସୁଥିବାରୁ ଲୋକମାନଙ୍କୁ ଭୁତେଇବା ପାଇଁ ଏବେ ପ୍ରତ୍ୟେକ ପଞ୍ଚାୟତରେ ବ୍ୟାଙ୍କ ଖୋଲାଯାଉଛି ବୋଲି ବ୍ୟାପକ ପ୍ରଚାର ଚାଲିଛି । ସେ କହିଛନ୍ତି, ରାଜ୍ୟ ସରକାର ପ୍ରତିବର୍ଷ ଖଣିରୁ ୫୦ ହଜାର କୋଟିରୁ ଅଧିକ ଟଙ୍କା ପାଆନ୍ତି । ଏ ଟଙ୍କା କୁଆଡ଼େ ଯାଉଛି? ଏତେ ଟଙ୍କା ମିଳିବା ସତ୍ତ୍ୱେ ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାର ଗୋଟିଏ ବ୍ୟାରେଜ ମଧ୍ୟ କରିପାରିଲେ ନାହିଁ ।ମା’ମାନଙ୍କୁ ମୁଁ ଟିକେ କହିବାକୁ ଚାହେଁ ଯେ, ଆମର ହାରାହାରି ପରିବାର ସଂଖ୍ୟା ୧କୋଟି । ଏହି ଟଙ୍କାକୁ ଲୁଟ ନକରି ଯଦି ପ୍ରତି ପରିବାରକୁ ବାଣ୍ଟି ଦିଆଯାଇଥାନ୍ତା ତେବେ ପ୍ରତି ପରିବାର ବର୍ଷକୁ ୫ ଲକ୍ଷ ଲେଖାଏଁ ଟଙ୍କା ପାଇଥାନ୍ତେ । ମା’ମାନେ ତମମାନଙ୍କୁ ତ ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ବାବୁ ମା’ ମା’ କହି ପାଣି ପାଉନାହାଁନ୍ତି । କାହିଁ ଏହି ଟଙ୍କାରୁ ତ କିଛି ଦେଲେନି । ଏହି ୪ ବର୍ଷରେ ତମେମାନେ ୨୦ଲକ୍ଷ ଟଙ୍କା ଲେଖାଏଁ ପାଇଥିଲେ ତମର ସୁବିଧା ହୋଇନଥାନ୍ତା? କଣ ପାଇଁ ତୁମମାନଙ୍କୁ ଦେଲେନି? ଋଣ କରି ସ୍କୁଟି ଗଡ଼େଇଲେ । ମାଆମାନେ ଲୋକଙ୍କୁ ଚିହ୍ନ, ସତର୍କ ହୁଅ । ଏ ପ୍ରକାର ବିଶ୍ୱାସଘାତକତା ଠାରୁ ଦୂରେଇ ରୁହ । ନହେଲେ ଭବିଷ୍ୟତରେ ବଡ଼ ଅସୁବିଧାରେ ପଡ଼ିବ । ସେ କହିଛନ୍ତି, ମହାପୁରୁଷମାନଙ୍କ ମତରେ ଗୋଟିଏ ଜାତିକୁ ଧ୍ୱଂସ କରିବାକୁ ହେଲେ ତାହାର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ପଡ଼ିବ । ଏ ସରକାର ରାଜ୍ୟକୁ ଅଶିକ୍ଷିତ କରିଦେଇ ଏହାର ଅସ୍ମିତାକୁ ଧ୍ୱଂସ କରିଦେଇଛନ୍ତି । ସରକାରଙ୍କ ଏହି କାମକୁ ପଣ୍ଡ ନକଲେ ରାଜ୍ୟ ଉଠିପାରିବ ନାହିଁ ।୫-ଟି ସଚିବଙ୍କ ହେଲିକ୍ୟାପ୍ଟର ଗସ୍ତ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ଡଃ ମିଶ୍ର କହିଛନ୍ତି, ଏହା ପ୍ରଶାସିନକ ସଂସ୍କୃତିର ଉଲଙ୍ଘନ । ଏହା ସରକାରୀ ରାଜସ୍ୱର ଏକପ୍ରକାଣ ଲୁଣ୍ଠନ । ସେ କହିଛନ୍ତି ଯେ, ରାଜ୍ୟରେ ଏବେ ଏକ କୁଚକ୍ରୀ ଗୋଷ୍ଠୀ ଓଡ଼ିଶାକୁ ଲୁଣ୍ଠନ କରିବାକୁ ଲାଗିଛନ୍ତି । ରାଜ୍ୟରେ ଏତେବର୍ଷର ସ୍ଥିର ସରକାର ସତ୍ତ୍ୱେ ରାଜ୍ୟର ଏହି ଦୁର୍ଦ୍ଦଶା ସମ୍ପର୍କରେ ସେ କହିଲେ ଯେ, ପ୍ରଶାସନ ମୁଖ୍ୟଙ୍କର ଚଉକି ମୋହ ଏଥିପାଇଁ ଦାୟୀ । ରାଜ୍ୟର ଗତ ୨୩ ବର୍ଷର ଶାସନକୁ ଏହା ଆହତ ଓଡ଼ିଆଙ୍କ ଯୁଗ ଏବଂ ଓଡ଼ିଆଙ୍କ ଭଗ୍ନ ସ୍ୱପ୍ନର ଯୁଗ ବୋଲି ଡଃ ମିଶ୍ର କ୍ଷୋଭ ପ୍ରକାଶ କରି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ