ପାବନ ଶ୍ରୀକ୍ଷେତ୍ରାଧିପତିଙ୍କ ‘ନୀଳାଦ୍ରିବିଜେ’ ଉତ୍ସବ ସମ୍ପର୍ଣ୍ଣ

ହିଂଜିଳିକାଟୁ, (ଶେଷଦେବ ସାହୁ): ରବିବାର ସନ୍ଧ୍ୟାରେ ପାବନଶ୍ରୀକ୍ଷେତ୍ର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରଥ ଉପରେ ଶ୍ରୀଜୀଉମାନଙ୍କ ଅଧରପଣା ନୀତି କରାଯାଇଥିଲା । ତିନୋଟି ବଡ଼ ଆଟିକାରେ ନବାତ, ଛେନା, ନଡ଼ିଆକୋରା, କଦଳୀ, ଅଳେଇଚ, ଗୋଲମରିଚ ଆଦି ସୁବାସିତ ଦ୍ରବ୍ୟ ମିଶ୍ରଣରେ ସୁସ୍ୱାଦ ପଣା ପୂର୍ଣ୍ଣ କରାଯାଇ ତିନି ଠାକୁରଙ୍କ ମଧ୍ୟରେ ଅଧର ଲାଗି ପୂଜାର୍ଚ୍ଚନା କରାଯାଇଥିଲା । ପରେ ଏହି ପଣା ପୂର୍ଣ୍ଣ ହାଣ୍ଡି ଗୁଡ଼ିକୁ ରଥ ଉପରୁ ଭୁମିରେ କଚାଡ଼ି ଭାଙ୍ଗି ଦିଆଯାଇଥିଲା ଓ ଏହା ମାଟି ଉପରେ ପ୍ରବାହିତ ହୋଇଥିଲା । ଏହି ପଣା ସମସ୍ତ ଅଶରୀରି ଭୂତପ୍ରେତ, ଡ଼ାଆଣୀ ପ୍ରଭୃତି ଅତୃପ୍ତ ଆତ୍ମାଙ୍କ ପ୍ରଭୁ ପ୍ରସାଦ ପ୍ରାପ୍ତିରେ ମୋକ୍ଷ ଲାଭ ପାଇଁ କରାଯାଉଥିବା ପରମ୍ପରା ରହିଛି । ମହାପ୍ରଭୁ ମନ୍ଦିରକୁ ପ୍ରବେଶ କରିବାରେ କାହିଁକି ବିଳମ୍ବ କରୁଛନ୍ତି ବୋଲି ଅନୁଧ୍ୟାନ ପାଇଁ ମନ୍ଦିର ଗୁମୁଟ ଚାହାଣୀ ମଣ୍ଡପ ଠାରେ ରଥ ଆଡ଼କୁ ଚାହିଁ ରହିଥିବା ମହାଲକ୍ଷ୍ମୀ ଅସନ୍ତୋଷ ପ୍ରକାଶ କରି ସହସା ମନ୍ଦିର ଗର୍ଭ ଗୃହକୁ ଫେରିଯାଇ ଦ୍ୱାର କିଳି ଦେଇଥିଲେ । ଇତ୍ୟଅବସରରେ ଆଳତି ଆଦି ପରେ ଘଂଟବାଦ୍ୟ, ଖୋଳ କରତାଳ, ବୀର କାହାଳୀ ବାଦନ, ହରିବୋଲ, ହୁଳହୁଳି ଧ୍ୱନି ମଧ୍ୟରେ ମହାପ୍ରଭୁ ମାନଙ୍କ ଗୋଟି ପହଣ୍ଡିରେ ମନ୍ଦିରକୁ ବିଜେ କରାଯାଇଥିଲା । ମହାଲକ୍ଷ୍ମା ଗର୍ଭଗୃହ ଦ୍ୱାର କିଳି ଦେଇଥିବାରୁ ଚତୁର୍ଦ୍ଧାମୂର୍ତି ଜଗମୋହନ ଠାରେ ବିଜେ ହୋଇ ଅପେକ୍ଷା କରିବାକୁ ବାଧ୍ୟ ହୋଇଥିଲେ । ଦ୍ୱାର ଫିଟାଇବା ପାଇଁ ଶ୍ରୀଜଗନ୍ନାଥ ଅନୁରୋଧ କରିବା ପରେ ମାତା ମହାଲକ୍ଷ୍ମୀ ନିଜର ଅଭିମାନ ଓ ରୋଷ ପ୍ରକଟ କରି ବଚନିକା ମାଧ୍ୟମରେ ପ୍ରଭୁଙ୍କ ସହ କଳି କରିଥିଲେ । ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡା ଭକ୍ତିପ୍ରତ୍ୟୁକ୍ତିଭରା ଲକ୍ଷ୍ମୀନାରାୟଣ ଦାମ୍ପତ୍ୟ କଳିର ବଚନିକା ଗାନ କରିଥିଲେ । ପରିଶେଷରେ ଶ୍ରୀଜଗନ୍ନାଥ, ମହାଲକ୍ଷ୍ମୀଙ୍କ ରୋଷ ଓ ଅଭିମାନ ଭାଙ୍ଗିବା ପାଇଁ ନାନା ମଧୁର ବଚନ କହିଥିଲେ ଏବଂ ଶେଷରେ ଦେବୀଙ୍କ ତୁଷ୍ଟି ପାଇଁ ତାଙ୍କରି ପ୍ରିୟ ରାଜଭୋଗ ‘ରସଗୋଲା’ ଉପହାର ଦେଇଥିଲେ । ମହାଲକ୍ଷ୍ମୀ ସହସା ପ୍ରସନ୍ନ ହୋଇ ଦ୍ୱାର ଉନ୍ମୁକ୍ତ କରି ଦେଇଥିଲେ । କ୍ରମାନ୍ୱୟରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ବିଶ୍ୱଜୟନ୍ତା ଶ୍ରୀଜଗନ୍ନାଥ, ମଦନମୋହନ, ଶ୍ରୀସୁଦର୍ଶନ ସିଂହାସନ ରୂଢ ହୋଇଥିଲେ । ପରେ ଦ୍ୱାର ବନ୍ଦ କରାଯାଇ ମହାପ୍ରଭୁ ମାନଙ୍କ ରାତ୍ରିକାଳୀନ ବେଶଭୂଷା , ନୀତି ଆଦି ସମାପନ ପରେ ମଙ୍ଗଳ ଆଳତି ଓ ଦର୍ଶନ ପାଇଁ ଅପେକ୍ଷାରତ ଭକ୍ତ ମାନେ ସୁଯୋଗ ପାଇ ଧନ୍ୟ ହୋଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ଦିର ପରିସରରେ ଭକ୍ତ ମାନଙ୍କ ଗହଳି ଲାଗି ରହିଥିଲା । ଚଳିତ ବର୍ଷର ରଥଯାତ୍ରା ସୁସମାହିତ ହୋଇଥିବାରୁ ମନ୍ଦିର ପ୍ରଶାସନ ସେବା ପକ୍ଷରୁ ପ୍ରଶାସନ ସେବକ ନିର୍ମଳ ମିଶ୍ର, ପୋଲିସ, ପୌର ପ୍ରଶାସନ,ବିଦ୍ୟୁତ, ସ୍ୱାସ୍ଥ୍ୟ, ଜନସ୍ୱାସ୍ଥ୍ୟ, ଅଗ୍ନିଶମ ବିଭାଗ, ରଥଯାତ୍ରା ପାଇଁ ଉଦ୍ଧିଷ୍ଟ କମିଟି, ସ୍ୱେଛାସେବବୀ ସଙ୍ଗଠନ ସଦସ୍ୟ , ସ୍ୱେଛାସେବକ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କୃତଞତା ସକ୍ତ ଧନ୍ୟବାଦ ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ