ପୁଣେ ବନ ବିଭାଗ କାର୍ଯ୍ୟାଳୟରେ ସିରିଜ୍ ବିସ୍ଫୋରଣ
ପୁଣେ(ଏଜେନ୍ସି): ମହାରାଷ୍ଟ୍ର ପୁଣେ ଅନ୍ତର୍ଗତ ପୌଣ୍ଡେ ଅଞ୍ଚଳରେ ଥିବା ବନ ବିଭାଗ କାର୍ଯ୍ୟାଳୟରେ ସିରିଜ୍ ବିସ୍ଫୋରଣ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁସାରେ ଏଠାରେ ଲଗାତର ୯ଠଟି ବୋମା ବିସ୍ଫୋରଣ ହୋଇଛି । ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ କେବଳ କାର୍ଯ୍ୟାଳୟର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ତମଲାହାନୀ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ପାଇଁ ଏହି ବୋମାଗୁଡ଼ିକୁ ଜଙ୍ଗଲରେ ଲୁଚାଇ ରଖାଯାଇଥିଲା । ବନ ବିଭାଗ ଅଧିକାରୀମାନେ କିଛି ଦିନ ତଳେ ଏହି ବୋମାଗୁଡିକୁ ଜବତ କରିଥିବା ବେଳେ ଏହାକୁ ବିନ ବିଭାଗ କାର୍ଯ୍ୟାଳୟରେ ରଖିଥିଲେ । ତେବେ ହଠାତ୍ ଏହି ବୋମାଗୁଡ଼ିକ ବିସ୍ଫୋରିତ ହୋଇଉଠିଥିଲା । ଅତ୍ୟଧିକ ଗରମ ଯୋଗୁଁ ବୋମାଗୁଡ଼ିକ ଫୁଟିଥିବା ଅନୁମାନ କରାଯାଉଛି । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।


