ପୂର୍ବ ବିବାଦକୁ ନେଇ ଭୁତପଦା ଗ୍ରାମରେ ଘର ଗୃହ ଦାହ ଅଭିଯୋଗ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଇଞ୍ଚୋଳ ଭୁତପଦା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ପୂର୍ବ ବିବାଦ କୁ ନେଇ ପିତାମ୍ବର ଜେନାଙ୍କ ଘରକୁ ପୋଡି ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ପିତାମ୍ବର ଯେନା ଙ୍କ ପୁଅ ଗତ କିଛିଦିନ ତଳେ ବନ୍ତ ଥାନା ବାଇପୁର ଗ୍ରାମର ଜଣେ ଝିଅକୁ ନେଇ ପଳାଇଛି। ଝିଅଘର ଲୋକେ ଏନେଇ ବନ୍ତ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପିତାମ୍ବରଙ୍କ ପରିବାର ଲୋକଙ୍କୁ ଉଠାଇ ନେଇ ପଚରା ଉଚୁରା କରିବା ସହିତ ଝିଅକୁ ଆଣି ଛାଡିବାପାଇଁ କହି ଛାଡ଼ିଦେଇଥିଲେ। ଏପରିକି ବାରମ୍ବାର ଝିଅ ଘର ଲୋକମାନେ ଆସି ପିତାମ୍ବର ଙ୍କ ପରିବାରକୁ ଧମକ ଚମକ ଦେଉଥିବାରୁ ପରିବାର ଲୋକେ ଘର ଛାଡ଼ି ବାହାରେ ରହୁଛନ୍ତି। ଗତକାଲି ଘରେ ପିତାମ୍ବର ଙ୍କ ସ୍ତ୍ରୀ ମନୋରମା ଘରେ ଏକୁଟିଆ ଥିବାବେଳେ ଝିଅଘର ଲୋକମାନେ ବିଳମ୍ବିତ ରାତିରେ ଆସି କବାଟ ଖୋଲି ମନୋରମା କୁ ମାରଧର କରିବା ସହିତ ଘରେ ଥିବା ସୁନାରୁପା ମଧ୍ୟ ନେଇ ଯାଇ ଘରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଦେଖି ଗ୍ରାମବାସୀମାନେ ଆସିଯିବାରୁ ସେମାନେ ଘଟଣା ସ୍ଥଳ ଛାଡି ପଳାଇଥିଲେ। ଆଜି ମନୋରମା ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଖବର ପାଇ ଆଜି ରାଜସ୍ୱ ନିରୀକ୍ଷାକ ଭୁତପଦା ଗ୍ରାମରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି।


