ପାରଳା ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ ସମ୍ମିଳନୀ ବିଜେଡିକୁ ଯାଇଥିବା ଯୁବନେତା ପୁଣି କଂଗ୍ରେସକୁ ଫେରିଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ପାରଳା ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମୀ ସମ୍ମିଳନୀ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ଶୁଭେନ୍ଦୁୁ ମହାନ୍ତି ଓ ଆର ଜି ଟି ଆଇର ସଂଯୋଜକ ବିସ୍ମୟ ମହାପାତ୍ର ଉପସ୍ଥିତ ଥିଲେ । ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା,ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର,ଗୁମ୍ମା ବ୍ଲକର ଉପାଧ୍ୟକ୍ଷା ଗୀତାଞ୍ଜଳୀ ଭୂୟାଁ,ପୂର୍ବତନ ଯୁବ କଂଗ୍ରେସ ସଭାପତି ମନୋଜ ସାହୁ ଜିଲ୍ଲା ପରିଷଦ ସଦସ୍ୟ ଜାକବ ମାଝୀ ପ୍ରମୁଖ ଯୋଗ ଦେଇ ପାରଳା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳକୁ ସୁଦୃଢ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ କଂଗ୍ରେସର ପୂର୍ବତନ ଜିଲ୍ଲା ଯୁବ ସଭାପତି ସଂଗ୍ରାମ ସାହୁ, ଯେ କି କିଛି ମାସ ତଳେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ ପୁଣି ସେ ନିଜ ସମର୍ଥକଙ୍କ ସହ ଆଜି ପୁଣି କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଯୁବନେତା ସଂଗ୍ରାମ ସାହୁ ଓ ତାଙ୍କ ସମର୍ଥକମାନଙ୍କୁ କରତାଳିରେ ସ୍ୱାଗତ କରାଯାଇ କଂଗ୍ରେସରେ ସାମିଲ କରାଯାଇଥିବା ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପର୍ଯ୍ୟବେକ୍ଷକ ଶୁଭେନ୍ଦୁୁ ମହାନ୍ତି ଘୋଷଣା କରିବା ସହ ତାଙ୍କର ପ୍ରତ୍ୟାବର୍ତ୍ତନ କଂଗ୍ରେସ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି ମତ ଦେଇଥିଲେ । ଆଗାମୀ ଦିନରେ କଂଗ୍ରେସର ରୂପରେଖ ଉପରେ ଆଜିର ସମ୍ମିଳନୀରେ ଆଲୋଚନା କରାଯାଇ ଆଗାମୀ ପୌର ନିର୍ବାଚନରେ ପାରଳାଖେମୁଣ୍ଡି ମ୍ୟୁନିସିପାଲଟି ଓ କାଶୀନଗର ଏନଏସିରେ କଂଗ୍ରେସ ଦଳର ବିଜୟ ପାଇଁ ପ୍ରତ୍ୟେକ କର୍ମୀ ଏକତ୍ରିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ଅଧିକାରୀ, ବିଷ୍ଣୁ ପାଢୀ,କୁନା ମାଝୀ,ତ୍ରିନାଥ ପାତ୍ର,ବାବୁଲି ସାହୁ ପ୍ରମୁଖଙ୍କ ସହ ବହୁ ନେତା ଓ କର୍ମୀ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।