ପାରଳାରେ ଜାଗା ମିଶନ କାର୍ଯ୍ୟକ୍ରମ ଉଦ୍ଯାପିତ;୮୯୦ଜଣ ବସ୍ତିବାସିନ୍ଦାଙ୍କୁ ଭୁମି ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟ ସରକାରଙ୍କର ଜାଗା ମିଶନ କାର୍ଯ୍ୟକ୍ରମ ଆଜି ପାରଳାଖେମୁଣ୍ଡି ଠାରେ ଉଦ୍ଯାପିତ ହୋଇଯାଇଛି । ପାରଳାଖେମୁଣ୍ଡି ପୌର ପରିଷଦ ତରଫରୁ ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଟାଉନ୍ହଲ୍ ଠାରେ ଉଦ୍ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଲୋକସଭା ସଦସ୍ୟ ଚନ୍ଦ୍ରଶେଖର ସାହୁ,ପାରଳା ବିଧାୟକ କେ.ନାରାୟଣ ରାଓ,ଗଜପତି ଜିଲ୍ଲାପାଳ ଅନୁପମ ସାହା,ପାରଳାଖେମୁଣଣ୍ଡି ରାଜକୁମାରୀ କଲ୍ୟାଣୀ ଦେବୀ ପ୍ରମୁଖ ଯୋଗ ଦେଇ ଉଦ୍ଯାପନୀ ଦିବସରେ ବସ୍ତି ବାସୀନ୍ଦାଙ୍କୁ ଭୂମି ଯୋଗ୍ୟତା ଥିବା ପ୍ରମାଣପତ୍ର ବଣ୍ଟନ କରିଥିଲେ । ବସ୍ତିକୁ ବାସପଯୋଗୀ ବସତିରେ ପରିଣତ କରିବା ପାଇଁ ବସ୍ତି ବାସୀନ୍ଦାଙ୍କୁ ଭୂମି ଯୋଗ୍ୟତା ଥିବା ପ୍ରମାଣପତ୍ର ବଣ୍ଟନ ରାଜ୍ୟ ସରକାରଙ୍କର ଏକ ଯୁଗାନ୍ତକାରୀ ବଳିଷ୍ଠ ପଦକ୍ଷେପ ବୋଲି ବ୍ରହ୍ମପୁର ଲୋକସଭା ସଦସ୍ୟ ଚନ୍ଦ୍ରଶେଖର ସାହୁ କହିଥିଲେ । ଏହି ମିଶନ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ କାର୍ଯ୍ୟକରୀ କରାଯାଇଛି । ପାରଳା ପୌର ପରିଷଦ ନିର୍ବହୀ ଅଧିକାରୀ ଅଶୋକ କୁମାର ରାଉତ ଜଣାଇଛନ୍ତି,ପୌର ପରିଷଦରେ ମୋଟ ୮୯୦ ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।


