ପିକଅପ୍ ଭ୍ୟାନ୍ ଧକ୍କାରେ ୨ ମୃତ ୨ଗୁରୁତ୍ତର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଜମଧର ଆରଏମ୍‌ସି ଫାଟକ ସମ୍ମୁଖ ରାସ୍ତାରେ ପଛ ପଟରୁ ଏକ ପିକ୍‌ଅପ୍ ଭ୍ୟାନ୍ ଧକ୍କା ଦେବାରୁ ଶନିବାର ବିଳମ୍ବିତ ରାତିରେ ବିମାନ କାନ୍ଧେଇ ଯାଉଥିବା ୨ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୨ଜଣ କଟକ ବଡ ଡାକ୍ତରଖାନାର ଆଇ.ସି.ୟୁ. ରେ ସଙ୍କଟାପର୍ଣ୍ଣ ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବଣହରା ଗ୍ରାମର ଶ୍ରୀ ରାଧାମୋହନଜୀୟୁଙ୍କ ବିମାନ ବାଲିଆରୁ ଭୋଗ ଖାଇସାରିବା ପରେ ଶନିବାର ବିଳମ୍ବିତ ରାତିରେ(ପ୍ରାୟ ୧୨ଟା ସମୟରେ) ଦୁହୁରିଆକୁ ଭୋଗ ଖାଇବା ପାଇଁ ଆସୁଥିଲେ । ସେହି ବିମାନକୁ ଜମଧର ପଞ୍ଚାୟତର ବଡଗାଁ ଗ୍ରାମର ସୋମନାଥ ସାହୁ ଓରଫ ଧୁନା(୪୭), ବିମାନର ମାଲିକ ବଣହରା ଗ୍ରାମର ଅଧିକାରୀ ଦିବ୍ୟଜ୍ୟୋତି ଦାସ, ବାସୁଦେବ ପ୍ରଧାନ, କାର୍ତ୍ତିକ ପ୍ରଧାନ ଓ ଗଣେଶ୍ୱର ବେହେରା ବାଲିଆରୁ ଦୁହୁରିଆକୁ କାନ୍ଧେଇ ନେଇଆସୁଥିବାବେଳେ ରାତି ପ୍ରାୟ ୧୨ଟା ସମୟରେ କଟକ – ଚାନ୍ଦବାଲି ରାଜ୍ୟ ରାଜପଥର ଜମଧର ସ୍ଥିତ ଆର.ଏମ.ସି. ଫାଟକ ସମ୍ମୁଖ ରାସ୍ତାରେ ସେମାନଙ୍କୁ ବାଲିଆ ଆଡୁ ଆସୁଥିବା ଓଡି-୦୫-ଏଆର-୯୩୦୯ ପିକ୍‌ଅପ ଭ୍ୟାନ ପଛପଟରୁ ଜୋରରେ ଧକ୍କା ଦେଇଥିଲା । ଫଳରେ ବିମାନଟି ଭାଙ୍ଗିରୁଜିି ରାସ୍ତା ଉପରେ ପଡିଥିବା ବେଳେ ବିମାନକୁ କାନ୍ଧେଇଥିବା ଲୋକମାନେ ଗୁରୁତର ଭାବେ ଆହତ ହୋଇଥିଲେ । ସମସ୍ତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସୋମନାଥ ସାହୁଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୩ଜଣ ବାସୁଦେବ, କାର୍ତ୍ତିକ ଓ ଦିବ୍ୟଜ୍ୟୋତିଙ୍କୁ କଟକ ବଡ ଡାକ୍ତରଖାନାକୁ ରେଫର କରିଦେଇଥିଲେ । କଟକ ଯିବା ସମୟରେ ଅଧିକାରୀ ଦିବ୍ୟଜ୍ୟୋତି ଦାସଙ୍କର ବାଟରେ ମୃତ୍ୟୁ ହୋଇଯାଇଥିବା ବେଳେ ବାସୁଦେବ ଓ କାର୍ତ୍ତିକ କଟକ ବଡ ଡାକ୍ତରଖାନାର ଆଇ.ସି.ୟୁ ରେ ସଙ୍କଟାପର୍ଣ୍ଣ ଅବସ୍ଥାରେ ଚିକିତ୍ସାଧୀନ ଥିବା ଜଣାପଡିଛି । ଗଣେଶ୍ୱର ବେହେରାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ସେ ଘରକୁ ଫେରିିଯାଇଥିବା ଜଣାପଡିଛି । କେନ୍ଦ୍ରାପଡା ସଦର ଥନା ପୋଲିସ ଏକ ମାମଲା ରୁଜୁ କରି ଉଭୟ ସୋମନାଥ ଓ ଦିବ୍ୟଜ୍ୟୋତିଙ୍କ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ଉଭୟଙ୍କ ପରିବାରକୁ ହସ୍ତାନ୍ତର ପୂର୍ବକ ଦୁର୍ଘଟଣା ଘଟାଇଥିବା ପିକ୍‌ଅପ ଭ୍ୟାନକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଆହତମାନଙ୍କୁ ଡାକ୍ତରଖାନାକୁ ନେବା ଠାରୁ ଆରମ୍ଭ କରି ମୃତକମାନଙ୍କ ଶବଦାହ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ଯୁବନେତା ରାଜେଶ ପଣ୍ଡା, ଭାଗବତପୁର ସରପଞ୍ଚଙ୍କ ପ୍ରତିନିଧି ସଂଗମକେଶରୀ ସାମଲ ଓ ଜମଧରର ସୁଧିର ଜେନା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ