ପୂର୍ବତନ ବିଧାୟକଙ୍କ ବୋହୂ “କାଳିଆ’ ହିତାଧିକାରୀ
ରାଜନଗର : କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ସୁବିଧା ହାତେଇଛନ୍ତି । ସରକାରୀ ନିୟମକୁ ଫୁ କରି ପୂର୍ବତନ ବିଧାୟକଙ୍କ ବୋହୂ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ହିତାଧିକାରୀ ହେବା ସହ ଟଙ୍କା ବି ହାତେଇଛନ୍ତି । ପୂର୍ବତନ ବିଧାୟକଙ୍କ ପୁଅ ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ କିପରି କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସହାୟତା ପାଇଁ ଆବେଦନ କଲେ ଓ ସହାୟତା ହାତେଇଲେ ସେ ନେଇ ରାଜନଗର ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।
ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅନନ୍ତ ଚରଣ ତ୍ରିପାଠୀ । ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ ଜଗନ୍ନାଥପୁର ଶାସନ ଗାଁର ସ୍ୱର୍ଗତ ତ୍ରିପାଠୀ ୧୯୫୭ରୁ ୧୯୬୨ ମସିହା ଯାଏଁ ରାଜନଗରର ବିଧାୟକ ଥିଲେ । ପୂର୍ବତନ ବିଧାୟକଙ୍କ ପୁଅ ସୁକାନ୍ତ କୁମାର ତ୍ରିପାଠୀ ଜଗନ୍ନାଥପୁର ଶାସନ ଶିକ୍ଷା ନିକେତନର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟକରି ଅବସର ନେଇଛନ୍ତି । ତାଙ୍କ ସ୍ତ୍ରୀ ସ୍ନେହଲତା ତ୍ରିପାଠୀ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସୁବିଧା ହାତେଇଛନ୍ତି । ଏହି ଦୁଇଟି ଯୋଜନାରେ ହିତାଧିକାରୀ ହେବା ସହ ସହାୟତା ରାଶି ମଧ୍ୟ ପାଇଛନ୍ତି ।
ସରକାରଙ୍କ ନିୟମ ଅନୁଯାୟୀ ଜଣେ କାର୍ଯ୍ୟରତ ବା ଅବସରପ୍ରାପ୍ତ କେନ୍ଦ୍ର /ରାଜ୍ୟ ଓ ସରକାରୀ ଉଦ୍ୟୋଗର କର୍ମଚାରୀ ଏହି ଯୋଜନାରେ ମିଳୁଥିବା ସୁବିଧା ପାଇପାରିବେ ନାହିଁ । ହିତାଧିକାରୀ ଚିଠା ତାଲିକାରେ ଯଦି ଏହି ଶ୍ରେଣୀର ଚାଷୀ କିମ୍ବା ତାଙ୍କର ସ୍ୱାମୀ ଅଥବା ତାଙ୍କ ସ୍ତ୍ରୀଙ୍କ ନାମ ଥିବ, ସେଥିରୁ ନାମ ବାଦ୍ ଦେବା ପାଇଁ ନାଲି ଫର୍ମ ପୂରଣ କରି ପକାଇବେ । ସରକାରୀ କର୍ମଚାରୀଙ୍କ ପତ୍ନୀ ଏହି ଯୋଜନାରୁ ସୁବିଧା ପାଇପାରିବେ ନାହିଁ ବୋଲି ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିବାବେଳେ କିପରି ପୂର୍ବତନ ବିଧାୟକଙ୍କ ବୋହୂ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପତ୍ନୀ କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ହିତାଧିକାରୀ ସାଜି ସୁବିଧା ହାତେଇଲେ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକାର ୫୧୪ ନମ୍ବର ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ତାଲିକାର ୩୭ ନମ୍ବରରେ ହିତାଧିକାରୀ ଭାବେ ସ୍ନେହଲତାଙ୍କ ନାଁ ରହିଛି । ଏ ସଂପର୍କରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ତ୍ରିପାଠୀଙ୍କୁ ପଚାରିବାରୁ , “ମୋ ନାଁ ଥିଲା । ନାଁ କାଟିବାକୁ ନାଲି ଫର୍ମ ପକାଇଥିଲି । ସ୍ତ୍ରୀ ନାଁରେ ଆବେଦନ କରି ନାହିଁ । ଆକାଉଣ୍ଟକୁ ଟଙ୍କା ଆସିଛି । ସରକାର ଆକଉଣ୍ଟରୁ ଟଙ୍କା କାଟି ନିଅନ୍ତୁ ବୋଲି କହିଛନ୍ତି ।