ପି.ଗୋବିନ୍ଦପୁରରେ ଝାଡାବାନ୍ତି ବ୍ୟାପିବା ଘଟଣା…

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପି. ଗୋବିନ୍ଦପୁର ଗାଁରେ ଝାଡା ବାନ୍ତି ଆତଙ୍କ ଦେଖା ଦେଇଛି । ମଙ୍ଗଳବାର ସନ୍ଧ୍ୟାରେ ହଠାତ ଗାଁରେ ୫ ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହେବା ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ସେମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଚିକିତ୍ସିତ ଅବସ୍ଥାରେ ଗାଁର ୯ ବର୍ଷର ନାବାଳିକା ଲିପି ନାୟକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରିଥିଲେ । କିନ୍ତୁ ପରିବାର ଲୋକେ ଗୁରୁତର ନାବାଳିକାକୁ ବ୍ରହ୍ମପୁର ନ ନେଇ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖିଥିଲେ । ବୁଧବାର ସକାଳ ପ୍ରାୟ ୯ଟାରେ ଶିଶୁ କନ୍ୟାର ମୃତ୍ୟୁ ଘଟିଥିଲା। ମିଟି ଗୌଡ(୫୦), ପାଣ ନାୟକ (୧୮), ଓମ ସାହୁ (୨)ଝାଡାବାନ୍ତିର ଆକ୍ରାନ୍ତ ହେବା ପରେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଚିକିତ୍ସିତ ହେଉଛନ୍ତି ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବା ଡାକ୍ତର କହିଥିବା ବେଳେ ରୀନା ଜାନୀ (୩୫)କମଳାପୁର ଆୱ।ରା ସ୍ଵାସ୍ଯୁ କେନ୍ଦ୍ରରେ ରହି ଚିକିସ୍ଥିତ ହେଉଥିବା ଜଣାପଡିଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଥିବା ପରିଲକ୍ଷିତ ହୋଇଛି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ଲୋକେ ଆରୋଗ୍ୟ ଲାଭ ପାଇଁ ଝଡାଫୁଙ୍କା ଓ ଜଡିବୁଟି ଔଷଧ ସେବନ କରିଥିବା ଓ ଦୂଷିତ ଜଳ ପାନୀୟ ଭାବେ ବ୍ୟବହାର କରିଥିବାରୁ ଝାଡ଼ାବାନ୍ତି ବ୍ୟାପିଥିବା ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡା.ନମିତା ପଣ୍ଡା କହିଛନ୍ତି । ବର୍ତ୍ତମାନ ସେଠାକାର ପରିସ୍ଥିତି ସ୍ଵାଭାବିକ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଅନୁଧ୍ୟାନ କରିବା ପାଇଁ ଗାଁରେ ପହଞ୍ଚିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରର ୨ଜଣ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡା. ମୁକ୍ତାର ଅଲ୍ଲୀ ଓ ଡା.ଆନନ୍ଦ ସାମନ୍ତରାୟ ଏବଂ ଏପିଡେମୋଲଜିଷ୍ଟ ଡା. ଶରତ ମହାପାତ୍ର। ଏହା ବ୍ୟତୀତ ମୋହନା ସ୍ୱାସ୍ଥ୍ୟୁ କେନ୍ଦ୍ର ଅଧିକାରିଣୀ ଡା.ପଣ୍ଡା, ଭାରପ୍ରାପ୍ତ ବିଡିଓ କିଶୋର ଚନ୍ଦ୍ର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ରା.ଉଦୟଗିରି ଏସଡିଓ (ଆରଡବ୍ଲ୍ୟୁଏସଏସ) ସ୍ଵୟଂପ୍ରଭା ସେଠୀ, ମୋହନା ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଳିକ ଓ ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସଭ୍ୟ ସୁନିଲ କୁମାର ବିଷୋୟୀ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମୃତ ଶିଶୁକନ୍ୟାର ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଜିଲ୍ଲା ଡାକ୍ତରୀ ଦଳ ସେଠାକାର ୭ଟି ଜଳଉତ୍ସର ପାନୀୟ ଜଳର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗ୍ରାମରେ ଔଷଧ ବିତରଣ କରାଯାଇଛି । ଆକ୍ରାନ୍ତମାନଙ୍କ ସ୍ଵାସ୍ଥ୍ୟବସ୍ଥା ଠିକ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ