ପିଏନ୍ବିରେ ମିଶିବ ୩ ରାଷ୍ଟ୍ରାୟତ ବ୍ୟାଙ୍କ
ନୂଆଦିଲ୍ଲୀ, (ଏଜେନ୍ସି): ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ୍ (ପିଏନ୍ବି) ଅତିଶୀଘ୍ର ୩ ଛୋଟ ରାଷ୍ଟ୍ରାୟତ ବ୍ୟାଙ୍କ୍ର ଅଧିଗ୍ରହଣ କରିବ ବୋଲି ପ୍ରକାଶ କରାଯାଇଛି । ଏହି ୩ ବ୍ୟାଙ୍କ୍ ମଧ୍ୟରେ ଓରିଏଣ୍ଟାଲ୍ ବ୍ୟାଙ୍କ୍ ଅଫ୍ କମର୍ସ, ଆନ୍ଧ୍ର ବ୍ୟାଙ୍କ୍ ଓ ଆହ୍ଲାବାଦ୍ ବ୍ୟାଙ୍କ୍ ସାମିଲ ରହିଛି । ଆସନ୍ତା ୩ ମାସ ମଧ୍ୟରେ ପିଏନ୍ବି ଏହି ବ୍ୟାଙ୍କ୍ଗୁଡ଼ିକର ଅଧିଗ୍ରହଣ ଆରମ୍ଭ କରିବାର ସମ୍ଭାବନା ରହିଛି । ସରକାର ଋଣରେ ବୁଡ଼ି ରହିଥିବା ବ୍ୟାଙ୍କିଂ ସେକ୍ଟରର ସମସ୍ୟା ଦୂର କରିବା ପାଇଁ ବ୍ୟାଙ୍କ୍ଗୁଡ଼ିକର ମିଶ୍ରଣ କରୁଥିବା ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଆରମ୍ଭରେ ପ୍ରଥମ ଥର ୩ବ୍ୟାଙ୍କ୍ର ମିଶ୍ରଣ ହୋଇଥିଲା । ସେହି ସମୟରେ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ୍ର ମିଶ୍ରଣ ବ୍ୟାଙ୍କ୍ ଅଫ୍ ବରୋଦା ସହିତ କରାଯାଇଥିଲା । ଏହି ମିଶ୍ରଣ ପରେ ବିଓବି ଦ୍ୱିତୀୟ ସର୍ବବୃହତ୍ତ ବ୍ୟାଙ୍କ୍ରେ ପରିଣତ ହୋଇଥିଲା । ମିଶ୍ରଣ ପରେ ବ୍ୟାଙ୍କ୍ ଅଫ୍ ବରୋଦା ନିକଟରେ ୯୫୦୦ବ୍ରାଞ୍ଚ, ୧୩୪୦୦ଏଟିଏମ୍ ଓ ୮୫ହଜାର କର୍ମଚାରୀ ରହିଛି । ବ୍ୟାଙ୍କ୍ ଅଫ୍ ବରୋଦାରେ ଦେନା ବ୍ୟାଙ୍କ୍ ଓ ବିଜୟା ବ୍ୟାଙ୍କ୍ର ମିଶ୍ରଣ ଚଳିତ ବର୍ଷ ଏପ୍ରିଲ ୧ଠାରୁ କାର୍ଯ୍ୟକାରୀ ହୋଇଛି । ଏହା ପୂର୍ବରୁ ୨୦୧୭ରେ ଏସ୍ବିଆଇ ନିଜର ୫ସହଯୋଗୀ ବ୍ୟାଙ୍କ୍ ଓ ଭାରତୀୟ ମହିଳା ବ୍ୟାଙ୍କ୍ର ମିଶ୍ରଣ କରିଥିଲା । ମିଶ୍ରଣ ଖବର ପ୍ରକାଶ ପରେ ମଙ୍ଗଳବାର ପିଏନ୍ବିର ମାର୍କେଟ୍ ଶେୟାର ୨.୫୫% ହ୍ରାସ୍ ପାଇ ୮୬.୧୦ଟଙ୍କାରେ ବନ୍ଦ ହୋଇଛି । ଅନ୍ୟପକ୍ଷରେ ଆହ୍ଲାବାଦ୍ ବ୍ୟାଙ୍କ୍ର ଶେୟାର ୨.୬% ହ୍ରାସ୍ ପାଇ ୪୫.୧୫ଟଙ୍କାରେ ବନ୍ଦ ହୋଇଛି । ଓରିଏଣ୍ଟାଲ୍ ବ୍ୟାଙ୍କ୍ ଅଫ୍ କମର୍ସର ଶେୟାର ୧% ହ୍ରାସ୍ରେ ୯୫.୨୦ଟଙ୍କାରେ ବନ୍ଦ ହୋଇଛି । ଆହ୍ଲାବାଦ୍ ବ୍ୟାଙ୍କ୍, ଓବିସି ଓ ଆନ୍ଧ୍ର ବ୍ୟାଙ୍କ୍ ପିଏନ୍ବିରେ ମିଶିବା ପରେ ଆକାଉଣ୍ଟଧାରୀଙ୍କ ଉପରେ କୌଣସି ବିଶେଷ ପ୍ରଭାବ ପଡ଼ିବନି । ବ୍ୟାଙ୍କ୍ ଯାହାବି ନିଷ୍ପତ୍ତି ନେବ ସେ ସମ୍ବନ୍ଧରେ ସର୍ବପ୍ରଥମେ ଗ୍ରାହକଙ୍କୁ ସୂଚିତ କରାଯିବ । ତେବେ ଗ୍ରାହକଙ୍କ ପାଇଁ କାଗଜ କାମ ନିଶ୍ଚିତ ଭାବେ ବଢ଼ିବ ବୋଲି କୁହାଯାଉଛି । ପିଏନ୍ବିରେ ମିଶ୍ରଣ ପରେ ଆହ୍ଲାବାଦ୍ ବ୍ୟାଙ୍କ୍, ଓବିସି ଓ ଆନ୍ଧ୍ର ବ୍ୟାଙ୍କ୍ର ଆକାଉଣ୍ଟଧାରୀଙ୍କୁ ନୂଆ ଚେକ୍ବୁକ୍ ଓ ପାସ୍ବୁକ୍ କରିବାକୁ ହେବ । ତେବେ ଏଥିପାଇଁ ବ୍ୟାଙ୍କ୍ ପର୍ଯ୍ୟାପ୍ତ ସମୟ ଦେବା ସହ ଆକାଉଣ୍ଟଧାରୀଙ୍କ ସମ୍ପୂର୍ଣ୍ଣ ସାହାଯ୍ୟ କରିବ ବୋଲି ଉଲ୍ଲେଖ କରିଛି ।


