ଡିଆରଡିଏ ଛକରେ ସ୍କୁଟିକୁ ପଛରୁ ଧକ୍କା ଦେଲା ଟ୍ରକ୍: ଜଣେ ମୃତ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆରଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଡ଼ନୋଳିଆ ନୂଆଗାଁର ଏ. ସୋମାୟା। ସୂଚନା ଅନୁଯାୟୀ, ସୋମାୟା ଆର୍ଯ୍ୟପଲ୍ଲୀ ଅଞ୍ଚଳକୁ ଡଙ୍ଗା ଦେଖିବାକୁ ଆସିଥିଲେ। ସେଠାରୁ ସ୍କୁଟି ଯୋଗେ ନିଜ ଗାଁକୁ ଫେରୁଥିବା ସମୟରେ ଡିଆରଡିଏ ଛକ ନିକଟରେ ଏକ ଟ୍ରକ୍ ତାଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାରେ ପଡ଼ିଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଏସ୍‌ପି ହରିଶ ବିଶି, ଛତ୍ରପୁର ଏସ୍‌ଡିପିଓ ଚନ୍ଦନ କୁମାର ଘଡ଼େଇ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଛତ୍ରପୁର ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନଙ୍କ ସମେତ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। କିଛି ସମୟ ପରେ ରାସ୍ତା ଅବରୋଧ ହଟିଥିବା ବେଳେ ଜାତୀୟ ରାଜପଥରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି। ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ଛତ୍ରପୁର ମେଡିକାଲକୁ ପଠାଇଛି। ଅନ୍ୟପକ୍ଷରେ, ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୩୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିବା ଛତ୍ରପୁର ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ