ପୁରାତନ ବର୍ଷକୁ ମେଲାଣି ଦେବାର ନିଆରା କାର୍ଯ୍ୟକ୍ରମ;ରକ୍ତଦାନ କରି ନବବର୍ଷକୁ ସ୍ୱାଗତ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ପୁରାତନ ବର୍ଷକୁ ମେଲାଣି, ନୂତନ ବର୍ଷକୁ ନିଆରା ଢଙ୍ଗରେ ସ୍ମାର୍ଟ ନଗରୀ ବରବାରି ଗାଆଁର ଯୁବକମାନେ ସ୍ୱାଗତ କରିଛନ୍ତି । ଭୋଜିଭାତ, ପିକ୍ନିକ୍, ମଉଜ, ମଜଲିସ୍ କୁ ପଛରେ ପକାଇ ଜାତୀୟତାର ମହାନ୍ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇ ଯୁବକମାନେ ରକ୍ତଦାନ ଜୀବନ ଦାନ ମହାସ୍ରୋତରେ ସାମିଲ୍ ହୋଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି ।ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁଁ ଗତ ୯ମାସ ଧରି ରକ୍ତ ଭଣ୍ଡାରରେ ରକ୍ତର ଅଭାବ ହେତୁ ଦେଖାଦେଇଥିବା ସଙ୍କଟ କ୍ଲବର ସଦସ୍ୟମାନଙ୍କ ଦୃଷ୍ଟିକୁ ଆସିଥିଲା । ଏତଦ୍ସହ ଥାଲାସେମିଆ ଶିଶୁ ଟୋପାଏ ରକ୍ତ ପାଇବା ପାଇଁ ଡ଼ହଳ ବିକଳର ଖବର ପାଇ କ୍ଲବର ସଦସ୍ୟମାନେ ଅଣ୍ଟାଭିଡ଼ି ରକ୍ତଦାନ ଶିବିର ଆୟୋଜନ ପାଇଁ ଆଗେଇ ଆସିଥିଲେ । ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ଓଡ଼ିଶା-ମୋ ପରିବାରର ଆନୁକୂଲ୍ୟରେ ଏବଂ ନବଜ୍ୟୋତି କ୍ଲବ ଦ୍ୱାରା ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆନୁଷ୍ଠାନିକ ରୂପେ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଓଡ଼ିଶା-ମୋ ପରିବାରର ମୁଖ୍ୟ ଅରୁପ ପଟ୍ଟନାୟକ, ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର ଖୋର୍ଦ୍ଧାର ଯୁବ ଅଧିକାରୀ ବିପିନ କୁମାର, ପ୍ରଧ୍ୟାପକ ତଥା ଓଡ଼ିଆ ଟେଲିଭିଜନ ତଥା ସିନେ ଜଗତର ଅଭିନେତା ଜ୍ଞାନେନ୍ଦ୍ର କୁମାର ପଲାଇ, ଜାତୀୟ ଯୁବପୁରସ୍କାରପ୍ରାପ୍ତ ତଥା ସାମାଜିକ କର୍ମୀ ସୁଶାନ୍ତ ସାହୁ, ସେଞ୍ଚୁରିୟାନ ବ୍ଲଡ଼ ଡ଼ୋନର ଗୋପୀମୋହନ ପଟ୍ଟନାୟକ, ୬୨ ନମ୍ବର ୱାର୍ଡ଼ର ପୂର୍ବତନ କର୍ପୋରେଟର ହୃଦୟ ବଲ୍ଲଭ ସାମନ୍ତରାୟ, ୬୩ ନମ୍ବର ୱାର୍ଡ଼ର ପୂର୍ବତନ କର୍ପୋରେଟର ଶ୍ରୀମତୀ ରୁନୁ ଜେନା, ଓଡ଼ିଶା ମୋ ପରିବାର ଏକାମ୍ରର ସଂଯୋଜକ ଅଶ୍ୱିନୀ କୁମାର ସୁନ୍ଦରାୟ, କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ବ୍ୟାଙ୍କର ନିର୍ଦ୍ଦେଶକ ଡା. ଦେବାଶିଷ ମିଶ୍ର ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରକୁ କ୍ଲବର ସଂଗ୍ରାମ କେଶରୀ ସାହୁ, ତ୍ରିଲୋଚନ ମହନ୍ତ, ନୀଳକଣ୍ଠ ଦାସ, ପ୍ରଭାତ କୁମାର ରାଉତ, ସୂର୍ଯ୍ୟକାନ୍ତ ପ୍ରତିହାରୀ, ଦିଲ୍ଲୀପ କୁମାର ଲେଙ୍କା, ସନ୍ତୋଷ କୁମାର ଦାସ, ଗୋରାଚାନ୍ଦ ମହାନ୍ତି ଓ କ୍ଲବର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।


